କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

  • ଓଡ଼ିଶାରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଏବଂ ପିଏମ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ସମୀକ୍ଷା

ନୁଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ ଷଡ଼ଙ୍ଗୀ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଭାରତ ସରକାରଙ୍କର ଦୁଇଟି ପ୍ରମୁଖ ଯୋଜନା – ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଏବଂ ‘ପିଏମ ସୂର୍ଯ୍ୟଘର: ମୁଫତ ବିଜଲି’ ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ଭାରତର ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ଓଡ଼ିଶା ଦୃଢ଼ ସ୍ଥିତିରେ ଅଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଜୋର ଦେଇ କହିଥିଲେ । ଜଳ ଉପଲବ୍ଧତା, ବୃହତ ପରିମାଣର ଅକ୍ଷୟ ଶକ୍ତିର ସମନ୍ୱୟ ଏବଂ ସକ୍ଷମ ଭିତ୍ତିଭୂମି ବିକାଶ ଭଳି ପ୍ରମୁଖ ଆହ୍ବାନଗୁଡ଼ିକୁ ସେ ସ୍ୱୀକାର କରିଥିଲେ । ମୁଖ୍ୟ ସଚିବ କହିଥିଲେ, ରାଜ୍ୟର ରଣନୀତିକ ଉପକୂଳବର୍ତ୍ତୀ ସ୍ଥିତି, ଦୃଢ଼ ଶିଳ୍ପ ଇକୋସିଷ୍ଟମ ଏବଂ ସକ୍ରିୟ ନୀତିଗତ ଢାଞ୍ଚା ଓଡ଼ିଶାକୁ ସବୁଜ ହାଇଡ୍ରୋଜେନର ବିଶ୍ୱ ରପ୍ତାନିକାରୀ ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସଚିବ କହିଥିଲେ, ଭାରତର ସବୁଜ ହାଇଡ୍ରୋଜେନ କ୍ଷେତ୍ରକୁ ବ୍ୟାପକ ଭାବେ ବୃଦ୍ଧି କରିବା ଲାଗି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଦୃଢ଼ ସ୍ଥିତିରେ ରହିଛି । ରାଜ୍ୟରେ ସବୁଜ ଆମୋନିଆ/ସବୁଜ ମିଥାନଲ ଭଳି ସବୁଜ ହାଇଡ୍ରୋଜେନ ଉପାଦାନର ଉତ୍ପାଦନ ପାଇଁ ଘରୋଇ ନିବେଶକଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ସୃଷ୍ଟି ହୋଇଛି । ବିଶେଷକରି ପାରାଦୀପ ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ନିକଟରେ ଏଥିପାଇଁ ଅପାର ସମ୍ଭାବନା ରହିଛି । ଏହି ବୈଠକରେ ଓଡ଼ିଶା ସରକାର, ପ୍ରମୁଖ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ପ୍ରମୁଖ ସବୁଜ ହାଇଡ୍ରୋଜେନ୍ ଡେଭଲପରମାନଙ୍କର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଅଧିକ ପରିମାଣର ସବୁଜ ହାଇଡ୍ରୋଜେନ୍/ ସବୁଜ ଆମୋନିଆ ପ୍ରକଳ୍ପର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଆହ୍ବାନଗୁଡ଼ିକ ଉପରେ ବିଚାରବିମର୍ଶ କରାଯାଇଥିଲା । ବିଶେଷକରି ଗୋପାଳପୁରର ଏସଇଜେଡ ଠାରେ ଏଥିପାଇଁ ରହିଥିବା ସମ୍ଭାବନାକୁ ନେଇ ଆଲୋଚନା ହୋଇଥିଲା । ଏହି ପ୍ରୟାସଗୁଡ଼ିକ ଦ୍ରୁତ ଗତିରେ ବଢ଼ୁଥିବା ଭାରତର ସବୁଜ ହାଇଡ୍ରୋଜେନ୍ ଇକୋସିଷ୍ଟମ ଲାଗି ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଓଡ଼ିଶା ସରକାର ଧାର୍ଯ୍ୟ ସମୟସୀମା ମଧ୍ୟରେ ସବୁଜ ହାଇଡ୍ରୋଜେନ୍ ଉପାଦାନର ଉତ୍ପାଦନ ଓ ରପ୍ତାନି ପାଇଁ ଏକ ସହଯୋଗୀ ଇକୋସିଷ୍ଟମ ଏବଂ ପସନ୍ଦଯୋଗ୍ୟ ନିବେଶ ଗନ୍ତବ୍ୟସ୍ଥଳ ବିକାଶ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫତ ବିଜଲି ଯୋଜନା’ ହେଉଛି ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହାର ଲକ୍ଷ୍ୟ ହେଉଛି, ସାରା ଦେଶରେ ଛାତ ଉପରେ ସୌରଶକ୍ତି ୟୁନିଟ ସ୍ଥାପନକୁ ପ୍ରୋତ୍ସାହିତ କରିବା । ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଓଡ଼ିଶାରେ ଏହାର ଅଗ୍ରଗତିକୁ ନେଇ ମୁଖ୍ୟ ସଚିବଙ୍କ ସହିତ ସମୀକ୍ଷା କରିଥିଲେ । ସମୀକ୍ଷା ପରେ, ରାଜ୍ୟ ସାରା ଛାତ ଉପରେ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବ ନିୟମିତ ଏସଏଲବିସି ବୈଠକ ଆୟୋଜନ କରିବା, ବିକ୍ରେତା ଓ ବ୍ୟାଙ୍କରମାନଙ୍କ ସହିତ ଜଡିତ ହେବା ଏବଂ କାର୍ଯ୍ୟକାରିତାକୁ ସହଜ କରିବା ପାଇଁ ତୁରନ୍ତ ଋଣ ମଞ୍ଜୁର ଓ ବଣ୍ଟନ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ୧ କିଲୋଓ୍ବାଟରୁ କମ୍ କ୍ଷମତା ସ୍ଥାପନ କରୁଥିବା ନିମ୍ନ ଆୟକାରୀ ପରିବାରଗୁଡ଼ିକ ପ୍ରତି ଏକ କେନ୍ଦ୍ରିତ ଆଭିମୁଖ୍ୟ ସହିତ ୟୁଟିଲିଟି-ଲେଡ-ଏଗ୍ରୀଗେସନ (ୟୁଏଲଏ) ମଡେଲ କାର୍ଯ୍ୟକାରୀ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ମନ୍ତ୍ରଣାଳୟ ପିଏମ କୁସୁମ ଅଧୀନରେ କୃଷି କ୍ଷେତ୍ରରେ ସୌର ଶକ୍ତିର ଉପଯୋଗ ବୃଦ୍ଧି କରିବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପସ୍ଥାପନ କରିଥିଲା । ଏଗୁଡ଼ିକୁ ଧ୍ୟାନ ଦେଇ, ମୁଖ୍ୟ ଶାସନ ସଚିବ ରାଜ୍ୟ ନୋଡାଲ ଏଜେନ୍ସିକୁ ରାଜ୍ୟରେ ଫିଡର ସ୍ତରରେ ସୌର ଶକ୍ତି ବିକାଶ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା ଚାଷୀ ସମାଜକୁ ସ୍ୱଚ୍ଛ ଶକ୍ତିର ଲାଭ ମିଳିବ ।

jittmm
Leave A Reply

Your email address will not be published.