ବର୍ଷିଆନ୍‌ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଆଜି ୮୪ତମ ଜନ୍ମ ଦିବସ : ଅଜସ୍ର ଶୁଭକାମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବର୍ଷିଆନ୍‌ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଆଜି ୮୪ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କର ସୁସ୍ଥ ଓ ନିରାମୟ ତଥା ଦୀର୍ଘ ଜୀବନ ଯାତ୍ରା ପାଇଁ ସାମ୍ବାଦିକ ତଥା ବୁଦ୍ଧିଜୀବୀ ମହଲରେ ପ୍ରାର୍ଥନା କରାଯାଇଛି । ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରା ଦୀର୍ଘ ବର୍ଷ ଧରି ‘ପ୍ରଜାତନ୍ତ୍ର’ରେ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରି ବର୍ତ୍ତମାନ କିଛି ବର୍ଷ ହେଲା ‘ପ୍ରତିଦିନ’ ଖବର କାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି । ବୟସର ଅପରାହ୍ନ ମଧ୍ୟ ତାଙ୍କୁ ଅଟକାଇ ପାରିନାହିଁ । ଏବେ ବି ସେ ଚଳଚଂଚଳ । ଯୁବକ ସୁଲଭ କାର୍ଯ୍ୟଦକ୍ଷତା ତାଙ୍କଠାରେ ସ୍ପଷ୍ଟ ଅନୁଭବ କରିହୁଏ । ତାଙ୍କ ନିଆରା ସାମର୍ଥ୍ୟ, ଭାବ ଓ ଆବେଗ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ । ଶ୍ରୀ ବେହେରା ସାମ୍ବାଦିକତା କରିବା ସହ ସାହିତ୍ୟ ଜଗତରେ ମଧ୍ୟ ପାଦ ଦେଇଛନ୍ତି । ଗପ, କବିତା ତଥା ପ୍ରବନ୍ଧ ରଚନା କରିବା ଦିଗରେ ମଧ୍ୟ ତାଙ୍କର ବିଶେଷ ରୁଚି ରହିଥିବା ବେଳେ ଜଣେ ନାଟ୍ୟ ଅଭିନେତା ଭାବେ ମଧ୍ୟ ସେ ସୁନାମ ଅର୍ଜନ କରିଛନ୍ତି । ବହୁଚର୍ଚ୍ଚିତ ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ଭୁଖା’ରେ ସେ ଅଭିନୟ କରିଥିଲେ । ତାଙ୍କ ଚିନ୍ତା, ଚେତନା ତଥା ସାଉଁଟିନେବା ପଣ ଯୁବକମାନଙ୍କ ପାଇଁ ଆଜି ଉଦାହରଣ ସାଜିଛି । ୮୪ତମ ଜନ୍ମ ଦିବସ ଅବସରରେ ବର୍ଷିଆନ୍‌ ସାମ୍ବାଦିକ ଶ୍ରୀ ବେହେରାଙ୍କ ସୁସ୍ଥ, ନିରାମୟ ତଥା ସଫଳ ଦୀର୍ଘ ଜୀବନ ଯାତ୍ରା ପାଇଁ ମା’ ସମଲେଇ, ପାଟଣେଶ୍ୱରୀଙ୍କ ଠାରେ ‘କୋଶଳ ପ୍ରବାହ’ ପରିବାର ପ୍ରାର୍ଥନା କରିବା ସହ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜଣାଉଛି ।

Leave A Reply

Your email address will not be published.