ପୁସ୍ତକ ଓ ସାରସ୍ୱତ ମେଳାର ‘ଇଙ୍କଫେଷ୍ଟ’ର ସପ୍ତମ ସନ୍ଧ୍ୟା

  • ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ଉପରେ କଥାଚକ୍ର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ରୟାଲ ପଡ଼ିଆଠାରେ ଚାଲିଥିବା ପୁସ୍ତକ ଓ ସାରସ୍ୱତ ମେଳା ‘ଇଙ୍କଫେଷ୍ଟ’ର ସପ୍ତମ ସନ୍ଧ୍ୟାର ବୌଦ୍ଧିକ ମଞ୍ଚରେ ‘ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ଶୀର୍ଷକରେ ଏକ କଥାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆୟୋଜିତ କଥାଚକ୍ରରେ ଓଡ଼ିଶାର ଜୀବନରେଖା ମହାନଦୀର ବର୍ତ୍ତମାନ ସ୍ଥିତି, ଜଳ ପ୍ରଦୂଷଣର ମୂଳ କାରଣ ଓ ସମାଧାନର ପଥ ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ସୁବର୍ଣ୍ଣପୁରର ପ୍ଲାବନ ମହାପାତ୍ରଙ୍କ ଅଗ୍ରଣୀ ଅନୁଷ୍ଠାନ ମହାନଦୀ ଧାରା ପକ୍ଷରୁ ପ୍ରାଯୋଜିତ କଥାଚକ୍ରରେ ଜଳ ସୁରକ୍ଷାକର୍ମୀ ରଞ୍ଜନ ପଣ୍ଡା ଓ ସାମାଜିକ କର୍ମୀ ଘାସିରାମ ପଣ୍ଡା ଅତିଥି ଆଲୋଚକ ଭାବେ ଯୋଗଦେଇଥିଲେ । ମହାନଦୀରେ ଦିନକୁ ଦିନ ବୃଦ୍ଧି ପାଉଥିବା ଶିଳ୍ପ ମଳ, ସହରର ନିଷ୍କାସିତ ଅପମିଶ୍ରିତ ପାଣି ଓ ପ୍ଲାଷ୍ଟିକ ଅବଶିଷ୍ଟ ଯୋଗୁଁ ସୃଷ୍ଟି ହେଉଥିବା ପରିବେଶୀୟ ସଙ୍କଟ ବିଷୟରେ ଉଭୟ ଆଲୋଚକ ଉଦ୍‌ବେଗ ପ୍ରକାଶ କରିଥିଲେ । ରଞ୍ଜନ ପଣ୍ଡା କହିଥିଲେ ଯେ ମହାନଦୀ କେବଳ ଏକ ନ‌ଦୀ ନୁହେଁ, ଏହା ଓଡ଼ିଶାର କୃଷି, ପାନୀୟଜଳ ଓ ଜୀବନ ଜୀବିକାର ପ୍ରମୁଖ ଆଧାର ଯଦି ଏହାର ପ୍ରଦୂଷଣକୁ ନିୟନ୍ତ୍ରଣ କରାଯିବନି, ତେବେ ଆଗାମୀ ଦିନରେ ଜଳସଂକଟ ଗଭୀର ଆକାର ନେବ ଏବଂ ଜନଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିବ । ସେ ଶିଳ୍ପ ଅଞ୍ଚଳରେ କଡ଼ା ନିୟମ ପ୍ରୟୋଗ, ନିଷ୍କାସିତ ଜଳର ସଠିକ ଶୋଧନ ବ୍ୟବସ୍ଥା ଓ ଜନସଚେତନତା ବୃଦ୍ଧି ଉପରେ ଜୋର୍ ଦେଇଥିଲେ । ଘାସିରାମ ପଣ୍ଡା ନଦୀକୁ ବଞ୍ଚାଇବା ପାଇଁ ସରକାର, ସମାଜ ଓ ଶିଳ୍ପ ସଂସ୍ଥାମାନଙ୍କର ସମନ୍ୱିତ ପ୍ରୟାସ ଆବଶ୍ୟକ । ଗ୍ରାମସ୍ତରରେ ଜଳ ସୁରକ୍ଷା କମିଟି ଗଠନ, ନଦୀ ପାରିପାର୍ଶ୍ବିକରେ ବୃକ୍ଷରୋପଣ ଓ ପ୍ଲାଷ୍ଟିକ ବ୍ୟବହାରରେ କଡ଼ା ନିୟନ୍ତ୍ରଣ ମାଧ୍ୟମରେ ପ୍ରଦୂଷଣ କମାଇ ହେବା ମୂଳତଃ ମହାନଦୀର ପ୍ରାକୃତିକ ସ୍ରୋତର ସବୁଦିନିଆ ପ୍ରବାହକୁ ବଞ୍ଚାଇ ରଖିବା ଏବଂ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ଉପଭୋକ୍ତାମାନଙ୍କୁ ଯତ୍ନଶୀଳ ରହିବାକୁ ହେବ ବୋଲି ସେ ସ୍ପଷ୍ଟ ମତ ରଖିଥିଲେ । ଆଲୋଚନାର ଶେଷରେ ଅତିଥିମାନେ ମହାନଦୀକୁ ପ୍ରଦୂଷଣମୁକ୍ତ କରିବାପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକତ୍ରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ । ଦର୍ଶକ ଆଲୋଚକ ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, କବି ଶ୍ରୀଧର ବାଗ, ପ୍ଲାବନ ମହାପାତ୍ର ପ୍ରମୁଖ ନିଜସ୍ଵ ମତ ରଖିଥିଲେ । ଇଙ୍କଫେଷ୍ଟର ବରିଷ୍ଠ ସଦସ୍ୟ ରାଜୀବ ନାୟକ କରିଥିଲେ ।

Leave A Reply

Your email address will not be published.