ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାର୍ଟ୍ ଫୋନ୍ ପିଲାଙ୍କ ପାଠପଢାରେ ଯେତେ ସହାୟକ ହେଉଛି ତାଠାରୁ ଅଧିକ ସେମାନଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ଫୋନରେ ଥିବା ବିଭିନ୍ନ ଅନଲାଇନ୍ ଗେମ୍ ଖେଳି ଛାତ୍ରଛାତ୍ରୀ କୁପଥଗାମୀ ହେବା ସହିତ ଅଶ୍ଲୀଳ ଓ ଅପରାଧିକ ଭିଡିଓ ଦେଖି ନିଜେ ଅପରାଧି ସାଜିବାର ଏବଂ ସ୍ଥଳ ବିଶେଷରେ ଆତ୍ମହତ୍ୟା ପ୍ରବଣତାର ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳୁଛି । ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ କେବଳ ଜ୍ଞାନ ବାଣ୍ଟିଲେ ସେମାନେ ମାନିବେ ନାହିଁ । ସେମାନଙ୍କୁ ସ୍ମାର୍ଟ୍ ଫୋନର ସଦବ୍ୟବହାର ସମ୍ପର୍କରେ ସଚେତନ କରିବାକୁ ହେଲେ ନିଜେ ରୋଲ୍ ମଡେଲ୍ ସାଜି ସଂଯମତା ରକ୍ଷା କରିବାକୁ ହେବ । ତାଙ୍କ ସହ ସ୍ନେହପୂର୍ଣ୍ଣ କଥାବାର୍ତ୍ତା କରି ବୟସ ଅନୁଯାୟୀ ତାଙ୍କର ଆବଶ୍ୟକତା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ୱାରା ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଆୟୋଜିତ ‘ମାସିକ ରଚନା ସନ୍ଧ୍ୟା’ କାର୍ଯ୍ୟକ୍ରମରେ “ପିଲାଙ୍କ ଉପରେ ସ୍ମାର୍ଟ୍ ଫୋନର ପ୍ରଭାବ” ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି । ଏଥିରେ ଅତିଥିବକ୍ତା ଭାବରେ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କନ୍ଧକେଲଗାଁର ଅଧ୍ୟକ୍ଷ ରାମ ଗୋପାଳ ଖମାରୀ ଶର୍ମା ଏବଂ ଭୀମ ଭୋଇ ମେଡିକାଲ କଲେଜର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଆଶୀର୍ବାଦ ଶତପଥୀ ଯୋଗଦେଇ ପିଲାଙ୍କୁ ଧିର ସ୍ଥିର ଭାବରେ ବୁଝାଇ କିପରି ଏହି ସ୍ମାର୍ଟ୍ ଫୋନର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରଖି ସେମାନଙ୍କୁ ପୁସ୍ତକ ପଢିବା ଓ ଅନ୍ୟାନ୍ୟ ସୃଜନମୂଳକ କାର୍ଯ୍ୟରେ ନିୟୋଜିତ କରିହେବ ସେସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ଅତିଥିବକ୍ତା ଭାବରେ ସୁଗୃହିଣୀ ଲିତୁରାଣୀ ଶତପଥୀ, ସରକାରୀ ମହାବିଦ୍ୟାଳୟର ଛାତ୍ର ସମ୍ବିତ ମିଶ୍ର ଓ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁହାନା ଠେଲା ନିଜ ନିଜର ଅନୁଭବ ଓ ଅନୁଭୂତି ବ୍ୟକ୍ତ କରିଥିଲେ । ପ୍ରାରମ୍ଭିକ ସୂଚନା ଏବଂ ସଭା ସଂଯୋଜନା କରିଥିଲେ ‘ରଚନା’ର ସଦସ୍ୟା ଝରଣା ସାହୁ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ସାହିତ୍ୟିକ, ବୁଦ୍ଧିଜୀବୀ, ସମାଜସେବୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

Leave A Reply

Your email address will not be published.