ରେଳବାଇ ପୋଲିସର ବଡ଼ ସଫଳତା : ବର୍ଷକରେ ୩୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୨୯୯ ଜଣ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ନିଶା କାରବାର ବିରୋଧରେ ରେଳବାଇ ପୋଲିସକୁ ମିଳିଛି ବଡ଼ ସଫଳତା । ଟ୍ରେନ୍ ଜରିଆରେ ଚାଲିଥିବା ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ ରେଳବାଇ ପୋଲିସ ପକ୍ଷରୁ ମୋଟ ୨୦୦ଟି ମାମଲା ରୁଜୁ କରିବା ସହ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ସମୟ ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ହୋଇଛି ।
ଜବତ ନିଶାଦ୍ରବ୍ୟର ପରିସଂଖ୍ୟାନ
ପୋଲିସ ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୩୩୫୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏହା ସହିତ ୨.୬୧ ଗ୍ରାମର ବ୍ରାଉନସୁଗାର ମଧ୍ୟ ପୋଲିସ ହାତରେ ଲାଗିଛି । ବିଭିନ୍ନ ରେଳବାଇ ପୋଲିସ ଷ୍ଟେସନ ମଧ୍ୟରେ କଟକ ଓ ରାଉରକେଲାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି :

  • କଟକ ଜିଆରପି : ୮୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୪୮୯ କିଲୋଗ୍ରାମ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହି ମାମଲାରେ ୧୧୬ ଜଣଙ୍କୁ ଗିରଫ କରାଯାଇଛି ।
  • ରାଉରକେଲା ଡିଆରପି : ୧୧୩ଟି ମାମଲା ରୁଜୁ କରିବା ସହ ୧୮୬୩ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି । ଏଠାରେ ସର୍ବାଧିକ ୧୮୩ ଜଣଙ୍କୁ ଗିରଫ କରାଯାଇଛି ।
    ଆନ୍ତଃରାଜ୍ୟ ଲିଙ୍କ୍ ଓ କଡ଼ା ପହରା
    ଗିରଫ ହୋଇଥିବା ଅଭିଯୁକ୍ତମାନେ କେବଳ ଓଡ଼ିଶାର ନୁହଁନ୍ତି, ବରଂ ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟର ବୋଲି ତଦନ୍ତରୁ ଜଣାପଡ଼ିଛି ।
    ରେଳବାଇକୁ ନିଶାମୁକ୍ତ କରିବା ପାଇଁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏବଂ ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ ଓ ରାଉରକେଲା ଭଳି ପ୍ରମୁଖ ରେଳ ଷ୍ଟେସନମାନଙ୍କରେ ମିଳିତ ଚଢ଼ାଉ ଜାରି ରହିଛି । ସନ୍ଦେହଜନକ ବ୍ୟାଗ୍ ଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଥିବା ବେଳେ ସ୍ନିଫର୍ ଡଗ୍ ସହାୟତାରେ ଟ୍ରେନ୍ ବଗି ଓ ଷ୍ଟେସନରେ ସର୍ଚ୍ଚ ଅପରେସନ କରାଯାଉଛି ।
    “ନିଶା କାରବାର ବିରୋଧରେ ଆମର ‘ଜିରୋ ଟଲରାନ୍ସ’ ନୀତି ଜାରି ରହିବ । ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ।
Leave A Reply

Your email address will not be published.