ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୃଜନୀ ପରିବାର, ଚେହ୍ନାଇ ଆନୁକୁଲ୍ୟରେ ଓଡିା ସଂସ୍କୃତିର ପ୍ରତିବଦ୍ଧତାଧର୍ମୀ ବିଶେଷଜ୍ଞ, ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କୁ ସମର୍ପିତ ସମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ “ପ୍ରଣମାମୀ ପ୍ରଣମ୍ୟ ପୂର୍ଣ୍ଣଚନ୍ଦ୍ର” ଦେଶ ତଥା ବିଦେଶର ବହୁ ବରେଣ୍ୟ ଅତିଥି ତଥା ଆଲୋଚକଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଚଳଚ୍ଚିତ୍ର ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସଭାର ଉଦ୍ଘାଟନ ରୂପେ ଯୋଗ ଦେଇ ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ନେତୃତ୍ୱରେ ସ୍ୱାଧୀନତାର ପୂର୍ବ ଓ ପରବର୍ତ୍ତୀ ସମୟରେ ଅବିଭକ୍ତ ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଗଢି ଉଠିଥିବା ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଆନ୍ଦୋଳନ ସମୁହର ଏକ ବିଶ୍ଲେଷଣାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ସୁବର୍ଣ୍ଣପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ସନ୍ତୋଷ ପାଢୀ ବରେଣ୍ୟ ମୁଖ୍ୟ ଅତିଥି ଏବଂ ଡିଏଭିି କଲେଜ ଟିଟିଲାଗଡର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ଶିବ ପ୍ରସାଦ ବେହେରା ବରେଣ୍ୟ ମୁଖ୍ୟବକ୍ତା ରୂପେ ସଭାରେ ଯୋଗ ଦେଇ ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥ ମାତ୍ର ୪୩ ବର୍ଷ ର ଜୀବନକାଳ ମଧ୍ୟରେ ଓଡିଶା ସ୍ୱାଧୀନତାର ପୂର୍ବ ଓ ପରବର୍ତ୍ତୀ ସମୟର ସମସ୍ତ ପରିସ୍ଥିତିର ମୁକାବିଲା କରିବା ସହ ସମ୍ପୁର୍ଣ୍ଣ ଜନଗଣଙ୍କ ଉନ୍ନତି କଳ୍ପେ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାମାଜିକ କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବଲାଙ୍ଗିରର ରାଜେନ୍ଦ୍ର କଲେଜ ସ୍ଥାପନ, ଆୟୁର୍ବେଦ ଚିକିତ୍ସାଳୟ ସ୍ଥାପନ ତଥା ରାଜ୍ୟର ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ପ୍ରଚେଷ୍ଟାକୁ ଉଭୟ ବକ୍ତା ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ । ଉକ୍ତ ଆଭାସୀ ସଭାରେ ବରେଣ୍ୟ ଅତିଥି ତଥା ଆଲୋଚକ ବୃନ୍ଦ ଭାବରେ ସୁବର୍ଣ୍ଣପୁର ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ସୁଦାମ ଦିପ, ଐତିହାସିକ ତଥା ଦର୍ଶନଶାସ୍ତ୍ରବିତ ସାଲେଗ୍ରାମ ହୋତା, ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସାନପୁଅ ଧର୍ମବ୍ରତ ରଥ ଓ ବଡ ନାତୁଣୀ ଡକ୍ଟର ସଙ୍ଗୀତା ରଥ ଆଦି ଯୋଗ ଦେଇ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ବିଭିନ୍ନ କ୍ଷେତ୍ରରେ ଅବଦାନ ଓ କୃତ୍ତି ପ୍ରସଙ୍ଗରେ ଆଲୋକପାତ କରିଥିଲେ । ସ୍ୱର୍ଗତ ରଥଙ୍କ ବହୁ ଉଲ୍ଲେଖନୀୟ କାର୍ଯ୍ୟ ପ୍ରସଙ୍ଗରେ ସମସ୍ତ ଆଲୋଚକ ବୃନ୍ଦ ଆଲୋଚନା କରିବା ସହ ମହାନ ଆତ୍ମାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଉକ୍ତ ଆଭାସୀ ସଭାରେ ସ୍ୱର୍ଗତ ରଥ ମହୋଦୟଙ୍କ ସମସ୍ତ ପରିବାର ବର୍ଗ ଓ ଅନ୍ୟାନ୍ୟ ବନ୍ଧୁ ଆଦି ଉପସ୍ଥିତ ରହି ଦିବଂଗତ ରଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୃଜନୀ ପରିବାର ସଂପାଦକ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୃଜନୀ ପରିବାର ମୁଖ୍ୟ ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର (ଆଇଏଫ୍ଏସ୍ ଅବସରପ୍ରାପ୍ତ), ଉପଦେଷ୍ଟା ଗୋଦାବରୀଶ ମିଶ୍ର ଏବଂ ଉପଦେଷ୍ଟା ତଥା ସାହିତ୍ୟ ସାଧିକା ଡ. ବାସନ୍ତୀ ମହାନ୍ତିଙ୍କ ସହ ସୁଦୁର ଆମେରିକାରେ ଅବସ୍ଥାପିତ କରୁଥିବା ସୃଜନୀ ପରିବାରର ସଦସ୍ୟ ସମେତ ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲେ । ସୃଜନୀ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ.କୈବଲ୍ୟ ମିଶ୍ର, ଆକାଶବାଣୀ ଭବାନୀପାଟଣାର ଉଦ୍ଘୋଷିକା ସୁମତି ମୁଣ୍ଡଙ୍କ ଉପସ୍ଥାପନା ସହ ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ସିନ୍ଧରୀଆଙ୍କ ସଂଗୀତ ପରିବେଷଣରେ ସଭା ସଂଗୀତମୟ କରିବା ସହ ସମସ୍ତ ବିକ୍ତିତ୍ୱ ସ୍ୱର୍ଗତ ରଥ ମହୋଦୟଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସୃଜନୀର ସମ୍ପାଦକ ଅଶୋକ ସାମନ୍ତଙ୍କ ଧନ୍ୟବାଦାର୍ପଣ ବକ୍ତବ୍ୟରେ ଐତିହାସିକ ସ୍ୱର୍ଗତ ରଥ ଙ୍କ ଅବର୍ତ୍ତମାନରେ ଆମେ କିପରି ତାଙ୍କୁ ଯଶୋଦେହରେ ବଂଚେଇ ରଖି ପାରିବ ଏହା ମତ ସହ ସଭା ସାଙ୍ଗ ହୋଇଥିଲା ।

Next Post