ମଧ୍ୟାହ୍ନ ଭୋଜନ ଖାଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା : ଡେଙ୍ଗପଦର ଗ୍ରାମରେ ସ୍ଥିତି ଅନୁଧ୍ୟାନ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଅଧିକ ଛାତ୍ରଛାତ୍ରୀ ଗତ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ ପାଚିକା ଲୁଣ ପକାଇବା ବଦଳରେ ସର୍ଫ (ଡିଟରଜେଣ୍ଟ) ପାଉଡର ପକାଇ ଦେଇଥିବା ଅଭିଯୋଗ ହୋଇଥିଲା । ଟିଟିଲାଗଡ ମେଡିକାଲରେ ଭର୍ତ୍ତି ହୋଇଥିବା ସମସ୍ତ ଗୁରୁତର ଛାତ୍ରଛାତ୍ରୀ ସୁସ୍ଥ ହେବା ପରେ ରବିବାର ଦିନ ସମସ୍ତଙ୍କୁ ଡିସଚାର୍ଜ କରି ଦିଆ ଯାଇଥିଲା । ରବିବାର ଅପରାହ୍ନରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଗାଁକୁ ପହଞ୍ଚି ମେଡ଼ିକାଲରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଗ୍ରାମବାସୀ ବିଧାୟକଙ୍କୁ ଶନିବାର ଦିନ ଘଟିଥିବା ଘଟଣା ସମ୍ପର୍କରେ ଅବଗତ କରିବା ସହ ଏଥିପାଇଁ ଦାୟୀ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବଦଳି ଓ ପାଚିକାମାନଙ୍କୁ ବହିଷ୍କାର ଦାବୀ କରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀ ଆଜି ସ୍କୁଲରେ ତାଲା ଦେବାକୁ ଚେତାବନୀ ଦେଇଛନ୍ତି । ବିଧାୟକ ଶ୍ରୀ ବାଗ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସ୍କୁଲରେ ତାଲା ଦେବାକୁ ନେଇ ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ଦାବୀକୁ ନେଇ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଗତ ଶନିବାର ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀର ମୋଟ ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୫ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ । ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ୭୦ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଏ ସମ୍ପର୍କରେ ଡେଙ୍ଗପଦର ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ମହାଡିକଙ୍କୁ ପଚାରିବାରୁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବା ପରେ ପାଚିକାଙ୍କୁ ପଚାରିବାରୁ ସେ ଅଣ୍ଡା ତରକାରୀରେ ଲୁଣ ବଦଳରେ ସର୍ଫ ପାଉଡର ପକାଇ ଦେଇଥିବା ସ୍ୱୀକାର କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଫଳରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା ।