ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପୁଳ ଭୋଟରେ ବିଜୟୀ ହେବା ପରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ପାଖରୁ ନିଜ ବିଜୟ ପ୍ରମାଣପତ୍ର ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି । ଏହି ଅବସରରେ ସେ ବଲାଙ୍ଗିରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ଉପରେ ଭରସା ରଖି ପୁଣି ଥରେ ନିର୍ବାଚନରେ ଲଢ଼ିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ ଅନ୍ୟ ଜାତୀୟ ସ୍ତରର ବିଜେପି ନେତୃବର୍ଗଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ବଲାଙ୍ଗିରର ବିଜେପି ନେତା ଓ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି । ଦୀର୍ଘ ୩୫ ବର୍ଷ ପରେ ଓଡ଼ିଶାରେ ନିଜ ଶକ୍ତିରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଆମେ ଖୁବ୍‌ ଗର୍ବିତ ବୋଲି କହିଛନ୍ତି ସାଂସଦ ସଂଗୀତା । କଣ୍ଟାବାଂଜିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ପରାଜିତ କରିବାରେ ସଫଳ ହୋଇଛି ବିଜେପି, ଏଥିରୁ ଓଡ଼ିଶାର ଜନାଦେଶକୁ ଅନୁମାନ କରାଯାଇପାରେ ବୋଲି ସେ ଦୃଢ଼ତାର ସହିତ କହିଛନ୍ତି । ବିଜେପି ସରକାର ଦ୍ୱାରା ଚାଲିଥିବା ରାଜ୍ୟର ବିକାଶ ଧାରାରେ ଏବେ ଓଡ଼ିଶା ସାମିଲ ହେବ ଏବଂ ବିଶେଷ କରି ପଶ୍ଚିମ ଓଡ଼ିଶାର ବିକାଶ ଦିଗରେ ଆମେ ବିଶେଷ ଯତ୍ନବାନ ହେବୁ ବୋଲି ମତ ରଖିଛନ୍ତି ସାଂସଦ ସଂଗୀତା ।

Leave A Reply

Your email address will not be published.