ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗ୍ରାମାଞ୍ଚଳରେ ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଏସ.ବି.ଆଇ ଗ୍ରାମ ସକ୍ଷମ ପ୍ରକଳ୍ପ ପକ୍ଷରୁ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରୀୟ ଏସ୍.ବି.ଆଇ ଫାଉଣ୍ଡେସନର ସଭାପତି ଜଗନ୍ନାଥ ସାହୁ ମୁଖ୍ୟ ଅତିଥି , ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ତଥା ପ୍ରାକ୍ତନ ସୂଚନା କମିଶନର ଜଗଦାନନ୍ଦ ମୁଖ୍ୟବକ୍ତା, ଅନ୍ୟତମ କାର୍ଯ୍ୟକର୍ତ୍ତା ନିଶାନ୍ତ କୁମାର, ଡେଲାଙ୍ଗ – କୋଠବାଡ ପଂଚାୟତର ସରପଂଚ ଦୀପକ କୁମାର ସାହୁ, ଡେଲାଙ୍ଗ ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡା ପ୍ରମୁଖ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳସଂରକ୍ଷଣ, ଉନ୍ନତ କୃଷି ମାଧ୍ୟମରେ ଆର୍ଥିକ ପ୍ରଗତି କିଶାନ ସେବା ମାଧ୍ୟମରେ ସଚେତନତା, ଜଳ ଓ ମୃତ୍ତିକା ପ୍ରଦୂଷଣର କୁପ୍ରଭାବ ଆଦି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ସ୍ଥାନୀୟ ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପର୍କିତ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଡେଲାଙ୍ଗ ୟୁଜିୟୁପି ବିଦ୍ୟାଳୟର ଅଭିଜିତ୍ ବେହେରା, ପୁରୁଣା ଡେଲାଙ୍ଗ ଉପ୍ରା ବିଦ୍ୟାଳୟର ରାଜଲକ୍ଷ୍ମୀ ମହାପାତ୍ର, ଆଙ୍କୁଲା ମହାରାଜ ମହେଶ୍ୱର ଉଚ୍ଚ ବିଦ୍ୟାଳୟର ବିଦ୍ୟୁତପ୍ରଭା ବଡଜେନା, ବଡଆଙ୍କୁଲା ଉପ୍ରା ବିଦ୍ୟାଳୟର ଅଙ୍କିତା ପ୍ରଧାନଙ୍କ ସହ ୩୨ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସିୱାଇଏସ୍ଡିର ସ୍ଥାନୀୟ ସଂଯୋଜକ ଚକ୍ରଧର ମହାପାତ୍ର, ଅମିତ୍ କୁମାର ମହାପାତ୍ର, ସରୋଜ ସ୍ୱାଇଁ, ମାନସ ସ୍ୱାଇଁ, ପ୍ରଫୁଲ୍ଲ ମହାରଣା, ଦିପ୍ତିମୟୀ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଥାନୀୟ ସରପଂଚ ଦୀପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାନଆଙ୍କୁଲା ଓ ବେନୁପଡା ଗ୍ରାମର ପ୍ରଦୂଷିତ ପୁଷ୍କରିଣୀ ଓ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଶିକ୍ଷକ ପବିତ୍ର ଜେନା, ଅଭୟ ସାହୁ ଓ ଅଭୟ ରଥଙ୍କ ସହ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉଲ୍ଲେଖନୀୟ ଯେ, ଏସ୍.ବି.ଆଇ ଫାଉଣ୍ଡେସନ , ସିୱାଇଏସ୍ଡିଙ୍କ ମିଳିତ ଉଦ୍ୟମରେ ଡେଲାଙ୍ଗ କୋଠବାଡ ପଂଚାୟତରେ ଜରାଜୀର୍ଣ୍ଣ ଜଳାଶୟର ପୁନରୁଦ୍ଧାର ଓ ମହିଳାଙ୍କ ଦକ୍ଷତା ବୃଦ୍ଧି ପୂର୍ବକ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି ।
Prev Post
Next Post