ପୋଲିସ–ଜନତା ସମ୍ପର୍କ ସୁଦୃଢ଼ କରିବାରେ ଏକ ଅନୁକରଣୀୟ ପଦକ୍ଷେପ :
ଠୂଟିଭଟାରେ ଖପ୍ରାଖୋଲ ପୋଲିସର ଜନସମ୍ପର୍କ ଶିବିର ସଫଳ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୋଲିସର ସୌଜନ୍ୟରେ ଖପ୍ରାଖୋଲ ପୋଲିସ ତରଫରୁ ସୋମବାର ଠୂଟିଭଟା ଗ୍ରାମରେ ଏକ ବୃହତ୍ ଜନସମ୍ପର୍କ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ରିତ କୁମାର ପଣ୍ଡା ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭାନପୁର ସରପଞ୍ଚ ଶ୍ରୀମତୀ ରୀନା ଜାଲ ଓ ଡି.ଭି.ଏଫ୍ ଇନଚାର୍ଜ ଜୟନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ । ଏହି ଅବସରରେ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିବା ବେଳେ, ବୃଦ୍ଧବୃଦ୍ଧାମାନଙ୍କୁ ସାଲ, କମ୍ବଳ, ଲାଇଟ୍, ଛତା, ସାଉଣ୍ଡ ବାକ୍ସ ଓ ବିଭିନ୍ନ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଥିଲା । ସେହିପରି ଯୁବ ପିଢିଙ୍କୁ କ୍ରିକେଟ କିଟ ସହ ଟିସାର୍ଟ ବଣ୍ଟନ କରି ଖେଳ ପ୍ରତି ଆଗ୍ରହ ବଢ଼ାଇବାକୁ ପ୍ରେରଣା ଦିଆଯାଇଥିଲା । ଶିବିର ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା । ଜିଲ୍ଲା ମୁଖ୍ୟାଳୟ ପୋଲିସ ଡାକ୍ତରଖାନାରୁ ଡାକ୍ତର ଚିନ୍ମୟ ବିଶ୍ୱାଳ, ଡାକ୍ତର ରଶ୍ମିତା ବେହେରା, ଫାର୍ମାସିଷ୍ଟ ନିରାକାର ବାରିକ, ଏ.ଏନ.ଏମ୍ ଚନ୍ଦ୍ରକାନ୍ତି ବରିହା ଓ ଏମ୍.ଏଚ୍.ୟୁ. ସଦସ୍ୟମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା ସେବା ସହ ଔଷଧ ବଣ୍ଟନ କରିଥିଲେ । ଏହା ସହିତ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗାଁର ୮ଟି କ୍ରିକେଟ ଦଳଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା, ଯାହା ଯୁବମାନଙ୍କ ମଧ୍ୟରେ ସହଯୋଗ ଓ ସାମାଜିକ ସମ୍ପ୍ରତିକୁ ଆହୁରି ମଜବୁତ କରିଥିଲା । ଏହି ଜନସମ୍ପର୍କ ଶିବିର ପୋଲିସ ଓ ସାଧାରଣ ଜନତା ମଧ୍ୟରେ ବିଶ୍ୱାସ, ସହଯୋଗ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ଏକ ସଫଳ ଓ ଅନୁକରଣୀୟ ପଦକ୍ଷେପ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।