ଇଣ୍ଡିଆ ଏଆଇ ଷ୍ଟାକ୍ : ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ଏକ ସରଳ କିନ୍ତୁ ଶକ୍ତିଶାଳୀ ଚିନ୍ତାଧାରା ଦ୍ୱାରା ପରିଚାଳିତ ହେଉଛି, ତାହା ହେଲା ଏଆଇର ଗଣତାନ୍ତ୍ରିକରଣ । କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କେବଳ କିଛି କମ୍ପାନୀ, ଅନୁଷ୍ଠାନ କିମ୍ବା ଦେଶ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ବରଂ, ଏହାକୁ ଏପରି ଭାବରେ ବିକଶିତ ଏବଂ ବ୍ୟବହାର କରାଯିବା ଉଚିତ ଯାହା ପ୍ରତ୍ୟେକ ନାଗରିକଙ୍କୁ ଉପକୃତ କରିବ, ଜନକଲ୍ୟାଣ ଏବଂ ସାମୂହିକ ମଙ୍ଗଳକୁ ସମର୍ଥନ କରିବ । ‘ମାନବିକତା ପାଇଁ ଏଆଇର ଏହି ଦୂରଦୃଷ୍ଟି ଲୋକମାନଙ୍କୁ ବୈଷୟିକ ପ୍ରଗତିର କେନ୍ଦ୍ରରେ ରଖିଥାଏ, ଯାହା ନିଶ୍ଚିତ କରେ ଯେ ନବସୃଜନ ସମାଜର ସେବା କରୁଛି, ସମାଜ ନବସୃଜନର ନୁହେଁ ।
ଏହି ଦୂରଦୃଷ୍ଟିକୁ ସାକାର କରିବା ପାଇଁ ଏଆଇ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି, ଅର୍ଥ ଏବଂ ସରକାରୀ ସେବା କ୍ଷେତ୍ରରେ ଦୈନନ୍ଦିନ ଜୀବନରେ ନିର୍ଭରଯୋଗ୍ୟ ଭାବେ କାର୍ଯ୍ୟ କରି ନିରବଚ୍ଛିନ୍ନ ଭାବେ ସଂଯୁକ୍ତ ହେବା ଆବଶ୍ୟକ । ଏକ ଶକ୍ତିଶାଳୀ ଏବଂ ସମନ୍ୱିତ ଏଆଇ ଷ୍ଟାକ୍ ମାଧ୍ୟମରେ ଏହିପରି ପ୍ରଭାବ ସମ୍ଭବ ହୋଇଛି, ଯାହା ଏଆଇ ଆପ୍ଲିକେସନ୍ଗୁଡ଼ିକୁ ପ୍ରଭାବଶାଳୀ ଭାବରେ ନିର୍ମାଣ, ନିୟୋଜିତ ଏବଂ ପରିଚାଳନା କରିବା ପାଇଁ ଆବଶ୍ୟକ ଉପକରଣ, ପ୍ରଣାଳୀ ଏବଂ ଭିତ୍ତିଭୂମିକୁ ଏକାଠି ଆଣିଥାଏ ।
ଏଆଇ ଷ୍ଟ୍ୟାକ୍: ପ୍ରୟୋଗ ଓ ବିସ୍ତାରର ସହଜ ଆଧାର
ଏଆଇ ଷ୍ଟାକ୍ କହିଲେ,ସେହି ଉପକରଣ ଓ ପ୍ରଣାଳୀଗୁଡ଼ିକର ସମାହାର ଯାହା ଏଆଇ ଆପ୍ଲିକେସନ୍ ନିର୍ମାଣ ଏବଂ ପରିଚାଳନା ପାଇଁ ଏକତ୍ର କାର୍ଯ୍ୟ କରିଥାଏ। ଏହି ଆପ୍ଲିକେସନ୍ଗୁଡ଼ିକ ଦୈନନ୍ଦିନ ଉପକରଣ ଯଥା ଭର୍ଚୁଆଲ୍ ଆସିଷ୍ଟାଣ୍ଟ (ସିରି ଏବଂ ଆଲେକ୍ସା), ନେଟଫ୍ଲିକ୍ସ ଏବଂ ସ୍ପଟିଫାଏ ପରି ପ୍ଲାଟଫର୍ମରେ ଆମର ଇଚ୍ଛା ବା କମାଣ୍ଡଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ନିଦାନ, ଆର୍ଥିକ ଜାଲିଆତି ଚିହ୍ନଟ ଏବଂ ପରିବହନରେ ବ୍ୟବହୃତ ଉନ୍ନତ ପ୍ରଣାଳୀ ପର୍ଯ୍ୟନ୍ତ ବିସ୍ତୃତ। ଏଆଇ ଷ୍ଟାକ୍ ହାର୍ଡୱେର୍, ସଫ୍ଟୱେର୍ ଏବଂ ପ୍ଲାଟଫର୍ମକୁ ଏକତ୍ର କରିଥାଏ ଯାହା ତଥ୍ୟ ସଂଗ୍ରହ କରିବା, ଏଆଇ ମଡେଲଗୁଡିକୁ ପ୍ରଶିକ୍ଷିତ କରିବା ଏବଂ ବାସ୍ତବ ଜୀବନରେ ସେଗୁଡିକ ବ୍ୟବହାର କରିବାରେ ସାହାଯ୍ୟ କରିଥାଏ, ଯାହା ଏଆଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୂଚାରୁରୂପେ କାର୍ଯ୍ୟ କରିବା ସୁନିଶ୍ଚିତ କରେ।
ଏଆଇ ଷ୍ଟାକ୍ ପାଞ୍ଚଟି ସ୍ତରରେ ଗଠିତ ହୋଇଥାଏ। ପ୍ରତିଟି ସ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଲୋକମାନେ ପ୍ରତିଦିନ ବ୍ୟବହାର କରୁଥିବା ଆପ୍ ଠାରୁ ଆରମ୍ଭ କରି ଏସବୁର ପଛରେ କାର୍ଯ୍ୟ କରୁଥିବା ତଥ୍ୟ, କମ୍ପ୍ୟୁଟିଂ ଶକ୍ତି, ନେଟୱାର୍କ ଏବଂ ଶକ୍ତି ପର୍ଯ୍ୟନ୍ତ, ଏଆଇ ଷ୍ଟାକ୍ କୃତ୍ରିମ ବୁଦ୍ଧିମତ୍ତାକୁ ବାସ୍ତବ ଦୁନିଆରେ କାର୍ଯ୍ୟକାରୀ କରାଏ। ଏକତ୍ରିତ ଭାବରେ, ଏହି ସ୍ତରଗୁଡ଼ିକ ନିଶ୍ଚିତ କରନ୍ତି ଯେ ଏଆଇ ସମାଧାନଗୁଡିକ ବ୍ୟାପକ, ନିର୍ଭରଯୋଗ୍ୟ ଭାବେ ବିଭିନ୍ନ ବର୍ଗର ଜନମାନସରେ ପ୍ରଭାବ ପକାଇବାକୁ ସକ୍ଷମ। ଆସନ୍ତୁ ନଜର ପକାଇବା ଏହି ୫ଟି ସ୍ତର ଓ ଏହାର ଉପଯୋଗୀତା ବାବଦରେ।
୧. ଆପ୍ଲିକେସନ୍ ସ୍ତର
ଆପ୍ଲିକେସନ୍ ସ୍ତର ଏଆଇ ଷ୍ଟାକ୍ର ବ୍ୟବହାରକାରୀ-ମୁହାଁ ଉପାଦାନକୁ ପ୍ରତିନିଧିତ୍ୱ କରେ। ଏଥିରେ ଏଆଇ-ସାମର୍ଥ୍ୟ ସମ୍ପନ୍ନ ଆପ୍ ଏବଂ ସେବା ଯଥା ସ୍ୱାସ୍ଥ୍ୟ ନିଦାନ ଉପକରଣ, କୃଷି ପରାମର୍ଶ ପ୍ଲାଟଫର୍ମ, ଚାଟବଟ୍ ଏବଂ ଭାଷା ଅନୁବାଦ ଆପ୍ଲିକେସନ୍ ପ୍ରଭୃତି ଅନ୍ତର୍ଭୁକ୍ତ। ଏହି ସ୍ତର, ଜଟିଳ ଏଆଇ ପ୍ରକ୍ରିୟାଗୁଡ଼ିକୁ ସରଳ, ବ୍ୟବହାରକାରୀ-ଅନୁକୂଳ ସେବାରେ ପରିଣତ କରେ ଯାହାକୁ ଲୋକମାନେ ସହଜରେ ବ୍ୟବହାର କରିପାରିବେ।
ଉଚ୍ଚ-ପ୍ରଭାବଶାଳୀ ଆପ୍ଲିକେସନ୍ ମାଧ୍ୟମରେ ଭାରତରେ ଏଆଇ ଗ୍ରହଣ:
● ଭାରତୀୟ ଷ୍ଟାର୍ଟଅପ୍ ଗୁଡିକ ସ୍ଥାନୀୟ ଭାଷା, ପ୍ରସଙ୍ଗ ଏବଂ କ୍ଷେତ୍ର-ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ଏଆଇ ଆପ୍ଲିକେସନ୍ ବିକଶିତ କରୁଛନ୍ତି, ଯାହା ଅର୍ଥନୀତିରେ ଏହାର ଗ୍ରହଣକୁ ତ୍ୱରାନ୍ୱିତ କରୁଛି।
● କୃଷି କ୍ଷେତ୍ରରେ, ଏଆଇ-ସାମର୍ଥ୍ୟ ସମ୍ପନ୍ନ ପରାମର୍ଶଦାତା ଉପକରଣଗୁଡ଼ିକ ବିହନ ବୁଣିବା ନିଷ୍ପତ୍ତି, ଶସ୍ୟ ଅମଳ ଏବଂ ଉପାଦାନ ଦକ୍ଷତାରେ ଉନ୍ନତି ଆଣୁଛି। ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟରେ ଏହାର ବ୍ୟବହାର ଦ୍ୱାରା ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି ଘଟିଛି।
● ସ୍ୱାସ୍ଥ୍ୟସେବାରେ, ଏଆଇ ଆପ୍ଲିକେସନ୍ ଯକ୍ଷ୍ମା, କର୍କଟ, ସ୍ନାୟୁଗତ ରୋଗ ଏବଂ ଅନ୍ୟାନ୍ୟ ସମସ୍ୟାକୁ ଶୀଘ୍ର ଚିହ୍ନଟ କରିବାରେ ସକ୍ଷମ ହେଉଛି।
● ଶିକ୍ଷାରେ, ଜାତୀୟ ଶିକ୍ଷା ନୀତି ୨୦୨୦ ସିବିଏସ୍ଇ ପାଠ୍ୟକ୍ରମ, ଦୀକ୍ଷା ପ୍ଲାଟଫର୍ମ ଏବଂ ୟୁବା ଏଆଇ ଭଳି ପଦକ୍ଷେପ ମାଧ୍ୟମରେ ଏଆଇ ଶିକ୍ଷାକୁ ଏକୀକୃତ କରୁଛି।
● ନ୍ୟାୟ ପ୍ରଦାନରେ, ଇ କୋର୍ଟସ ଫେଜ୍-୩ ଅନୁବାଦ, ମାମଲା ପରିଚାଳନା, ସିଡ୍ୟୁଲିଂ ଏବଂ ନାଗରିକ ସେବା ପାଇଁ ଏଆଇ ଏବଂ ଏମ୍ଏଲ୍ ବ୍ୟବହାର କରୁଛି।
● ପାଣିପାଗ ଏବଂ ବିପର୍ଯ୍ୟୟ ପରିଚାଳନାରେ, ଆଇଏମ୍ଡି ବର୍ଷା, ବାତ୍ୟା, କୁହୁଡ଼ି, ବଜ୍ରପାତ ଏବଂ ଅଗ୍ନିକାଣ୍ଡର ଉନ୍ନତ ପୂର୍ବାନୁମାନ ପାଇଁ ଏଆଇ ବ୍ୟବହାର କରୁଛି, ଯେଉଁଥିରେ ‘ମୌସମ ଜିପିଟି’ ଭଳି ଉପକରଣ ଚାଷୀମାନଙ୍କୁ ସାହାଯ୍ୟ କରୁଛି।
ପ୍ରକୃତରେ, ଆପ୍ଲିକେସନ୍ ସ୍ତର ହେଉଛି ସେହି ପରିବେଶ ଯେଉଁଠାରେ ଏଆଇ ଉନ୍ନତ ସାମର୍ଥ୍ୟକୁ ସୁଲଭ ସେବାରେ ପରିଣତ କରି ପ୍ରକୃତ ମୂଲ୍ୟ ପ୍ରଦାନ କରେ। ଯେତେବେଳେ ପ୍ରାଥମିକ କ୍ଷେତ୍ରଗୁଡିକରେ ବ୍ୟାପକ ଭାବରେ ନିୟୋଜିତ ହୁଏ, ଏହା ଏଆଇକୁ ପରୀକ୍ଷଣରୁ ଆଗକୁ ନେଇ ଦୈନନ୍ଦିନ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନର ଏକ ଅଂଶ କରିଥାଏ। ଏହି ବ୍ୟାପକ ଗ୍ରହଣ ହିଁ ଶେଷରେ ଏଆଇର ସାମାଜିକ ଏବଂ ଅର୍ଥନୈତିକ ପ୍ରଭାବ ନିର୍ଦ୍ଧାରଣ କରେ।
ଏଆଇ ଆପ୍ଲିକେସନ୍ ଗ୍ରହଣରେ ସାଧାରଣ ଧାରା:
ଇଣ୍ଟରନେଟ୍ ଏବଂ ମୋବାଇଲ୍ ଟେକ୍ନୋଲୋଜି ପରି ଏଆଇ ମଧ୍ୟ ରୂପାନ୍ତରଣକାରୀ ପ୍ରଭାବ ପକାଇଥାଏ ଯେତେବେଳେ ଆପ୍ଲିକେସନ୍ ଗୁଡିକୁ ବ୍ୟାପକ ଭାବରେ ଗ୍ରହଣ କରାଯାଏ। ଭାରତ ଏକ “ଏଆଇ ବିସ୍ତାର” ରଣନୀତି ଅନୁସରଣ କରୁଛି। ଦେଶସାରା ଏଆଇ-ସକ୍ଷମ ଆପ୍ଲିକେସନ୍ ଚାଷୀଙ୍କୁ ସୂଚନାଭିତ୍ତିକ ନିଷ୍ପତ୍ତି ନେବାରେ, ଡାକ୍ତରଙ୍କୁ ଶୀଘ୍ର ରୋଗ ନିରୂପଣରେ ଏବଂ ସରକାରୀ ସେବା ପ୍ରଦାନର ଦକ୍ଷତା ବଢାଇବାରେ ସାହାଯ୍ୟ କରୁଛି।
୨. ଏଆଇ ମଡେଲ୍ ସ୍ତର
ଏହି ସ୍ତରକୁ ଏଆଇ ପ୍ରଣାଳୀର ‘ମସ୍ତିଷ୍କ’ ଭାବରେ ଗ୍ରହଣ କରାଯାଏ। ଏଆଇ ମଡେଲଗୁଡିକ ପ୍ୟାଟର୍ଣ୍ଣ ଚିହ୍ନିବା, ପୂର୍ବାନୁମାନ କରିବା ଏବଂ ନିଷ୍ପତ୍ତି ନେବା ପାଇଁ ତଥ୍ୟ ଉପରେ ପ୍ରଶିକ୍ଷିତ ହୁଅନ୍ତି। ଉଦାହରଣ ସ୍ୱରୂପ, ସେଗୁଡିକ ଏକ୍ସ-ରେ ରୁ ରୋଗ ଚିହ୍ନଟ କରିବା, ଶସ୍ୟ ଅମଳର ପୂର୍ବାନୁମାନ କରିବା, ଭାଷା ଅନୁବାଦ କରିବା କିମ୍ବା ଚାଟବଟ୍ ମାଧ୍ୟମରେ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରନ୍ତି। ଏହି ମଡେଲଗୁଡିକ ଆପ୍ଲିକେସନ୍ଗୁଡ଼ିକୁ ବୁଦ୍ଧିମତ୍ତା ପ୍ରଦାନ କରନ୍ତି।
ଭାରତରେ ଏଆଇ ମଡେଲ୍ ସ୍ତରର ବିକାଶ:
● ଇଣ୍ଡିଆ ଏଆଇ ମିଶନ ଅଧୀନରେ ଭାରତ-ନିର୍ଦ୍ଦିଷ୍ଟ ବ୍ୟବହାର ଉଦ୍ଦେଶ୍ୟରେ ୧୨ଟି ସ୍ୱଦେଶୀ ଏଆଇ ମଡେଲ୍ ବିକଶିତ କରାଯାଉଛି।
● ସ୍ୱତନ୍ତ୍ର ମଡେଲ୍ ବିକାଶକୁ ସମର୍ଥନ କରିବା ପାଇଁ, ଷ୍ଟାର୍ଟଅପ୍ ଗୁଡିକୁ ରିହାତି ମୂଲ୍ୟରେ କମ୍ପ୍ୟୁଟ୍ ସେବା ପ୍ରଦାନ କରାଯାଉଛି।
● ଭାରତ ଜେନ ଭାରତ-କେନ୍ଦ୍ରିକ ଫାଉଣ୍ଡେସନ୍ ଏବଂ ମଲ୍ଟିମୋଡାଲ୍ ମଡେଲ୍ ବିକାଶ କରୁଛି।
● ଇଣ୍ଡିଆ ଏଆଇ କୋଷ ଡାଟାସେଟ୍, ମଡେଲ୍ ଏବଂ ଉପକରଣଗୁଡ଼ିକ ପାଇଁ ଏକ ଜାତୀୟ ଭଣ୍ଡାର ଭାବରେ କାର୍ଯ୍ୟ କରେ; ଡିସେମ୍ବର ୨୦୨୫ ସୁଦ୍ଧା ଏଥିରେ ୫,୭୨୨ ଟି ଡାଟାସେଟ୍ ଏବଂ ୨୫୧ ଟି ଏଆଇ ମଡେଲ୍ ରହିଛି।
● ଭାରତୀୟ ଷ୍ଟାର୍ଟଅପ୍ ଗୁଡିକ ଭାରତୀୟ ଭାଷା ଏବଂ ସ୍ୱାସ୍ଥ୍ୟସେବା ଆବଶ୍ୟକତା ସହିତ ଜଡିତ ମଡେଲ୍ ତିଆରି କରୁଛନ୍ତି, ଯଥା:
o ସର୍ବମ ଏଆଇ ଭାରତୀୟ ଭାଷା ପାଇଁ ବୃହତ ଭାଷା ଏବଂ ସ୍ୱର ମଡେଲ୍ ବିକାଶ କରୁଛି।
o ଭାସିନୀ ଅଧୀନରେ ୩୫୦+ ଏଆଇ ମଡେଲ୍ ରହିଛି ଯାହା ସ୍ୱର ଚିହ୍ନଟ, ଅନୁବାଦ ଏବଂ ଭାଷା ଚିହ୍ନଟ କାର୍ଯ୍ୟ କରୁଛି।
ଏଆଇ ମଡେଲ୍ ଗ୍ରହଣରେ ସାଧାରଣ ଧାରା: ପୂର୍ବରୁ ଏଆଇ ମଡେଲ୍ର ଅଗ୍ରଗତି କେବଳ କିଛି ବଡ଼ କମ୍ପାନୀଙ୍କ ପାଖରେ ସୀମିତ ଥିଲା, କିନ୍ତୁ ଓପନ୍-ସୋର୍ସ ମଡେଲ୍ ଆସିବା ପରେ ଏହା ସୁଲଭ ହୋଇଛି। ଭାରତ ଏକ ସାର୍ବଭୌମ ଏବଂ ଅନ୍ତର୍ଭୁକ୍ତ ଏଆଇ ମଡେଲ୍ ଇକୋସିଷ୍ଟମ୍ ବିକଶିତ କରୁଛି ଯାହା ଜାତୀୟ ପ୍ରାଥମିକତା ଏବଂ ଜନସଂଖ୍ୟା-ସ୍ତରୀୟ ଆବଶ୍ୟକତା ଉପରେ ଧ୍ୟାନ ଦେଇଥାଏ।
୩. କମ୍ପ୍ୟୁଟ୍ ସ୍ତର
ଏହା ଏଆଇର ‘ମାଂସପେଶୀ’; ଏହା ଏଆଇ ମଡେଲଗୁଡିକୁ ପ୍ରଶିକ୍ଷିତ କରିବା ଏବଂ ଚଳାଇବା ପାଇଁ ଆବଶ୍ୟକ କମ୍ପ୍ୟୁଟିଂ ଶକ୍ତି ପ୍ରଦାନ କରେ। ଏନ୍ଭିଡିଆର ବ୍ଲାକଓ୍ୱେଲ ଜିପିୟୁ , ଗୁଗଲରର ଟିପିୟୁ ଏବଂ ଏନ୍ପିୟୁ ପରି ଉନ୍ନତ ପ୍ରକ୍ରିୟାକରଣ ଚିପ୍ସରୁ ଏପରି ଶକ୍ତ ମିଳିଥାଏ ।
ଭାରତରେ କମ୍ପ୍ୟୁଟ୍ କ୍ଷମତା ଏବଂ ଏଆଇ ଭିତ୍ତିଭୂମି:
● ଇଣ୍ଡିଆ ଏଆଇ ମିଶନ ପାଇଁ ପାଞ୍ଚ ବର୍ଷ ମଧ୍ୟରେ ୧୦,୩୦୦ କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି।
● ଇଣ୍ଡିଆଏଆଇ କମ୍ପ୍ୟୁଟ ପୋର୍ଟାଲ୍ କ୍ଲାଉଡ୍-ଆଧାରିତ ସେବା ମାଧ୍ୟମରେ ୩୮,୦୦୦ ଜିପିୟୁ ଏବଂ ୧,୦୫୦ ଟିପିୟୁକୁ ରିହାତି ଦରରେ (୧୦୦ ଟଙ୍କାରୁ କମ୍) ଷ୍ଟାର୍ଟଅପ୍ ଗୁଡିକୁ ଉପଲବ୍ଧ କରାଉଛି।
● ସ୍ୱତନ୍ତ୍ର ଏଆଇ ଆପ୍ଲିକେସନ୍ ପାଇଁ ୩,୦୦୦ ଅତ୍ୟାଧୁନିକ ଜିପିୟୁ ସହିତ ଏକ ସୁରକ୍ଷିତ ଜାତୀୟ ଜିପିୟୁ କ୍ଲଷ୍ଟର ସ୍ଥାପନ କରାଯାଉଛି।
● ୭୬,୦୦୦ କୋଟି ଟଙ୍କା ବ୍ୟୟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି।
● ଶକ୍ତି ଏବଂ ଭେଗା ପରି ସ୍ୱଦେଶୀ ଚିପ୍ ପ୍ରୋସେସର୍ ଭାରତର ହାର୍ଡୱେର୍ କ୍ଷମତାକୁ ଶକ୍ତିଶାଳୀ କରୁଛି।
● ନ୍ୟାସନାଲ ସୁପରକମ୍ପ୍ୟୁଟିଂ ମିଶନ ଆଇଆଇଟି ଏବଂ ଆଇସର ଗୁଡିକରେ ୪୦ ପେଟାଫ୍ଲପ୍ସରୁ ଅଧିକ କମ୍ପ୍ୟୁଟିଂ କ୍ଷମତା ମୁତୟନ କରିଛି।
● ପରମ-ସିଦ୍ଧି-ଏଆଇ ଏବଂ ଏଆଇ ରାଓ୍ୱତ ପରି ସିଷ୍ଟମଗୁଡିକ ପାଣିପାଗ ପୂର୍ବାନୁମାନ ଏବଂ ଔଷଧ ସନ୍ଧାନ ପାଇଁ ସୁପରକମ୍ପ୍ୟୁଟିଂ ପ୍ରଦାନ କରୁଛନ୍ତି।
ଏଆଇ କମ୍ପ୍ୟୁଟ୍ ଗ୍ରହଣରେ ସାଧାରଣ ଧାରା: ଉଚ୍ଚମାନର ଏଆଇ କମ୍ପ୍ୟୁଟ୍ ବହୁତ ମହଙ୍ଗା, କିନ୍ତୁ ଭାରତ ସରକାର ସହାୟତାପ୍ରାପ୍ତ କ୍ଲାଉଡ୍ ଭିତ୍ତିଭୂମି ମାଧ୍ୟମରେ ଏହାକୁ ସୁଲଭ କରୁଛନ୍ତି। ଇଣ୍ଡିଆ ଏଆଇ କମ୍ପ୍ୟୁଟ ପୋର୍ଟାଲ ମାଧ୍ୟମରେ ବିଶ୍ୱସ୍ତରୀୟ ଦର ଯାହା ଘଣ୍ଟା ପ୍ରତି ୨୦୦ ଟଙ୍କାରୁ ଅଧିକ ରହିଛି ଏହାର ଅଧା ଦାମ ୧୦୦ ଟଙ୍କାରୁ କମ୍ ଦରରେ ଜିପିୟୁ ସେବା ମିଳୁଛି।
୪. ଡାଟା ସେଣ୍ଟର ଏବଂ ନେଟୱାର୍କ ଭିତ୍ତିଭୂମି ସ୍ତର:
ଏହି ସ୍ତର ଏଆଇର ‘ଘର ଏବଂ ରାଜପଥ’ ଗଠନ କରେ। ଡାଟା ସେଣ୍ଟରଗୁଡିକରେ ଏଆଇ ପ୍ରଣାଳୀ ସଂରକ୍ଷିତ ଏବଂ ପରିଚାଳିତ ହୁଏ, ଏବଂ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ ତଥା ୫ଜି ଭଳି ନେଟୱାର୍କ ତଥ୍ୟ ସ୍ଥାନାନ୍ତର କରେ।
● ଦେଶବ୍ୟାପୀ ଅପ୍ଟିକାଲ୍ ଫାଇବର ନେଟୱାର୍କ କ୍ଲାଉଡ୍ ଏବଂ ଏଆଇ ସେବା ପାଇଁ ହାଇ-ସ୍ପିଡ୍ ଡାଟା ସ୍ଥାନାନ୍ତରକୁ ସମର୍ଥନ କରେ।
● ଦେଶର ୯୯.୯ ପ୍ରତିଶତ ଜିଲ୍ଲାରେ ୫-ଜି ସେବା ଉପଲବ୍ଧ ଏବଂ ୮୫ ପ୍ରତିଶତ ଜନସଂଖ୍ୟା ଏହାର ଅଧୀନରେ ଅଛନ୍ତି।
● ଭାରତରେ ପ୍ରାୟ ୯୬୦ ମେଗାଓ୍ୱାଟକ୍ଷମତା ବିଶିଷ୍ଟ ଡାଟା ସେଣ୍ଟର ରହିଛି, ଯାହା ୨୦୩୦ ସୁଦ୍ଧା ୯.୨ ଗିଗାଓ୍ୱାଟକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
● ମୁମ୍ବାଇ-ନଭି ମୁମ୍ବାଇ ହେଉଛି ଭାରତର ବୃହତ୍ତମ ଡାଟା ସେଣ୍ଟର ହବ୍, ଯାହା ଦେଶର ମୋଟ ଡାଟା ସେଣ୍ଟର କ୍ଷମତାର ୨୫ ପ୍ରତିଶତରୁ ଅଧିକ ଅଟେ। ଅନ୍ୟାନ୍ୟ ପ୍ରମୁଖ ଡାଟା ସେଣ୍ଟର ହବ୍ ମଧ୍ୟରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ ଏନସିଆର, ପୁଣେ ଏବଂ କୋଲକାତା ଅନ୍ତର୍ଭୁକ୍ତ।
● ବିଶ୍ୱର ବଡ଼ ବଡ଼ କମ୍ପାନୀ ଯଥା ମାଇକ୍ରୋସଫ୍ଟ (୧.୫ ଲକ୍ଷ କୋଟି ଟଙ୍କା), ଆମାଜନ (୨.୯ ଲକ୍ଷ କୋଟି ଟଙ୍କା) ଏବଂ ଗୁଗଲ (୧.୨୫ ଲକ୍ଷ କୋଟି ଟଙ୍କା) ଭାରତରେ ନିବେଶ କରୁଛନ୍ତି।
ଡାଟା ସେଣ୍ଟର ଏବଂ ନେଟୱାର୍କ ଭିତ୍ତିଭୂମି ସ୍ତର ମୌଳିକ ମେରୁଦଣ୍ଡ ପ୍ରଦାନ କରେ ଯାହା ଏଆଇ ସିଷ୍ଟମଗୁଡ଼ିକୁ ସ୍କେଲ୍ ଏବଂ ରିଅଲ୍ ଟାଇମ୍ରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ। ସଂଯୋଗକୁ ସୁଦୃଢ଼ କରି ଏବଂ ଘରୋଇ ଡାଟା ସେଣ୍ଟର କ୍ଷମତାକୁ ବିସ୍ତାର କରି, ଭାରତ ନିଶ୍ଚିତ କରୁଛି ଯେ ଏଆଇ ସେବାଗୁଡ଼ିକ ନିର୍ଭରଯୋଗ୍ୟ, ଶୀଘ୍ର ପ୍ରତିକ୍ରିୟାଶୀଳ ଏବଂ ବ୍ୟାପକ ଭାବରେ ଉପଲବ୍ଧ ହେବ। ଏହି ସମନ୍ୱିତ ପଦ୍ଧତି ବିଭିନ୍ନ କ୍ଷେତ୍ରଗୁଡ଼ିକରେ ସୁରକ୍ଷିତ ଏବଂ ସ୍କେଲେବଲ୍ ଏଆଇ ନିୟୋଜନକୁ ସମର୍ଥନ କରେ, ସହିତ ଜାତୀୟ ଇକୋସିଷ୍ଟମ୍ ମଧ୍ୟରେ ଡିଜିଟାଲ୍ କ୍ଷମତାଗୁଡ଼ିକୁ ଦୃଢ଼ ଭାବରେ ପ୍ରତିଷ୍ଠା କରେ।
୫. ଶକ୍ତି ସ୍ତର:
ଏହି ସ୍ତର ସମଗ୍ର ଏଆଇ ଷ୍ଟାକ୍କୁ ଚାଲୁ ରଖିଥାଏ। ଏଆଇ ଡାଟା ସେଣ୍ଟରଗୁଡିକ ପ୍ରଚୁର ବିଦ୍ୟୁତ୍ ବ୍ୟବହାର କରନ୍ତି। ସ୍ୱଚ୍ଛ ଏବଂ ସୁଲଭ ଶକ୍ତି ଏଆଇ ଭିତ୍ତିଭୂମିର ସ୍ଥାୟୀ ବିକାଶ ପାଇଁ ଅପରିହାର୍ଯ୍ୟ।
● ଭାରତ ୨୦୨୫-୨୬ ଆର୍ଥିକ ବର୍ଷରେ ୨୪୨.୪୯ ଗିଗାଓ୍ୱାଟର ସର୍ବାଧିକ ଶକ୍ତି ଚାହିଦା ପୂରଣ କରିଛି। ଏହା ସହ ଜାତୀୟ ଶକ୍ତି ନିଅଣ୍ଟକୁ ମାତ୍ର ୦.୦୩ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ଦ୍ୱାରା ଏଆଇ ଡାଟା ସେଣ୍ଟର ଏବଂ ଉଚ୍ଚ-କାର୍ଯ୍ୟକ୍ଷମ କମ୍ପ୍ୟୁଟିଂ ସୁବିଧା ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇଥିଲା।
● ମୋଟ ସ୍ଥାପିତ ବିଦ୍ୟୁତ୍ କ୍ଷମତା ୫୦୯.୭ ଗିଗାଓ୍ୱାଟରେ ପହଞ୍ଚିଛି, ଯାହା ଶକ୍ତି-ସଘନ ଏଆଇ କାର୍ଯ୍ୟଭାରକୁ ସମର୍ଥନ କରିବା ପାଇଁ ଆବଶ୍ୟକ ପରିମାଣ ପ୍ରଦାନ କରୁଛି (ନଭେମ୍ବର ୨୦୨୫ସୁଦ୍ଧା)।
● ଅଣ-ଜୀବାଶ୍ମ ଜାଳେଣି ଉତ୍ସରୁ ୫୧ ପ୍ରତିଶତରୁ ଅଧିକ (୨୫୬.୦୯ ଗିଗାଓ୍ୱାଟ) ଶକ୍ତି ମିଳୁଛି।
● ଭାରତ ୨୦୩୧-୩୨ ସୁଦ୍ଧା ୫୭ ଗିଗାଓ୍ୱାଟ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ ଏବଂ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ ଯୋଜନା କରୁଛି।
● ଶାନ୍ତି ଆଇନ ପରମାଣୁ ଶକ୍ତିକୁ ଏଆଇ ଏବଂ ଡାଟା ସେଣ୍ଟର ପାଇଁ ଏକ ସ୍ଥିର ଏବଂ ସ୍ୱଚ୍ଛ ଶକ୍ତି ଉତ୍ସ ଭାବରେ ସ୍ଥାପିତ କରୁଛି।
ଏଆଇ ଏବଂ ଶକ୍ତି ଚାହିଦାରେ ସାଧାରଣ ଧାରା: ବିଶ୍ୱସ୍ତରରେ ଏଆଇ କାରଣରୁ ବିଦ୍ୟୁତ୍ ଚାହିଦା ୨୦୩୦ ସୁଦ୍ଧା ଦ୍ୱିଗୁଣିତ ହେବାକୁ ଯାଉଛି। ଭାରତ ତାହାର ସ୍ୱଚ୍ଛ ଏବଂ ସୁରକ୍ଷିତ ଶକ୍ତି କ୍ଷମତା ବଢାଇ ଏହି ଚାହିଦା ପୂରଣ କରିବାକୁ ପ୍ରସ୍ତୁତ ଅଛି।
ଏକ ଦୃଢ଼ ଏଆଇ ଷ୍ଟାକ୍ ନିର୍ମାଣ କରିବା ଭାରତ ପାଇଁ ଏକ ବୈଷୟିକ ପ୍ରାଥମିକତା ଏବଂ ସାମାଜିକ ପ୍ରତିବଦ୍ଧତା। ଆପ୍ଲିକେସନ୍, ଏଆଇ ମଡେଲ୍, କମ୍ପ୍ୟୁଟ୍, ଡିଜିଟାଲ୍ ଭିତ୍ତିଭୂମି ଏବଂ ଶକ୍ତି ପରି ପ୍ରତ୍ୟେକ ସ୍ତରକୁ ଶକ୍ତିଶାଳୀ କରି ଭାରତ ଏଆଇର ଗଣତାନ୍ତ୍ରିକରଣ କରୁଛି ଏବଂ ଏହାର ସୁଫଳ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଉଛି। କୃଷି, ସ୍ୱାସ୍ଥ୍ୟସେବା, ଶିକ୍ଷା, ନ୍ୟାୟ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏଆଇର ବ୍ୟବହାର ଦର୍ଶାଉଛି ଯେ ଏହା କିପରି ସରକାରୀ ସେବା ଏବଂ ଜନକଲ୍ୟାଣରେ ସିଧାସଳଖ ଉନ୍ନତି ଆଣିପାରିବ।
‘ମାନବିକତା ପାଇଁ ଏଆଇ’ର ଏହି ଦୂରଦୃଷ୍ଟି ଉପରେ ଆଧାରିତ ଭାରତର ଏଆଇ ଷ୍ଟାକ୍ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ ବିକାଶ, ସାମାଜିକ ସମାନତା ଏବଂ ସମସ୍ତଙ୍କ ମଙ୍ଗଳ ପାଇଁ ଏକ ମାଧ୍ୟମ ଭାବରେ ପ୍ରତିଷ୍ଠିତ କରୁଛି ।

Leave A Reply

Your email address will not be published.