ବରଗଡ, (ମୁନ୍ନା ସାହୁ) : ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’ । ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସ ହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟଦାର ସହ ସତ୍କାର କରି ସଂଗଠନ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ସିନ୍ଦୁରବାହାଲ ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା । ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରାଯାଇଥିଲା । ପ୍ରଶାସନର ଅନୁରୋଧକୁ ରକ୍ଷା କରି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଥିଲେ । ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ, ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ । କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି । ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି ।