ସରକାରୀ ଗାଡି ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ : ୧୨ ଘଣ୍ଟା ପରେ ମଧ୍ୟ ହଟୁନି ରାସ୍ତା ଅବରୋଧ, କ୍ଷତି ପୂରଣ ଦାବୀରେ ପରିବାର ଲୋକେ
ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ଲାନ୍ଥ ନଦୀ ନିକଟରେ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ସରକାରୀ ବସ ଗାଡି ନମ୍ବର ଓଡ଼ି ୦୮ଜି୭୦୫୧ ଧକ୍କାରେ ଘଟଣା ସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ସୂଚନା ମତେ ତରାସିଂହା ଗ୍ରାମର ଲବ ବେହେରା ତାଙ୍କ ଗ୍ରାମରୁ ସକାଳୁ ଉଠି ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟକୁ ଯାଉ ଥିବାବେଳେ ହଠାତ ଦ୍ରୁତ ଗତିରେ ଆସୁଥିବା ବସ ଗାଡି ଧକ୍କାରେ ଘଟଣା ଘଟିଥିଲା । ପ୍ରକାଶ ଥାଉ କି, ସେ ଜଣେ ଶିକ୍ଷକ ଭାବରେ ପ୍ରତ୍ୟେକ ଦିନ ଏହି ଜାତୀୟ ରାଜପଥ ଦେଇ ଯାତାୟାତ କରିଥାଆନ୍ତି । ଏନେଇ ଖବର ପାଇବା ପରେ ପରିବାର ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସଇଁନ୍ତଲା ଡାକ୍ତରଖାନାକୁ ନେଇ ଥିବାବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ପରିବାର ଲୋକେ ବରଗଡ଼-ବରିଗୁମା ଜାତୀୟ ରାଜପଥ ୨୬କୁ ଦୀର୍ଘ ୧୨ ଘଣ୍ଟା ଧରି ତାଙ୍କ ପରିବାର ଲୋକଙ୍କୁ ଚାକିରୀ ଦାବୀରେ ଅବରୋଧ କରିଛନ୍ତି ।
ତେବେ ଖବର ପାଇବା ପରେ ଘଟଣା ସ୍ଥଲରେ ସଇଁନ୍ତଲା ଥାନା ଅଧିକାରୀ ବାରିଣୀ ଦାସ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, ମାଜିଷ୍ଟ୍ରେଟ ଭାବରେ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ପରିବାର ଲୋକେ ବୁଝିବାକୁ ନାରାଜ ହେବା ସହ ଘଟଣା ସ୍ଥାନରେ ଉତ୍ତେଜନା ମଧ୍ୟ ରହିଛି । ପୁଲିସ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ନାରାଜ । ଅନ୍ୟପଟେ ଜାତୀୟ ରାଜପଥ ଅବରୋଧ ହେବା ଫଳରେ ଗାଡି ଚଳାଚଳ ଦୀର୍ଘ ଘଣ୍ଟା ଧରି ଠପ୍ ହୋଇଛି ।