ଯଶୋବନ୍ତଙ୍କ ଟ୍ୱିଟ ପରେ ଜଳଦେଇଙ୍କ ପରିବାର ପାଇଲେ ସରକାରୀ ସୁବିଧା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାନିଗୁମା ପଞ୍ଚାୟତ ଅଧୀନ ତରାଗାଁର କୁଲଧର ମାଝୀଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅସହାୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ତାଙ୍କର ସ୍ତ୍ରୀ ଜଳଦେଇ ତିନି ସନ୍ତାନକୁ ନେଇ ଜୀବନ କାଟୁଛନ୍ତି ।ସୂଚନା ଅନୁସାରେ କୁଳଧରଙ୍କ ଜମି ବାଡ଼ି କି କୌଣସି ସମ୍ପତି ନାହିଁ । ଗାଁ ଲୋକଙ୍କର ଛେଳି, ମେଣ୍ଡା, ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ହଠାତ୍‌ ଗତ ମାସକ ତଳେ କୁଲଧରଙ୍କର ଦେହାନ୍ତ ହୋଇଗଲା । ଏହାପରେ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଥିଲେ । ଜଳଦେଇ ବାହାରେ କାମଧନ୍ଦା କରିବାକୁ ଚାଁହୁଥିଲେ ମଧ୍ୟ ତାଙ୍କର ଦୁଇବର୍ଷର ଛୁଆ କ୍ଷୀର ଖାଉଥିବାରୁ କିଛି କାମ ଧନ୍ଦା କରିପାରୁନାହାନ୍ତି । ଫଳରେ ୧୦ବର୍ଷର ମଣ୍ଟୁ ଉପରେ ପରିବାର ସମସ୍ତ ବୋଝ ଭାର ପଡିଛି । ଯେଉଁ ବୟସରେ ବହି ବସ୍ତା ଧରି ପଢିବା କଥା ସେହି ବୟସରେ ମଣ୍ଟୁ ଗାଈ ଚରାଇବା ପାଇଁ ବାଡ଼ି ଧରିଛି । ଏହି ସବୁ ସମସ୍ୟା ଦେଖି ସ୍ଥାନୀୟ ସ୍ବେଛାସେବୀ ମାନେ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଖବର ପାଇ ସମାଜସେବୀ ଯଶୋବନ୍ତ ରଣା ତାଙ୍କର ଡକ୍ୟୁମେଣ୍ଟ ମାଗି ଟ୍ୱିଟର ଜରିଆରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ପଞ୍ଚାୟତୀରାଜ ବିଭାଗ, ଥୁଆମୂଳ ରାମପୁର ବିଡ଼ିଓଙ୍କୁ ଜଣାଇ ଶିଶୁମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ନିବେଦନ ରକ୍ଷାକରି ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତା ପହଂଚି ସମସ୍ତ ବିଷୟ ଅନୁଧ୍ୟାନ କରିଥିଲେ । ଏହି ସମୟରେ ଜଳଦେଇଙ୍କୁ ଏକ ଶାଡି, ୩ ଶିଶୁଙ୍କୁ ଡ୍ରେସ ପ୍ରଦାନ କରିଛନ୍ତି । ମଣ୍ଟୁକୁ ଗାଁର ତରାପୁର ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ଦେଇଛନ୍ତି । ଆଉ ଅନ୍ୟଦୁଇ ଶିଶୁ ଅଙ୍ଗନବାଡିରେ ପଢିବେ । ସମସ୍ତ ଶିଶୁଙ୍କୁ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରିଛନ୍ତି ଓ ତାଙ୍କୁ ମାସିକ ୧୫ ଶହ ଟଙ୍କା ପ୍ରଦାନ କରାଯିବ । ସେହିପରି ଖୁବ ଶୀଘ୍ର ଜଳଦେଇଙ୍କୁ ଏକ ପକ୍କାଘର ଯୋଗାଇ ଦେବା ସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସମାଜସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ମାଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଅସହାୟ ପରିବାର ସରକାରୀ ସହାୟତା ପାଇବାରେ ସହଯୋଗ କରିଥିବାରୁ ତରାପୁର ଗ୍ରାମବାସୀ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.