ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମର୍ପଣ ତରଫରୁ ପବିତ୍ର ପୁରୀଧାମ ଠାରେ ଏକ ବିରାଟ ରାଜ୍ୟସ୍ତରୀୟ ରକ୍ତଦାତା ସମାବେଶ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନିୟମିତ ରକ୍ତଦାତା ଓ ରକ୍ତଦାନ ପାଇଁ କାର୍ଯ୍ୟରତ ସ୍ୱେଛାସେବୀ ସଂଗଠନ ମାନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଥିଲା । ବାରିପଦାର ନିୟମିତ ରକ୍ତଦାତା ଭାବରେ ଡଃ. ନିରୋଜ କୁମାର ପୋଥାଳଙ୍କୁ ଅନୁଷ୍ଠାନ ତରଫରୁ ଚୟନ କରାଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ମାନପତ୍ର ସହ ଉପଢୌକନ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉ କି ଡଃ. ନିରୋଜ କୁମାର ପୋଥାଳ ଆଜିକୁ ୨୪ ଥର କ୍ୟାନସର ଓ ବୋନମେରୋ ପୀଡ଼ିତ ରୋଗୀଙ୍କ ପାଇଁ ନିୟମିତ ପ୍ଲେଟଲେଟ ଦାନ ସହିତ ସମୁଦାୟ ୧୩୪ ଥର ରକ୍ତଦାନ କରି ଥିବାରୁ ତାଙ୍କୁ ଏହି “ସେବାସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସମର୍ପଣ ଅନୁଷ୍ଠାନର ସଭାପତି ଡ. ଅଭିମନ୍ୟୁ ଭୂୟାଁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହଲିଙ୍ଗ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୁରୀ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଅଧ୍ୟକ୍ଷ ଡଃ ବଦ୍ରି ମିଶ୍ର, ସମ୍ପାଦିକା ଜୟନ୍ତୀ ମହାପାତ୍ର, ଆବାହକ ମଧୁସୂଦନ ମିଶ୍ର, ସଂଯୋଜକ ସୌମ୍ୟ ରଞ୍ଜନ ପାତ୍ର, ଗୋବିନ୍ଦ ପାତ୍ର ପ୍ରମୁଖ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ । ଡଃ ନିରୋଜ ଏହି ସମ୍ମାନ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।