ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନାରେ ସତୀଭଟା ଏୟାରଷ୍ଟ୍ରିପ୍କୁ ସାମିଲ କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ପଦ୍ମପୁରରେ ଥିବା ସତୀଭଟା ଏୟାରଷ୍ଟ୍ରିପ୍କୁ ନେଇ ସାଂସଦ ତୃତୀୟ ଥର ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି । ଏହାସହ ଝାରସୁଗୁଡ଼ା ଏୟାରପୋର୍ଟର ସମ୍ପ୍ରସାରଣ ପାଇଁ ଦାବି କରିଛନ୍ତି ବରଗଡ଼ ସାଂସଦ । କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଭେଟି ପଶ୍ଚିମ ଓଡ଼ିଶା ହିତରେ ଏହି ଦୁଇ ବଡ଼ ଦାବି ରଖିଛନ୍ତି ପ୍ରଦୀପ ପୁରୋହିତ । ପୂର୍ବରୁ ଚଳିତବର୍ଷ ଏପ୍ରିଲ ୨ ତାରିଖରେ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି ସମାନ ଦାବି ରଖିଥିଲେ । ଦୃଢ଼ ସାମାଜିକ ଓ ଅର୍ଥନୈତିକ ଏବଂ ଜରୁରୀକାଳୀନ ଆବଶ୍ୟକତା ଥିବା ପୂର୍ବରୁ ସୂଚାଇଥିଲେ ମଧ୍ୟ ଉପରୋକ୍ତ ବିଷୟ ଉପରେ ଚୂଡାନ୍ତ ପ୍ରତିକ୍ରିୟା କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ କୌଣସି ଅପଡେଟ୍ ବିଭାଗ ତରଫରୁ ମିଳିନାହିଁ ବୋଲି କହିଛନ୍ତି ବରଗଡ଼ ସାଂସଦ । ନୃସିଂହନାଥ ରହିଛି ସତୀଭଟା ଏୟାରଷ୍ଟ୍ରିପ୍ । ଆଂଚଳିକ ବିମାନ ଗମନାଗମନ ସହ ଆଂଚଳିକ ପର୍ଯ୍ୟଟନ କ୍ଷେତ୍ର ଓ ଅର୍ଥନେତିକ ଅଭିବୃଦ୍ଧିରେ ଏହା ବେଶ ଗୁରୁତ୍ୱ ବହନ କରେ ଏହି ଅଂଚଳ । ଉଡାନ୍ ଯୋଜନାରେ ସତୀଭଟା ଏୟାରଷ୍ଟ୍ରିପ୍କୁ ସାମିଲ କରାଗଲେ ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଏହା ପ୍ରବେଶ ଦ୍ୱାର ହେବ ବୋଲି କହିଛନ୍ତି ବରଗଡ଼ ସାଂସଦ । ସେହିଭଳି ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା ବିମାନବନ୍ଦର ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବେ ରହିଛି । ହେଲେ ସକାଳ ଓ ସଂଧ୍ୟା ସମୟରେ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଯିବା ପାଇଁ କୌଣସି ବ୍ୟବସ୍ଥା ବା ସୁବିଧା ନାହିଁ । ଯାହାଦ୍ୱାରା ଅନେକ ସଂଖ୍ୟାରେ ବ୍ୟବସାୟୀ, ପ୍ରଶାସନିକ ପରିଚାଳକ ଓ ଜରୁରୀ ମେଡ଼ିକାଲ ସେବାରୁ ବଂଚିତ ହେଉଛନ୍ତି । ଏହି ଅଂଚଳର ଲୋକସଂଖ୍ୟା ବୃଦ୍ଧି ଓ ଶିଳ୍ପାଂଚଳକୁ ନଜରରେ ରଖି ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ବିଶାଖାପାଟଣା, ହାଇଦ୍ରାବାଦ୍ ଓ କୋଲକାତା ଭଳି ମେଟ୍ରୋ ସ୍ଥାନକୁ ପ୍ରତିଦିନ ବିମାନ ଚଳାଚଳ ପାଇଁ ଦାବି ରଖିଛନ୍ତି ପ୍ରଦୀପ ପୁରୋହିତ । ଏସବୁ ଦିଗରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖୁବଶୀଘ୍ର ଏ ଦିଗରେ ତ୍ୱରୀତ ପଦକ୍ଷେପ ନେବାକୁ ବେସାମରିକ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବରଗଡ଼ ସାଂସଦ ।