ବଲାଙ୍ଗିରକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର : ନରସିଂହ

  • ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି : ନରସିଂହ
  • ମହିଳା କଲେଜର ଯୁକ୍ତଦୁଇ ବିଜ୍ଞାନରେ ଜଣେ ବି ଶିକ୍ଷକ ନାହାନ୍ତି
  • ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି ମାତ୍ର ଦୁଇ ଜଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ବଦଳିଛି ସତ କିନ୍ତୁ ବଲାଙ୍ଗିରର ଭାଗ୍ୟ ଯେମିତିକୁ ସେମିତି । ଯଦି ଶିକ୍ଷା କ୍ଷେତ୍ରରେ ଦେଖାଯାଏ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୧୨୬ ପଦବୀରୁ ୧୦୦ ପଦବୀ ଖାଲିପଡିଛି । ଅଣଶିକ୍ଷକ ପଦବୀରେ ଜଣେ ବି ନାହାନ୍ତି । ମହିଳା ମହାବିଦ୍ୟାଳୟ ଯୁକ୍ତଦୁଇ ବିଜ୍ଞାନ ବିଭାଗର ଅବସ୍ଥା କହିଲେ ନସରେ । ବିନା ଶିକ୍ଷକରେ ଏଠି ଅଧ୍ୟାପନ ଚାଲିଛି । ସଂସ୍କୃତ ମହାବିଦ୍ୟାଳୟ କେବଳ ଦୁଇ ଜଣ ଶିକ୍ଷକରେ ଚାଲିଛି । ଏଥିରୁ ବଲାଙ୍ଗିରବାସୀ ଅନୁମାନ କରନ୍ତୁ ଯେ ବଲାଙ୍ଗିରକୁ ରାଜ୍ୟ ସରକାର କେଉଁ ନଜରରେ ଦେଖୁଛନ୍ତି । ପୂର୍ବ ସରକାର ସମୟରେ ମଧ୍ୟ ଅବସ୍ଥା ଏପରି ଥିଲା । ବହୁତ ପ୍ରତିଶୃତି ଦେଇ ବର୍ତ୍ତମାନର ସରକାର ଶାସନକୁ ଆସିଲା ପରେ ମଧ୍ୟ ବଲାଙ୍ଗିରର ଅବସ୍ଥା ଯେମିତି ଅଛି, ମୁଁ ତ କହିବି ପୂର୍ବ ବିଜେଡି ସରକାର ପରି ବର୍ତ୍ତମାନର ବିଜେପି ସରକାର ମଧ୍ୟ ବଲାଙ୍ଗିର ଜିଲ୍ଲାକୁ ସବୁ କ୍ଷେତ୍ରରେ ଅବହେଳା କରିବା ଜାରି ରଖିଛନ୍ତି ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ସାରା ରାଜ୍ୟରେ ଶିକ୍ଷକ, ଅଧ୍ୟାପକ ଅଭାବ ଜାରି ରହିଛି କିନ୍ତୁ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି କାରଣ ଏଠିକାର ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ଆଜି ପର୍ଯ୍ୟନ୍ତ ଜଣେ ବି ଅଧ୍ୟାପକ ନାହାନ୍ତି । ତଥାପି ଅଧ୍ୟାପନା ଚାଲିଛି ସେଥିରୁ ବଲାଙ୍ଗିରବାସୀ ବୁଝନ୍ତୁ ଯେ ସରକାରମାନେ ବର୍ତ୍ତମାନର ବଲାଙ୍ଗିରବାସୀଙ୍କୁ କିଭଳି ବ୍ୟବହାର କରୁଛନ୍ତି । ବିଶ୍ୱ ବିଦ୍ୟାଳୟରେ ମୁଖ୍ୟତଃ ଗବେଷଣା କାର୍ଯ୍ୟ କରାଯାଇଥାଏ, କିନ୍ତୁ ଶିକ୍ଷକ ଅଣଶିକ୍ଷକ ପଦବୀ ଦେଖିଲେ ଜଣାଯାଏ ଯେ ଏଠି ଗବେଷଣା ତ ଦୂରର କଥା ଛାତ୍ରମାନଙ୍କ ପାଇଁ ଶିକ୍ଷା ଗ୍ରହଣକରିବା ବି ଆଗାମୀ ଦିନରେ ସ୍ୱପ୍ନ ହୋଇଯିବ । ବର୍ତ୍ତମାନର ସରକାର ନିର୍ବାଚନ ସମୟରେ ଅନେକ ପ୍ରତିଶୃତି ଦେଇଥିଲେ । ଦେଓଗାଁ ଚିନି କଳ ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦିଆଯାଇଥିଲା, କିନ୍ତୁ ସରକାର ଗଠନ ହେବା ଦୁଇ ବର୍ଷ ପାଖାପାଖି ହେବ ଏହି ଚିନିକଳ ପୁନଃ ପ୍ରଚଳନ ପାଇଁ କୌଣସି ସୁ ଖବର ଆସୁନାହିଁ । ପଚାରିଲେ ଉତ୍ତର ଆସୁଛି ପ୍ରକ୍ରିୟା ଚାଲିଛି । ଯଦି ଏଭଳି ପ୍ରକ୍ରିୟା ଚାଲୁ ରହେ ତେବେ ସରକାରର ସମୟ ସରିଯିବ କିନ୍ତୁ ଲୋକଙ୍କ ଆଶା ଦେଓଗାଁ ଚିନିକଳ ଆଶାରେ ହିଁ ରହିଯିବ ବୋଲି ସେ କହିଥିଲେ । ବିଜେଡି ସରକାର ଅଧାପନ୍ତରିଆ ଭାବେ ଲୋୟର ସୁକତେଲ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନି ସଭାରେ ଏହାକୁ ମୁଁ ବହୁତ ସମାଲୋଚନା କରିଥିଲି । ସରକାର ବଦଳି ଦୁଇ ବର୍ଷ ହେଲା ବିଜେପି ସରକାର ମଧ୍ୟ ଚାଷୀ ଙ୍କ ଚାଷ ଜମିକୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତିଶୃତି ମୁତାବକ ପାଣି କାହିଁକି ଦେଇପାରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର । ଅବଶ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ଏକ ମିନି ଷ୍ଟାଡିୟମ ଏବଂ ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସେ ନିଜେ ଭେଟି ଅନୁରୋଧ କରିଥିଲେ । ପାର୍କ ଓ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆପାତତଃ ମଞ୍ଜୁରି ମିଳିଯାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ହେଉ କି ବଲାଙ୍ଗିରର ବିକାଶକୁ ନେଇ ସୃଷ୍ଟି ହୋଇଥିବା ସ୍ଥାଣୁତା ଉପରେ କାହିଁକି ସ୍ଥାନୀୟ ଜନ ପ୍ରତିନିଧି ବିଧାନ ସଭାରେ ସ୍ୱର ଉତ୍ତୋଳନ କରୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ନିର୍ବାଚନ ସରିବା ପାଖାପାଖି ଦୁଇ ବର୍ଷ ପୂର୍ବରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳିରେ ଆରମ୍ଭ ହୋଇଥିବା କୌଣସି ବି ଗୋଟିଏ ପ୍ରକଳ୍ପ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏହାକୁ ନେଇ ସ୍ଥାନୀୟ ବିଧାୟକ କାହିଁକି ବିଧାନସଭା ଭିତରେ କି ବାହାରେ ବକ୍ତବ୍ୟ ରଖୁନାହାନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଯଦି ଏହି ପରିସ୍ଥିତି ଜାରି ରହେ ତେବେ ବଲାଙ୍ଗିର ପୁଣିି ୨୦୧୪ ପୂର୍ବବର୍ତ୍ତି ସମୟକୁ ଫେରିଯାଇପାରେ ବୋଲି ଶ୍ରୀ ମିଶ୍ର ଆଶଙ୍କାବ୍ୟକ୍ତ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଧାନକିଣା ଅବ୍ୟବସ୍ଥା, ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଦାଦନ ଦୂରିକରଣ ନାଁ ରେ ମିଥ୍ୟା ପ୍ରତିଶୃତି, ଦୁର୍ନିତିକୁ ନେଇ ଶୂନ୍ୟ ସହନଶିଳତା, ଆଇନଶୃଙ୍ଖଳା ପରିସ୍ଥିତି, ସ୍ଥାନୀୟ ଜନ ପ୍ରତିନିଧି ଓ ସରକାରଙ୍କୁ ଶ୍ରୀ ମିଶ୍ର କଟୁ ସମାଲୋଚନା କରିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ମନୀଷ ମିଶ୍ର, ଅସିତ ମିଶ୍ର, ବୁଲୁ ଦାନି, କୈଳାସ ମିଶ୍ର, ଚିନ୍ମୟ ବେହେରା, କିରନ ସେଠ, ସଂଜୟ ମିଶ୍ର, ମାନସ ମହାନ୍ତି, ଟିଟୁ ରଣା, ଜ୍ୟୋତିଷ ମୁଗ୍ରୀ, ସାନନ୍ଦ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.