ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । କଣ୍ଟାବାଞ୍ଜି ବନମାଲି ପେଲେସ୍‌ରେ ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ଏବଂ ଏମ୍‌ଏମ୍‌ଆଇ ନାରାୟଣ ରାୟପୁର ହସ୍ପିଟାଲ୍‌ ପକ୍ଷରୁ ହୃଦ୍‌ରୋଗ ବିଷୟକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଯୋଗ ଦେଇଥିବା ବେଳେ ଏମ୍‌ଏମ୍‌ଆଇ ନାରାୟଣ ରାୟପୁର ହସ୍ପିଟାଲ ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ଶେଖର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କାହିକି ହୃଦୟ ରୋଗ ହୋଇଥାଏ । ଆମେ ଦୈନନ୍ଦିନ ଜୀବନରେ କଣ ସବୁ ପରିବର୍ତ୍ତନ କରିବା କଥା ସେନେଇ ଟିକିନିଖି ସଚେତନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପାଦକ ହୁଲେଶ୍ୱର ହଂସ ଟ୍ରଫି ଗ୍ରହଣ କରିଥିଲେ । ଏଭଳି ସମ୍ମାନ ଆଗକୁ ଆମ ସଂଘକୁ ଆହୁରି ଜନସେବା କାମ ପାଇଁ ପ୍ରେରଣା ଦେବ ବୋଲି ସଂଘ ସମ୍ପାଦକ ଶ୍ରୀ ହଂସ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧିତ କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂଶା କରାଯାଉଛି ।

Leave A Reply

Your email address will not be published.