
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆପକ୍ଷ ପାଳନ ଅବସରରେ ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ସାମୂହିକ ଗାନ କରି ଜାତିର ମମତା ଓ ଅସ୍ମିତାକୁ ଉତ୍କର୍ଷତା ପ୍ରତିପାଦନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମଞ୍ଜୁଳା ତ୍ରିପାଠୀଙ୍କ ଦ୍ଵାରା ରଚିତ ନାତି ନାତୁଣୀଙ୍କ ପାଇଁ “କିଛି ଗୀତ କିଛି ଗପ” ଏଵଂ ତ୍ରୈମାସିକ ଶିଶୁ ସାହିତ୍ୟ ପତ୍ରିକା “ଆମ ଶିଶୁ ମାନସ” ଆଦି ସାହିତ୍ୟ କୃତୀ ସମ୍ବଳିତ ପୁସ୍ତିକା ଅତିଥି ମାନଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି । ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତୀକୃତୀରେ ମାଲ୍ୟାର୍ପଣ, ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବା ସାଂଗକୁ ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱରଚିତ କବିତା ପାଠ ଆଦି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଦେବାଶିଷ ମିଶ୍ର, ମୁଖ୍ୟବକ୍ତା ଭାବେ ସାମ୍ବାଦିକତା ଓ ଗଣମାଧ୍ୟମ ବ୍ୟକ୍ତିତ୍ଵ ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ସମ୍ମାନୀତ ଅତିଥିଭାବେ କବି ସୁଶାନ୍ତ ଦାସ୍, ସାହିତ୍ୟ ଅନୁରାଗୀ ଦୀପ୍ତି ମିତା ମହାପାତ୍ର, ସାହିତ୍ୟିକ ଗୌର ଚନ୍ଦ୍ର ଷଡ଼ଙ୍ଗୀ, ଉଦ୍ୟକ୍ତା ନିରଞ୍ଜନ ତ୍ରିପାଠୀ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଡ଼ଃ. ରାଜେନ୍ଦ୍ର ଦାସ୍, ବରିଷ୍ଠ ଆଇନଜ୍ଞ ଗୋକୁଳ ଚନ୍ଦ୍ର ପଣ୍ଡା, ଆଦିକନ୍ଦ ପାଣିଗ୍ରାହୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଯୋଗଦେଇ ଏହି ସାରସ୍ୱତ ସମାରୋହରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରିବା ସାଂଗକୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବିହିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସ୍ୱରଚିତ କବିତା ପାଠ କାର୍ଯ୍ୟକ୍ରମକୁ ବରିଷ୍ଠ ପ୍ରଧାନଶିକ୍ଷୟିତ୍ରୀ ରୀତା ରଥ ସଂଯୋଜନା କରିଥିଲେ । ବୟୋଜ୍ୟେଷ୍ଠ କବୟିତ୍ରୀ ଶୈଳବାଳା ପାଣିଗ୍ରାହୀଙ୍କ ନିଜସ୍ୱ କବିତା ଆବୃତ୍ତି ଏକ ସ୍ୱତନ୍ତ୍ର ଆକର୍ଷଣୀୟ ଥିଲା । ଉଦ୍ୟକ୍ତା ତଥା ଅନୁଷ୍ଠାନର ସଭାପତି ବରେଣ୍ୟ କବି ପ୍ରଶାନ୍ତ ଶତପଥୀ, ସମ୍ପାଦକ ସୋମନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କବି ସନ୍ତୋଷ କୁମାର ଦାଶ ଧନ୍ୟବାଦ୍ ଜଣାଇଥିଲେ ।