ବଲାଙ୍ଗିର ସଦର ବ୍ଲକର ଶତାୟୁ ମଣିଷ ଚେୟାରମେନ ଶବର ଓ ସୁଦର୍ଶନ ଭୁଏ

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ସାଂପ୍ରତିକ ସମାଜରେ ଏବେ ଶତାୟୁ ମଣିଷଙ୍କ ସଂଖ୍ୟା ଖୁବ୍‌ କମ । ବଲାଙ୍ଗିର ସଦର ବ୍ଲକର ଭୁଣ୍ଡିମୁହାଣ ଓ କର୍ଲାପିଟାରେ ଅଛନ୍ତି ଏମିତି ୨ ଜଣ ଶତାୟୁ ମଣିଷ, ଜଣେ ହେଲେ ଚେୟାରମେନ ଶବର ଏବଂ ଅନ୍ୟ ଜଣେ ସୁଦର୍ଶନ ଭୁଏ । ଚେୟାରମେନ ଶବର ୧୦୭ ବର୍ଷ ବୟସର ହୋଇଥିବା ବେଳେ ସୁଦର୍ଶନ ଭୁଏ ୧୦୩ ବର୍ଷ ବୟସର । ରାଜାଡ଼ି ଶାସନ ବେଳରୁ ଆରମ୍ଭ କରି ଗଣତନ୍ତ୍ରର ଶାସନ ପର୍ଯ୍ୟନ୍ତ ଜୀବନରେ ଅନେକ ପରିବର୍ତ୍ତନ ଦେଖିଛନ୍ତି । ତାଙ୍କ କହିବା କଥା, ସେକାଳ ଓ ବର୍ତ୍ତମାନ ସମୟର ସବୁକିଛି ପୁରା ଅଲଗା । ଆଗରୁ ମଣିଷଙ୍କ ମଧ୍ୟରେ ଯେଉଁ ଆତ୍ମୀୟତା ଥିଲା ଏବେ ଆଉ ସେମିତି ନାହିଁ । ଠିକ ରାଜନୀତି ମଧ୍ୟ ଅନୁରୂପ । ଆଗରୁ ରାଜା ଶାସନ କରୁଥିଲେ ଓ ଏବେ ମନ୍ତ୍ରୀ ଶାସନ କରୁଛନ୍ତି । ବ୍ରିଟିଶ ସମୟରେ କଠୋର ପରିଶ୍ରମ ତଥା ଶାସନ ଥିଲା, କିନ୍ତୁ ଶାନ୍ତି ବି ଥିଲା । ଏବେ କେହି କାହାରି କଥା, ଭଲ ମନ୍ଦ ବୁଝିବାକୁ ଚାହୁଁନାହାନ୍ତି । ସେ ସମୟରେ ଏମାନେ ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ରାଜନୈତିକ ଦଳ ଦେଖିଛନ୍ତି ଏବଂ ସୋସିଆଲିଷ୍ଟ, କମ୍ୟୁନିଷ୍ଟ, କଂଗ୍ରେସ ଭଳି ଦଳ ସହିତ ମିଶି ସମାଜ ପାଇଁ କାମ ମଧ୍ୟ କରିଛନ୍ତି । ଏମାନେ ଯୁବକ ଥିବା ସମୟରେ ଦେଶ ସ୍ୱାଧୀନତା ପାଇଥିଲା । ସ୍ୱାଧୀନତା ଖବର ପାଇ ଗାଁକୁ ଗାଁ ଯାଇ ଲୋକଙ୍କୁ ଫୁଲ ଚାଙ୍ଗୁଡ଼ା ଦେଉଥିବାର କହନ୍ତି । ସ୍ୱାଧୀନତା ପାଇବାର ଖୁସିରେ ମାସ ମାସ ଧରି ସ୍ୱାଧୀନତାର ପର୍ବ ପାଳନ କରିଥିବାର ମନେ ପକାଇ ଖୁବ୍‌ ଖୁସି ଅନୁଭବ କରନ୍ତି ।

Leave A Reply

Your email address will not be published.