ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବଜେଟ୍‌ ୨୦୨୪-୨୫ ସଂପର୍କିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦେଶ ତଥା ରାଜ୍ୟ ବଜେଟ୍‌ ସଂପର୍କିତ ଉପସ୍ଥାପନା ‘ଆନାଲିସିସ୍‌ ଅଫ୍‌ ବଜେଟ୍‌ ୨୦୨୪-୨୫’ ବିଷୟରେ ଏକ ଆଲୋଚନାଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ଛତ୍ରପୁରର ସମ୍ମାନନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ନାୟକ ‘ବଜେଟ୍‌ ୨୦୨୪-୨୫’ ବିଷୟରେ ଆଲୋଚନା କରି ଏହାକୁ ସାଧାରଣ ଜନତାଙ୍କ ପାଇଁ, ଜନତାଙ୍କ ଦ୍ୱାରା ପ୍ରସ୍ତୁତ ବଜେଟ୍‌ ଏବଂ ସାଧାରଣ ତୃଣମୂଳ ସ୍ତରରେ ପହଞ୍ଚିବା ଏହି ବଜେଟ୍‌ର ଉଦ୍ଦେଶ୍ୟ ବୋଲି କହିଥିଲେ । ଏଥି ସହିତ ଶ୍ରୀ ନାୟକ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ତଥା ଆର୍ଥିକ ସହାୟତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜ ଅଭିଭାଷଣରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବଜେଟ୍‌କୁ ଜନ ମଙ୍ଗଳକାରୀ ବଜେଟ୍‌ ଭାବରେ ଅଭିହିତ କରିବା ସହିତ ‘ବଜେଟ୍‌ ୨୦୨୪-୨୫’କୁ ବିକଶିତ ଭାରତ ୨୦୪୭ ଓ ଉତ୍କର୍ଷ ଓଡ଼ିଶା ୨୦୩୬ ନିମନ୍ତେ ପ୍ରସ୍ତୁତ ବଜେଟ୍‌ ଭାବରେ ବର୍ଣ୍ଣନା କରିଥିଲେ । ଏଥି ସହିତ ଏହି ବଜେଟ୍‌ ବ୍ୟକ୍ତିଗତ ମୁଣ୍ଡପିଛା ଆୟର ଅଭିବୃଦ୍ଧି ଦିଗରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନରେ ସମ୍ମାନନୀୟ ଅତିଥି ଡ. ରବିନାରାୟଣ ପାତ୍ର, ଅଧ୍ୟକ୍ଷ, ଓଡ଼ିଶା ଇକୋନୋମିକ୍ସ ଆସୋସିଏସନ୍‌ ଏବଂ ଡ. ମୃତ୍ୟୁଞ୍ଜୟ ସ୍ୱାଇଁ, ଅର୍ଥନୀତି ବିଭାଗ ମୁଖ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ‘ବଜେଟ୍‌ ୨୦୨୪-୨୫’ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅଧିବେଶନରେ ଡ. ପାତ୍ର ବଜେଟ୍‌ ୨୦୨୪-୨୫ ସଂପର୍କରେ ଆଲୋଚନା କରି କହିଥିଲେ, ଏହି ବଜେଟ୍‌ ଦେଶର ବିଭିନ୍ନ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ବଜେଟ୍‌ ୨୦୨୪-୨୫ ବିଷୟରେ ଆଲୋଚନା କରି ଡ. ସ୍ୱାଇଁ କହିଥିଲେ, ଏହି ବଜେଟ୍‌ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ଏଥି ସହିତ ଓଡ଼ିଶାରେ ସମୟ ସମୟରେ ଦେଖା ଦେଉଥିବା ସାଧାରଣ ଖାଉଟି ସାମଗ୍ରୀର ଅଭାବ, ହଠାତ୍‌ ଦରଦାମ୍‌ ବୃଦ୍ଧି ଆଦି ଉପରେ ସରକାର ଏହି ବଜେଟ୍‌ରେ ବିଶେଷ ପଦକ୍ଷେପ ନେଇଥିବା ସୂଚନା ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଡ. ରଘୁନାଥ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏନ୍‌.ଏସ୍‌.ଏସ୍‌. ଅଧିକାରୀ ଡ. ଅଜିତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ପିଙ୍କିରାଣୀ ଦେଇ ଏବଂ ଆଇ.କ୍ୟୁ.ଏସି. ସଂଯୋଜିକା ଡ. ସୁଚିଶ୍ମିତା ବେହେରା ଟେକ୍‌ନିକାଲ ଅଧିବେଶନକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଛାତ୍ରଛାତ୍ରୀ ତଥା ମିଡ଼ିଆ ବନ୍ଧୁ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.