କନ୍ଧମାଳରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ଜଣାଶୁଣା । ଶିକ୍ଷା, ସ୍ୱାସ୍ଥ୍ୟ ସବୁ ଦୃଷ୍ଟିରୁ ଏହି ଜିଲ୍ଲା ଅନେକ ପଛରେ ରହିଛି । କେନ୍ଦ୍ର ସରକାର କନ୍ଧମାଳର ବିକାଶ ପାଇଁ ଏହାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ରହିଛି । ଜିଲ୍ଲାର ଭିତ୍ତିଭୂମି ଅତି ଦୁର୍ବଳ । ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ କୌଣସି ସ୍ତରରେ ଗୁଣାତ୍ମକ ଶିକ୍ଷାଦାନର ସୁବିଧା ନାହିଁ । ଜିଲ୍ଲାରେ କୌଣସି ବଡ ଧରଣର ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ନାହିଁ । ଏହି ଦୃଷ୍ଟିରୁ ଫୁଲବାଣୀ ଠାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଗୁରୁବାର ଲୋକସଭାରେ ଏ ବିଷୟ ଉପସ୍ଥାପନ କରି ସାଂସଦ କହିଛନ୍ତି, ବର୍ତ୍ତମାନ ଓଡିଶାରେ କେବଳ କୋରାପୁଟଠାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି । ଭୌଗୋଳିକ ଦୃଷ୍ଟିରୁ କନ୍ଧମାଳ ରାଜ୍ୟର କେନ୍ଦ୍ରରେ ଅବସ୍ଥିତ । ତେଣୁ କନ୍ଧମାଳ ଜିଲ୍ଲା ତଥା ସମଗ୍ର ଲୋକସଭା କ୍ଷେତ୍ରର ଶିକ୍ଷାର ବିକାଶ ପାଇଁ ଏଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସାଂସଦ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଗତ ୩ ଦିନ ତଳେ ସାଂସଦ କନ୍ଧମାଳ ସଂସଦୀୟ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୬୦୦ଟି ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି କରିଥିଲେ । ବିଶେଷ କରି କନ୍ଧମାଳ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ଥିବାରୁ ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.