● ଆଇଟି ନିୟମ ୨୦୨୧ ମାଧ୍ୟମରେ ଓଟିଟି ନିରୀକ୍ଷଣ ଲାଗୁ
● ଓଟିଟି ବିଷୟବସ୍ତୁ ଓ କାର୍ଯ୍ୟକ୍ରମ ଉପରେ ନିୟନ୍ତ୍ରଣ ଲାଗି ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା କାର୍ଯ୍ୟକାରୀ
● ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ
● ଏଭିଜିସି ଏକ୍ସଆର ପାଇଁ କୁଶଳୀ କାର୍ଯ୍ୟବଳ ବିକଶିତ କରିବା ଲାଗି ବିଶ୍ୱର ପ୍ରମୁଖ ବୈଷୟିକ ସଂସ୍ଥା ସହ ଭାଗିଦାରୀ
● ଏଭିଜିସି ଏକ୍ସଆର ପରବର୍ତ୍ତୀ ପିଢ଼ିର ପ୍ରତିଭାକୁ ତାଲିମ ଦେବା ପାଇଁ ୩୯୨.୮୫ କୋଟି ଟଙ୍କା ନିବେଶ ସହିତ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇସିଟି)ର ହୋଇଛି ଶୁଭାରମ୍ଭ
ନୂଆଦିଲ୍ଲୀ, (ପିଆଇବି) : ସୃଜନଶୀଳ ସ୍ୱାଧୀନତା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ରହିଥିବା କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ସୃଜନଶୀଳ ସ୍ୱାଧୀନତା ସମେତ ଅଭିବ୍ୟକ୍ତିର ସ୍ୱାଧୀନତା ସମ୍ବିଧାନର ଧାରା ୧୯ ଜରିଆରେ ସୁରକ୍ଷିତ ରଖାଯାଇଛି । ଓଟିଟି ପ୍ଲାଟଫର୍ମରେ କ୍ଷତିକାରକ କଣ୍ଟେଣ୍ଟ୍ ବା କାର୍ଯ୍ୟକ୍ରମ ଓ ବିଷୟବସ୍ତୁଗୁଡ଼ିକର ନକାରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ, ସରକାର ଆଇଟି ଆଇନ, ୨୦୦୦ ଅନ୍ତର୍ଗତ ୨୫.୦୨.୨୦୨୧ରେ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ, ନୀତି କୋଡ୍) ନିୟମ, ୨୦୨୧କୁ ଅଧିସୂଚିତ କରିଛନ୍ତି । ଏହି ନିୟମର ଭାଗ-୩ରେ ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକ ଏବଂ ଅନଲାଇନରେ ଉପସ୍ଥାପିତ କଣ୍ଟେଣ୍ଟ (ଓଟିଟି ପ୍ଲାଟଫର୍ମ) ପ୍ରକାଶକଙ୍କ ପାଇଁ ଏକ ଆଚାର ସଂହିତା ପ୍ରଦାନ କରାଯାଇଛି । ଏହି ନିୟମ ଅ୍ରନୁଯାୟୀ, ଓଟିଟି ପ୍ଲାଟଫର୍ମଗୁଡ଼ିକ ବର୍ତ୍ତମାନ ପାଇଁ ଆଇନ ଦ୍ୱାରା ନିଷିଦ୍ଧ କୌଣସି ବିଷୟବସ୍ତୁ ବା କାର୍ଯ୍ୟକ୍ରମ ପ୍ରସାରଣ କରିପାରିବେ ନାହିଁ । ଏହି ସବୁ ନିୟମରେ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯାଇଛି । ପ୍ରଥମ ସ୍ତରରେ ପ୍ରକାଶକମାନଙ୍କ ଦ୍ୱାରା ସ୍ୱନିୟନ୍ତ୍ରଣ, ଦ୍ୱିତୀୟ ସ୍ତରରେ ପ୍ରକାଶକମାନଙ୍କର ସଂସ୍ଥାଗୁଡ଼ିକ ଦ୍ୱାରା ସ୍ୱନିୟନ୍ତ୍ରଣ ଏବଂ ତୃତୀୟ ସ୍ତରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିରୀକ୍ଷଣ ବ୍ୟବସ୍ଥା ପାଇଁ ନିୟମ ରହିଛି । ମନ୍ତ୍ରଣାଳୟକୁ ମିଳିଥିବା ଅଭିଯୋଗଗୁଡ଼ିକୁ ଆଇଟି ନିୟମ, ୨୦୨୧ ଅନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ପଠାଯାଏ । ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ସହିତ ଉପଯୁକ୍ତ ପରାମର୍ଶ ପରେ, ସରକାର ଅଶ୍ଳୀଳ ବିଷୟବସ୍ତୁ ବା କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ପାଇଁ ୪୩ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି । ସରକାରୀ ବିଜ୍ଞାପନ ସଂକ୍ରାନ୍ତରେ ମଧ୍ୟ ଭିନ୍ନ ନିୟମ ରହିଛି । କେନ୍ଦ୍ର ସଞ୍ଚାର ବ୍ୟୁରୋ ଖବରକାଗଜ, ଟିଭି/ରେଡିଓ, ବାହ୍ୟ, ଡିଜିଟାଲ୍ ମିଡିଆ ଇତ୍ୟାଦି ସମେତ ବିଭିନ୍ନ ଗଣମାଧ୍ୟମ ପ୍ଲାଟଫର୍ମରେ ଭାରତ ସରକାରଙ୍କ ବିଜ୍ଞାପନ ଜାରି କରେ । ଉଦ୍ଦେଶ୍ୟ ଆଧାରିତ ବାର୍ତ୍ତାର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ପାଇଁ, ପ୍ରିଣ୍ଟ, ଅଡିଓ-ଭିଜୁଆଲ୍, ଡିଜିଟାଲ୍, ବାହ୍ୟ ପ୍ରଚାର ଇତ୍ୟାଦି ବିଭିନ୍ନ ଗଣମାଧ୍ୟମ ସମ୍ପର୍କରେ ବିସ୍ତୃତ ନୀତି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ନିର୍ଦ୍ଦେଶାବଳୀ ସିବିସି ୱେବସାଇଟ୍ cbcindia.gov.in ରେ ଉପଲବ୍ଧ । ଅନୁରୂପ ଭାବେ କେନ୍ଦ୍ର ସରକାର ଆନିମେସନ, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଓ ଏକ୍ସଟେଣ୍ଡେଡ୍ ରିୟଲିଟି- ଏଭିଜିସି-ଏକ୍ସଆର କ୍ଷେତ୍ରକୁ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପଦାନ ଭାବେ ବିବେଚନା କରିଥା’ନ୍ତି । ଏପ୍ରିଲ ୨୦୨୨ରେ ଗଠିତ ଏକ ଜାତୀୟ ଏଭିଜିସି-ଏକ୍ସଆର ଟାସ୍କ ଫୋର୍ସ ଏହି କ୍ଷେତ୍ରର ପ୍ରୋତ୍ସାହନ ପାଇଁ ରଣନୀତିକ ରୂପରେଖ ପ୍ରସ୍ତୁତ କରିଛି । ଏହି କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଭାରତକୁ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ବା ୱେଭ୍ସ ଚଳିତ ବର୍ଷ ମଇ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଆନିମେସନ୍, ଗେମିଂ, ଏଆର/ଭିଆର ଏବଂ ସଂଗୀତ ଭଳି ୩୪ଟି ସୃଜନଶୀଳ ବର୍ଗରେ ଏକ ଦେଶବ୍ୟାପୀ ପରବର୍ତ୍ତୀ ପିଢ଼ିର ସୃଜନଶୀଳ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବ୍ୟାପୀ ୧ ଲକ୍ଷରୁ ଅଧିକ ପଞ୍ଜୀକରଣ ଦେଖିବାକୁ ମିଳିଥିଲା । ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ପ୍ରମୁଖ ପ୍ରତିଷ୍ଠାନ ଭାବରେ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇସିଟି) ପ୍ରତିଷ୍ଠିତ ହୋଇଛି, ଯାହା ଶିଳ୍ପ ଉନ୍ମଖୀ ପାଠ୍ୟକ୍ରମ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଆଇଆଇସିଟିର ବିକାଶ ଏବଂ ପରିଚାଳନା ପାଇଁ ୩୯୨.୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପାଇଁ ଆଇଆଇଟି ଏବଂ ଆଇଆଇଏମ ଧାରାରେ ଆଇଆଇସିଟିର ପରିକଳ୍ପନା କରାଯାଇଛି । ଏହା ଶୈକ୍ଷିକ ସହଯୋଗ ପାଇଁ ଗୁଗଲ, ମେଟା, ଏନଭିଡିଆ, ମାଇକ୍ରୋସଫ୍ଟ, ଆପଲ, ଆଡବ, ଡବ୍ଲୁପିପି ଇତ୍ୟାଦି ପ୍ରମୁଖ ବିଶ୍ୱସ୍ତରୀୟ ବୈଷୟିକ କମ୍ପାନୀଗୁଡ଼ିକ ସହିତ ଏମଓୟୁ ସ୍ୱାକ୍ଷର କରିଛି । ଏଭିଜିସି-ଏକ୍ସଆର କ୍ଷେତ୍ରର ପେସାଦାର ଏବଂ ପ୍ରଶିକ୍ଷକମାନଙ୍କ ପାଇଁ ଆଇଆଇସିଟି ଉନ୍ନତ ତାଲିମ ପ୍ରଦାନ କରେ । ଏହି ଅନୁଷ୍ଠାନ ପ୍ରାରମ୍ଭିକ ଶିକ୍ଷା ବର୍ଷରେ ଗେମିଂରେ ଚାରୋଟି ସ୍ୱତନ୍ତ୍ର ପାଠ୍ୟକ୍ରମ, ପୋଷ୍ଟ ପ୍ରଡକ୍ସନରେ ଚାରୋଟି ପାଠ୍ୟକ୍ରମ ଏବଂ ଆନିମେସନ୍, କମିକ୍ସ ଏବଂ ଏକ୍ସଆରରେ ନଅଟି ପାଠ୍ୟକ୍ରମକୁ ସାମିଲ କରାଯାଇଛି । ଏ ସମ୍ପର୍କରେ ଅଧିକ ବିବରଣୀ ଆଇଆଇସିଟିର https://theiict.inୱେବସାଇଟରେ ଉପଲବ୍ଧ ।