ଗରିବ ଓ ଅସହାୟଙ୍କ ସାଥୀ ସାଜିଛନ୍ତି ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଏକ ମଧ୍ୟବିତ୍ତ ପରିବାରର । ବାପା ସୁଦାମା ଜଣେ ଚାଷୀ, ମା’ ଭାଗ୍ୟବତୀ ଗୃହିଣୀ । ଏବେ ସ୍ନାତକୋତ୍ତର ସାରି ଘରେ ଅଛନ୍ତି । ଆଶିଷ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ପାଖରେ ଜଣେ ପରିଚିତ ନାମ । ପ୍ରତ୍ୟେକ ଜିଲ୍ଲାରେ ସେ ଅସହାୟ ଦୁଃଖିଙ୍କ ବନ୍ଧୁ ସାଜିଛନ୍ତି । ଅସହାୟଙ୍କୁ ସହାୟତା ପାଇଁ ଆଶିଷ ପ୍ରତିଦିନ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ସହିତ ଯୋଗାଯୋଗରେ ରୁହନ୍ତି । ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଥିବା ଆଶିଷ ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି । କେବଳ ଅସହାୟ ଲୋକଙ୍କୁ ସହାୟତା କରିବାରେ ଆଶିଷଙ୍କ କାର୍ଯ୍ୟ ସୀମିତ ରହିନାହିଁ । ଓଡିଶା ସମସ୍ତ ଜିଲାର ସମସ୍ୟା ଗୁଡିକ ଖବରକାଗଜରେ ଦେଖି ସାମାଜିକ ଗଣମାଧ୍ୟମ(ଟୁଇଟ)ରେ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ସରକାର ତଥା ପ୍ରଶାସନକୁ ଅନୁରୋଧ କରିଥାନ୍ତି । ନିଜ ପଞ୍ଚାୟତ ଅଧିନରେ ଥିବା ଗିଦମାଲ ଗ୍ରାମରେ ନଳକୂଅ ପଡି ରହିଥିବା ଖବର ଟୁଇଟ ଯୋଗେ ପ୍ରକାଶ କରିବାରୁ ମରାମତି କରାଯାଇଥିଲା, ନିଜ ଗ୍ରାମର ସାଧୁରାମ ସାହୁଙ୍କ କଲୋନୀ ଘର, ଆଶିଷଙ୍କ ଏଥିରେ ସହୋଯୋଗ ରହିଛି । ମାଲକାନଗିରି ପଡ଼ିଆ ବ୍ଲକର ଇରାମମାଡ କାମି ଗତ କିଛି ବର୍ଷ ଧରି ଚିକିତ୍ସା ଅଭାବରୁ ରୁଗ୍‌ଣ ଅବସ୍‌ଥାରେ ଦିନ କାଟୁଥିଲେ ଆଶିଷଙ୍କ ଟୁଇଟ ପରେ ଚିକିତ୍ସା ପାଇ ପାରିଥିଲେ । ଓଡ଼ିଶାର କୋଣ ଅନୁକୋଣରର ସମସ୍ୟା ସରକାର ଦୃଷ୍ଟିକୁ ଆଣି ଆଶିଷ ସମସ୍ତଙ୍କ ଚର୍ଚ୍ଚାର ପାତ୍ର ହୋଇଛନ୍ତି ।

Leave A Reply

Your email address will not be published.