ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କବାଲାଙ୍କୁ ବଲାଙ୍ଗିର ଷ୍ଟେସନ ନୀରିକ୍ଷଣ କଲା ଅବସରରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଦାବିପତ୍ର ଦେଇଥିଲେ । ସୌଜନ୍ୟପୂର୍ଣ୍ଣ ସାକ୍ଷାତକାରରେ ସଭାପତି ବଲାଙ୍ଗିରରୁ ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ, ଭୁବନେଶ୍ୱରକୁ ଯାଇ ଫେରି ଆସୁଥିବା ଏକ ସକାଳୁଆ ଟ୍ରେନ ସହ ବଲାଙ୍ଗିର ଖୋର୍ଦ୍ଧା ରେଳ ଲାଇନ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ସମୟରେ ବଲାଙ୍ଗିର ଠାରେ ପିଟ୍ ଲାଇନ ନିହାତି ଜରୁରୀ ବୋଲି ଦାବି ରଖିଥିଲେ । ପ୍ରତି ଉତ୍ତରରେ ସର୍ଭେ ଚାଲିଛି ସରିଲେ ଦେଖାଯିବ ଓ ସିଧାସଳଖ ଟ୍ରେନ ପାଇଁ ପ୍ରସ୍ତାବ ଯାଇଛି ବୋଲି କହିଥିଲେ । ଦାବିପତ୍ରରେ ଟିଟିଲାଗଡରୁ ସମ୍ବଲପୁରକୁ ତୃତୀୟ ରେଳ ଲାଇନ, ବଲାଙ୍ଗିରରେ ୪ ଓ ୫ ନମ୍ବର ପ୍ଲାର୍ଟଫର୍ମର ନିର୍ମାଣ, ଏଡିଆରଏମ୍ ଅଫିସର ପ୍ରତିଷ୍ଠା, ବଲାଙ୍ଗିର ଆଟଗାଁ ରାସ୍ତା ଓ ଲୋଇସିଂହାକୁ ମିଶାଇ ଏକ ଓଭରବ୍ରିଜର ନିର୍ମାଣ ଓ ସମ୍ବଲପୁର ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଆଦି ଦାବି ଅନ୍ତର୍ଭୁକ୍ତ । ଉକ୍ତ ପ୍ରତିନିଧି ଦଳରେ ସଂପାଦକ ବିମଲ ଚକ୍ରବର୍ତ୍ତି, କାର୍ଯ୍ୟକାରିଣୀ ସଭ୍ୟ ଦିବାକର ହୋତା, ଅଦିଭକ୍ତା ଋତୁରାଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସାକ୍ଷାତକାର ସମୟରେ ସମ୍ବଲପୁର ରେଳ ମଣ୍ଡଳର ଡିଆରଏମ୍ ମଧ୍ୟ ଉପସ୍ଥିତ ଥିଲେ ।
Prev Post