ବଲାଙ୍ଗିରରେ ମାଁ ବାଗଦେବୀ ପୂଜାନୋତ୍ସବ ଓ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଙ୍ଗୀତ, ନୃତ୍ୟ, କଳା ଓ ଯୋଗ ଶିକ୍ଷ୍ୟା କେନ୍ଦ୍ର “ନାଦନିକୁଞ୍ଜ” ବଲାଙ୍ଗିର ଠାରେ ବାଗ୍‌ଦେବୀ ପୂଜାନୋତ୍ସବ ଓ ଏକ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁଶ୍ରୀ ଦୁର୍ଯ୍ୟୋାଧନ ମିଶ୍ର, ଗୁରୁଶ୍ରୀ ଡା. ଘାସିରାମ ମିଶ୍ର ଓ ଅନୁଷ୍ଠାନର ସଭାପତି ଶଶିଭୂଷଣ ପୁରୋହିତଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ପରେ ଅନୁଷ୍ଠାନର ଛାତ୍ରଛତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ପରେ ଡ଼ା. ମିଶ୍ରଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ଗୁରୁଶ୍ରୀ ମିଶ୍ର ନିଜ ବକ୍ତବ୍ୟ ପ୍ରଦାନ କରି, ବଲାଙ୍ଗିରରେ ଏହିପରି କାର୍ଯ୍ୟକ୍ରମ ଅନନ୍ୟ ଅଟେ ବୋଲି କହିଥିଲେ ଓ ଅନୁଷ୍ଠାନର ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ । ଏହା ପରେ ହୃଷୀକେଶ ଦାଶଙ୍କ ସଂଯୋଜନାରେ ସଙ୍ଗୀତ ପରିବେଷ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଭୁବନେଶ୍ୱରରୁ ଆସିଥିବା ସରୋଦ ବାଦକ ଗୁରୁ ସନ୍ଦିପ କୁମାର ରାଉତଙ୍କ ସରୋଦ ବାଦନ ଓ ଗୁରୁଶ୍ରୀ କୁଳମଣି ସାହୁଙ୍କ ତବଲା ବାଦନ ଉଚ୍ଚ ପ୍ରଶଂସିତ ହୋଇଥିଲା । ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ଓ ସୁଶ୍ରୀ ଆର୍ଯ୍ୟା ଆଦ୍ୟାଶକ୍ତି ତ୍ରିପାଠୀଙ୍କ କଣ୍ଠ ସଙ୍ଗୀତ, ଆକାଶ ପଟ୍ଟନାୟକ ଓ ସତମନ୍ୟୁ ମିଶ୍ରଙ୍କ ବଂଶୀ ବାଦନ ତଥା ପ୍ରାଣ ପ୍ରକାଶ ଦାସ୍ ଓ ସୁଭାଷ ପଟ୍ଟନାୟକଙ୍କ ତବଲା ବାଦନ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପ୍ରଭଞ୍ଜନ ରାୟଗୁରୁ ଓ ଡି. ଶଙ୍କର ନାରାୟଣ ମୂର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶିଷ୍ଟ କଳାକାର ବାଣୀକଣ୍ଠ ଦୁଃଖିଶ୍ୟାମ ତ୍ରିପାଠୀ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ଆଲୋକ ପ୍ରକାଶ ଦାସ୍, ବିଜୟ କୁମାର୍ ତ୍ରିପାଠୀ, ନବ କିଶୋର ବେହେରା, ରମେଶ ଚନ୍ଦ୍ର ପାଢ଼ୀ, ପ୍ରଭାସ ଷଡ଼ଙ୍ଗୀ, ପ୍ରଭାତ ମିଶ୍ର ଓ ବଲାଙ୍ଗିରର ଅନେକ ମାନ୍ୟଗଣ୍ୟ କଳାକାର ସହ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.