
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଗୁରୁଦିବସ ଓ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିହୁଙ୍କା ଶିଶୁଆପଡା ୟୁଜିୟୁପି ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମହାନ୍ ଛାତ୍ର ବତ୍ସଲ୍ୟ ଶିକ୍ଷକ ରାଧାକ୍ରିଷ୍ଣନ୍ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ସାରିବା ପରେ ଛାତ୍ର ଛାତ୍ରୀ ଗଣ ଗୁରୁ ପୂଜନ କାର୍ଯ୍ୟ କରିଥିଲେ । ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଗୁରୁଦିବସର ମହତ୍ତ୍ୱ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କରିବା ସହିତ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ବରିଷ୍ଠ ଓ କନିଷ୍ଠ ଦୁଇ ଭାଗରେ ବିଭକ୍ତ କରାଯାଇ ନୃତ୍ୟ, ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ସହକାରୀ ଶିକ୍ଷକ ମହେଶ୍ୱର ପ୍ରଧାନ, ଗଦାଧର ପାଣି, ଗାୟତ୍ରୀ ସାହୁ, ଖେଳ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ରାଉତରାୟ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଗଣେଶ ମହାରଣା, ଉପାଧ୍ୟାକ୍ଷା ରାଜଲକ୍ଷ୍ମୀ ବଡ଼ଜେନା, ସଦସ୍ୟ ବେଣୁଧର ମଙ୍ଗରାଜ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଗୁରୁ ଭକ୍ତିର ତାପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।