କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଳ ପଲସାପଡାର ବିଜୟ ରଣାଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । ତେବେ ଲକଡାଉନ ସମୟରେ ତାଙ୍କ ସ୍ତ୍ରୀ ତପ ରଣା କାମ ନ ପାଇ ଘରେ ରହୁଥିଲେ । ତାଙ୍କର ପରିବାର ରେ ୨ ପୁଅ ଓ ଗୋଟିଏ ଝିଅ । ବଡ ପୁଅ ଲୋକେନ୍ଦ୍ର ରଣା ନବମ ଶ୍ରେଣୀରେ ପଡୁଥିବା ବେଳେ ଝିଅ ଲଭ୍ଲି ୩ୟରେ ପଡୁଛି । ତେବେ ସାନ ପୁଅ ଦିନେଶଚୁ ୨ ବର୍ଷ । ଗତ ବର୍ଷ ଜୁନ ମାସରେ ବିଜୟ ରଣାଙ୍କର ଦୁର୍ଘଟଣାରେ ମୁତ୍ୟୁ ହୋଇଥିଲା । ପରିବାର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିଲେ । ପିଲାମାନଙ୍କୁ ଆହାର ମୁଠେ ଯୋଗାଇବା ପାଇଁ ବାଧ୍ୟ୍ୟ ହୋଇ କୁଳି କାମ କରିବାକୁ ବାହାରୁଥିଲେ । ହେଲେ ଲକଡାଉନ୍ ସମୟରେ କାମ ମିଳିଲା ନାହିଁ । ଚଳିବା ପାଇଁ ବହୁତ କଷ୍ଟକର ହୋଇପଡିଥିବା ଖବର ସେଠାକାର ସ୍ୱେଛାସେବୀ ଅର୍ଜୁନ ବାଗ ଏହି ସମସ୍ୟା ବିଷୟରେ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ପରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶିତ ହୋଇଥିଲା । ଏହି ସମସ୍ୟାକୁ ଯଶୋବନ୍ତ ରଣା କଳାହାଣ୍ଡି ଜିଲ୍ଲାପାଳ, ମୋ ସରକାର, ମହିଳା ଓ ଶିଶୁ ବିକାଶ ବିଭାଗ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୃଷ୍ଟି ଆକର୍ଷଣ କରିଥିଲେ । ଜଣେଇବାର ୫ଘଣ୍ଟା ଭିତରେ ମନ୍ତ୍ରୀଙ୍କ ନିର୍ଦେଶରେ ତପ ରଣାଙ୍କ ଘରକୁ ଯାଇ କିଛି ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ସହଯୋଗ କରିଥିଲେ । ଆର ଦିନ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତା ପହଂଚି ପିଲା ମାନଙ୍କ ପାଠପଢାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଲେ । ସେହିପରି ସେଠାକାର ସରପଞ୍ଚ ଉପସ୍ଥିତ ରହି ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହ କିଛି ରାସନ ସାମଗ୍ରୀ ଦେଇଥିଲେ । ସେହିପରି ତାଙ୍କୁ ଆବାସ ଯୋଜନାରେ ଘରଖଣ୍ଡେ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତ ସମିତି ଜୁନାଗଡ଼ ପକ୍ଷରୁ ଉତ୍ତର ରଖିଛନ୍ତି । ତାଙ୍କ ନାଁରେ ଜବ କାର୍ଡ ଟିଏ ମଧ୍ୟ କରିଦେଇଛନ୍ତି ଯାହା ଫଳରେ ସେ ଏମ୍ଜିଏନ୍ଆର୍ଇଜିଏସ୍ରେ ମାଟି କାମ କରିପାରିବେ । ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପାଇବାରେ ସହଯୋଗ କରିଥିବାରୁ ଗ୍ରାମବାସୀ ଓ ତପ ରଣା ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।
Next Post