ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଶ୍ୱଶୁର ଜ୍ୱାଇଁଙ୍କୁ ଧରି ଏସ୍ପି ଅଭିଳାଷ ଜି କଲେ ବଡ଼ ଖୁଲାସା । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଅଭିଳାଷ ଜି ଯୋଗ ଦେଇ ବିଭିନ୍ନ ସ୍ଥାନରେ ହୋଇଥିବା ଲୁଟ ଘଟଣାର ବଡ଼ ଖୁଲାସା କରିଛନ୍ତି । ଏସ୍ପିଙ୍କ ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ଅନ୍ୟ ଜିଲ୍ଲା ଗୁଡ଼ିକରେ କିଛି ଲୁଟେରା ଲୁଟ୍ କରିଥିବା ନେଇ ପୋଲିସ ପାଖରେ ଖବର ରହିଥିଲା । ନିରୀହ ଲୋକମାନେ ଲୁଟେରାଙ୍କ ଲୁଟ୍ର ଶିକାର ହୋଇ ଥାନା ଗୁଡ଼ିକରେ ଅଭିଯୋଗ କରିଥିବା ବେଳେ ପୋଲିସ ଏ ସଂପର୍କରେ ମାମଲା ରୁଜୁ କରିଥିଲା । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଥାନା ଗୁଡ଼ିକରେ ଲୁଟ୍ ସଂପର୍କରେ ମାମଲା ରୁଜୁ ହେବା ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କରିଥିଲା ତନାଘନା ତଦନ୍ତ । ଏମିତି ଜାଲ ବିଛାଇଥିଲା ଯେ, ଲୁଟେରାମାନେ ସଙ୍ଗେ ସଙ୍ଗେ ଧରାପଡ଼ିଗଲେ । ଆଉ ଏହା ପରେ ପୋଲିସ ଜାଣିବାକୁ ପାଇଲା ଯେ, ପଶ୍ଚିମ ଓଡ଼ିଶାରେ ଅଧିକାଂଶ ଲୁଟ ଘଟଣାରେ ପୋଲିସ ହାତରେ ଧରାପଡ଼ିଥିବା ଏହି ଦୁଇ ଲୁଟେରାଙ୍କ ହିଁ ହାତ ରହିଛି । ଗିରଫ ଦୁଇ ଲୁଟେରା ଛତିଶଗଡ଼ ରାୟଗଡ଼ର ହୋଇଥିବା ବେଳେ ଏମାନେ ଦୁହେଁ ଶ୍ୱଶୁର ଜ୍ୱାଇଁ । ଏହି ଦୁହି ଶ୍ୱଶୁର ଜ୍ୱାଇଁଙ୍କ ନୀତି କାମ ହେଲା ଯେ, ବ୍ୟାଙ୍କ ଗୁଡ଼ିକୁ ଟଙ୍କା ପାଇଁ ଆସୁଥିବା ଲୋକ ମାନଙ୍କୁ ଫୋଲୋ କରିବା ଓ ସେମାନଙ୍କ ଠୁ ଟଙ୍କା ଲୁଟିବା । ଏମିତି କରି କରି ଲକ୍ଷାଧିକ ଟଙ୍କା ଏମାନେ ଲୋକ ମାନଙ୍କ ଠୁ ଲୁଟ୍ କରିଥିଲେ । ଆଉ ଲୁଟ୍ ଟଙ୍କାକୁ କାଳେ ପୋଲିସ ଧରି ଦେବ ସେ ଭୟରେ ଏମାନେ ଆଙ୍କଉଣ୍ଟ ମାଧ୍ୟମରେ ତାଙ୍କ ଘରକୁ ପଠାଉଥିଲେ । ଏହି ଘଟଣାରେ ତିନି ଜଣଙ୍କ ହାତ ରହିଥିବା ବେଳେ ଆଉ ଜଣେ ଫେରାର୍ ରହିଛି । ପୋଲିସ ଫେରାର୍ ଲୁଟେରାକୁ ମଧ୍ୟ ଧରିବା ପାଇଁ ଜାଲ ବିଛାଇ ସାରିଛି । ଅନ୍ୟପଟେ ଏହି ଗିରଫ ଦୁହି ଶ୍ୱଶୁର ଜ୍ୱାଇଁଙ୍କ ନାମ ପ୍ରମୋଦ ସିଂ ନାଥ (୪୬) ଓ ପ୍ରିନ୍ସ ସିଂ (୨୯) ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ପୋଲିସ ଗିରଫ ଶ୍ୱଶୁର ଜ୍ୱାଇଁଙ୍କ ନାମରେ ଆଉ କେଉଁ କେଉଁ ଥାନାରେ ମାମାଲା ରହିଛି ସେ ଦିଗରେ ମଧ୍ୟ ତଦନ୍ତ କରୁଥିବା ନେଇ ବଲାଙ୍ଗିର ଏସ୍ପି ଅଭିଳାଷ ଜି ସୂଚନା ଦେଇଛନ୍ତି ।