ommm
jittmm

ପିଇବା ପାଣି ଗାଁ ଲୋକଙ୍କ ପାଇଁ ସାତ ସପନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସୂର୍ଯ୍ୟର ପ୍ରକୋପରେ ବଢ଼ି ଯାଉଛି ତାତି, ନଳକୂଅରୁ ଶୁଖି ଯାଉଛି ପାଣି । ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ବର୍ଷ ବର୍ଷ ଧରି ଡିମ୍‌ଡ଼ିମି ପିଟି ଯୋଜନା ପରେ ଯୋଜନା କରି, ଠିକାଦାର ପୋଷା ନୀତି ଚଳେଇଥିବା ବେଳେ ଗାଁ ମାନଙ୍କରେ ସେହି ଯୋଜନା ସମ୍ପୂର୍ଣ୍ଣ ହୋଇନାହିଁ । ଡବଲ ଇଂଜିନ ସରକାର ସବୁ ଦେଖି ଚୁପ । ପ୍ରଶାସନ ନିଜ ଅକ୍ଷମତାକୁ ଲୁଚେଇବା ପାଇଁ କିଛି ପାଣି ଟାଙ୍କି ନିର୍ମାଣ କରି ନେତା ମନ୍ତ୍ରୀଙ୍କୁ ଡାକି ଉଦ୍‌ଘାଟନ କରୁଥିବା ନଜରକୁ ଆସୁଛି । କିନ୍ତୁ ପାଣି ପାଇଁ ହନ୍ତସନ୍ତ ଖପ୍ରାଖୋଲ ବ୍ଲକର ଜନସାଧାରଣ । ଖପ୍ରାଖୋଲ ବ୍ଲକର ଅଧିକାଂଶ ଗ୍ରାମର ଲୋକଙ୍କୁ ପିଇବା ପାଣି ସାତ ସପନ ହୋଇଯାଇଛି । ବିକାଶ ନାଁରେ ରାଜକୋଷରୁ ପିଇବାପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ରୋଜଗାର ନାଁରେ କୋଟି କୋଟି ଟଙ୍କା ଯାଉଛି, ହେଲେ ସବୁ ଫସର ଫାଟି ଯାଉଛି । ନଳକୂଅ ପାଣି ତଳକୁ ଖସି ଯାଉଛି, ନଳକୂପରୁ ପାଣି ବାହାରୁନି, ଗାଁ ଲୋକ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ବିଶୁଦ୍ଧ ପାନୀୟ ଜଳ ହେଉ କି ଜଳ ଜୀବନ ମିଶନ ହେଉ ମନ୍ଥର ଗତିରେ ଚାଲିଛି କାମ । ସଦର ଖପ୍ରାଖୋଲ ଠାରେ ଘରକୁ ଘର ପାଣି ସଂଯୋଗ ପାଇଁ ଠିକାଦାର ରୋଡ଼ ଖୋଲି ଦେଇ କିଛି ଲୋକଙ୍କୁ ପାଇପ ସଂଯୋଗ କରି କୁଆଡେ ଗାୟବ ହୋଇଗଲେ । କିଛି ଦିନ ପରେ ମୌସୁମୀ ପହଞ୍ଚି ଯିବ କିନ୍ତୁ ଠିକାଦାରଙ୍କ ଦେଖାନାହିଁ କି ଆର୍‌ଡବ୍ଲୁଏସ୍‌ଏସ୍‌ ଯନ୍ତ୍ରୀ ଶ୍ୟାମ କୁମାରଙ୍କ ଦର୍ଶନ ନାହିଁ ବୋଲି ଲୋକେ କହୁଛନ୍ତି । । ଯୋଜନା ପରେ ଯୋଜନା, କେବଳ ଭାଙ୍ଗିବା, ଖୋଲିବା ପାଇଁ, କେବେ ସରିବ କାମ ? ସରକାରୀ ବାବୁ ଓ ଠିକାଦାର ଭିତରେ ଚାଲିଛି ସଳା ସୁତୁରା, କାହା ଛତ୍ରଛାୟା ତଳେ ଠିକାଦାର ବାବୁ, କିଏ ଦେଉଛି ଆଶ୍ରୟ ବୋଲି ଗାଁ ଗହଳିରେ ଜୋରସୋର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । କାମ ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ସରକାରୀ ବାବୁମାନେ ଠିକାଦାରଙ୍କୁ ବିଲ ବନେଇବା ପାଇଁ ଚଞ୍ଚକତା କରୁଥିବା ଖବର ମିଳିଛି । ଲୋକଙ୍କ ପାଇଁ ପାଣିର ସୁବିଧା ନ କଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଖପ୍ରାଖୋଲ ତଳିପଡ଼ା ଗ୍ରାମବାସୀ ।

Leave A Reply

Your email address will not be published.