centurian jitm

୭୫ତମ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଉତ୍ତମ ସେବା ପ୍ରଦାନକାରୀ ସମ୍ମାନୀତ ହେବେ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଭିଡ୍ ସମୟରେ ତୃଣମୂଳ ସ୍ତରରୁ ଉତ୍ତମ ସେବା ପ୍ରଦାନ କରି ଆସିଥିବା ସର୍ବୋପରି କର୍ତ୍ତବ୍ୟନିଷ୍ଠା ଭାବେ ନିଜକୁ ବାଜି ଲଗାଇ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚଳିତ ବର୍ଷ ସମ୍ମିଳିତ ପେରେଡ଼ ସମ୍ମାନୀତ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଛତ୍ରପୁର ଜିଲ୍ଲା ମହକୁମାରେ ଅନୁଷ୍ଠିତ ଏହି ଅବସରରେ ଆଭାସୀ ମାଧ୍ୟମରେ ଶନିବାର ଦିନ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି । ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଥିଲେ ଯେ, କୋଭିଡ୍‌ର ବିପତ୍ତି ସମୟରେ ନିଜ ଜୀବନ ପ୍ରତି ଖାତିର ନ କରି ଜିଲ୍ଲାର ଅନେକ ବ୍ୟକ୍ତି ବିଶେଷ ସେବା ପ୍ରଦାନ କରିଛନ୍ତି । ଯାହାକି, ସେହିମାନଙ୍କର ଭୂୟସୀ ପ୍ରସଂଶା କରିଛନ୍ତି ଖୋଦ ଗଞ୍ଜାମ ଜିଲ୍ଲାପାଳ । ସେମାନେ ସାଧୁବାଦର ପାତ୍ର ଅଟନ୍ତି । ସେହିଭଳି ବ୍ୟକ୍ତି ବିଶେଷଙ୍କ ଉତ୍ତମ ସେବା ନିମନ୍ତେ ସମ୍ମାନୀତ କରିବା ଆବଶ୍ୟକତା ରହିଛି ବୋଲି ଏଠାରେ କୁହାଯାଇଛି । ତେଣୁ ଚଳିତ ବର୍ଷର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇ ଜିଲ୍ଲା ସ୍ତରୀୟ ଉତ୍ସବରେ ସମ୍ମାନୀତ କରାଯିବ । ଏଥି ସକାଶେ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ଠାରୁ ତାଲିକା ସଂଗ୍ରହ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏହି ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷ ପୋଲିସ୍ ଦଳଙ୍କ ଦ୍ୱାରା ଅଭିବାଦନ ଗ୍ରହଣ ଏବଂ ପ୍ୟାରେଡ୍ ପରିଚାଳନା କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ଚଳିତ ବର୍ଷର ପ୍ୟାରେଡ୍‌ରେ ବିଗତ ବର୍ଷ ଭଳି ଚଳିତ ବର୍ଷ ଅଂଶ ଗ୍ରହଣ କରିବେ ନାହିଁ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସ୍ୱାଧୀନତା ଦିବସ ଦିନ ପୂର୍ବାହ୍ନ ଘ.୭.୩୦ମି. ସମୟରେ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପୂର୍ବାହ୍ନ ୮.ଘଣ୍ଟା ସମୟରେ କୋଭିଡ୍ ନିୟମ ଅନୁପାଳନ କରି ଜାତୀୟ ପତାକା ଉତ୍ତୋଳନ କରିବେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷା, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଗଣ ଏବଂ ତିନିଜଣ ଛାତ୍ର/ଛାତ୍ରୀଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବଟିକୁ ପାଳନ କରିବେ । ଉକ୍ତଦିନ ପୂର୍ବାହ୍ନ ଘ.୯.୧୫ ମି. ସମୟରେ ଛତ୍ରପୁର ସ୍ଥିତରିଜର୍ଭ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିବାଦନ ଗ୍ରହଣ ପୂର୍ବକ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ । ଜନ ପ୍ରତିନିଧି, ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଚଳିତ ବର୍ଷର ପ୍ୟାରେଡ୍ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଗଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୋଲିସ୍ ପ୍ରଶାସନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର, ରାସ୍ତା ଓ କୋଠାବାଡି ବିଭାଗ, ଅଗ୍ନିଶମ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମ ଦ୍ୱାରା ଚଳିତ ବର୍ଷର ଉତ୍ସବ ପାଳିତ ହେବ । ପ୍ୟାରେଡ୍ ଅଭ୍ୟାସ, ରାମଧୂନ୍, ପ୍ୟାରେଡ୍ ପଡିଆ ଓ ଏହାର ଚତୁଃପାଶ୍ୱ ସଫେଇ, ନିମନ୍ତ୍ରଣ ପତ୍ର ଆବଣ୍ଟନ, ଉତ୍ତମ ସେବା ଯୋଗାଇ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ ଇତ୍ୟାଦି ସମ୍ପର୍କିତ ସବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ବୈଠକରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ଡି.ଏସ୍.ପି. ଡି.ଆଇ.ବି. ଅଜୟ କୁମାର ମିଶ୍ର, ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ, ରାସ୍ତା ଓ କୋଠାବାଡି ବିଭାଗର ଭାରପ୍ରାପ୍ତ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଶତପଥୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ ଗୁରୁ ପ୍ରସାଦ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.