ଅଜଣା ଭାଇରସ ଦ୍ୱାରା କୁକୁଡ଼ା ସଂକ୍ରମିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଜଣା ଭାଇରସ ସଂକ୍ରମିତ ହେବା ଦ୍ୱାରା ପୁରୀ ଜିଲ୍ଲାରେ କୁକୁଡ଼ା ଚାଷ ସଙ୍କଟରେ । ସହସହ ବ୍ରଏଲର କୁକୁଡ଼ା ଫାର୍ମ ଭିତରେ ମରିଯାଉଥିବାରୁ ବିଚରା କୁକୁଡ଼ାଚାଷୀ ମୁଣ୍ଡରେ ଚଡକ ପଡିଛି । ମଲା କୁକୁଡ଼ାକୁ ବାହାରେ ଫିଙ୍ଗିବାରୁ କୁକୁର ଓ ବିଲୁଆ ବୋହିନେଇ ଏଣେତେଣେ ପକାଇ ପରିବେଶକୁ ଆହୁରି ପ୍ରଦୂଷଣ କରୁଛନ୍ତି । ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ଓ ନିମାପଡା ଇତ୍ୟାଦି ଅଂଚଳରେ କୁକୁଡ଼ା ମଡ଼କ ସମସ୍ୟା ଦିନକୁ ଦିନ ସାଂଘାତିକ ରୂପ ନେଉଛି । ଏହାର ଜରୁରୀ ପ୍ରତିକାର ପାଇଁ ପାଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ ତରଫରୁ ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡା ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀ ତଥା ଉଚ୍ଚାକର୍ତୃପକ୍ଷଙ୍କ ନିକଟରେ ଦାବୀ କରିବା ସହିତ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ନିବେଦନ କରିଛନ୍ତି । ଫନି ମହାବାତ୍ୟା ପରେ କୁକୁଡ଼ା ଚାଷୀ ଠିକ ଅଣ୍ଟା ସଳଖି ଚାଲିଲା ବେଳକୁ କ୍ରମାଗତ ଅଜଣା ଭୁତାଣୁଜନିତ ରୋଗ ଚାଷୀକୁଳର ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଏଣୁ ରାଜ୍ୟରେ ଚିକେନ୍‌ ଚାହିଦା ଦିନକୁଦିନ ବୃଦ୍ଧି ପାଉଥିବାବେଳେ କୁକୁଡ଼ା ଉତ୍ପାଦନରେ ଏପରି ଦୁରବସ୍ଥା କୁକୁଡ଼ାଶିଳ୍ପକୁ ତଳିତଳାନ୍ତ କରିଦେଉଛି । ପିପିଲିକୁ କୁକୁଡ଼ା ମାଂସ / ଚିକେନ ଉତ୍ପାଦନ ପାଇଁ ଏକ କୁକୁଡ଼ା ମାଂସ ଉତ୍ପାଦ ଜିଲ୍ଲା ଭାବେ ଚିହ୍ନଟ କରାଯାଉଥିବା ବେଳେ ଏପରି ଘଟଣା ଖାଉଟି ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପିପିଲି -ଡେଲାଙ୍ଗ ଅଂଚଳରେ ପ୍ରାୟ ଛୋଟବଡ଼ ଦେଢ଼ହଜାର କୁକୁଡ଼ା ଫାର୍ମ ଅଛି ଯେଉଁଠି ପ୍ରତି ମାସରେ ୪୦ ଦିନିଆ ଚାଷ ପାଇଁ ୨ ଲକ୍ଷ କୁକୁଡ଼ାଚିଆଁ ଛଡା ହୁଅନ୍ତି ଓ ଖାଉଟିଙ୍କ ଚାହିଦା ଅନୁସାରେଏଠିକାର ଚାଷୀମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚିକେନ ଯୋଗାଇଥାନ୍ତି । ଏହି ପରିସ୍ଥିତିରେ ପିପିଲି ଓ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ଫାର୍ମକୁ ଫାର୍ମ ବୁଲି ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ଅନୁଧ୍ୟାନ କରୁଛନ୍ତି । କୁକୁଡ଼ା ମଡ଼କ ବୟରେ ଇଣ୍ଟିଗ୍ରସନ କମ୍ପାନୀ ମାନେ ଏବେଠୁ ଆଉ ଫାର୍ମ ମାନଙ୍କରେ ଚିଆଁ ଛାଡିବାରେ ରୋକ ଲଗାଇଥିବା ସୂଚନା ମିଳୁଛି ।

Leave A Reply

Your email address will not be published.