ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଆରକ୍ଷୀ ବିଭାଗ ମୁଖ୍ୟାଳୟ ଠାରେ ଗଞ୍ଜାମ ଆରକ୍ଷୀ ବିଭାଗ ତରଫରୁ ରାଜ୍ୟସ୍ତରୀୟ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ ପୂର୍ତ୍ତି କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ଉତ୍ସବରେ ‘ବନ୍ଦେ ମାତରମ୍’ ସମୂହ ଗାନ ପରିବେଷିତ ହୋଇଥିଲା । ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ କାର୍ଯ୍ୟକ୍ରମ ଅନୁଯାୟୀ ଏଠାରେ ଏହି ସମୂହ ଗାନ ପରମ୍ପରା କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ କିପରି ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ସହ ଅତିରକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ ସୀମା ସ୍ୱାଇଁ ଓ ଅନ୍ୟ ସମସ୍ତ ଆରକ୍ଷୀ ପଦାଧିକାରୀ ଓ ପୋଲିସ କର୍ମଚାରୀ ଯୋଗ ଦେଇ ସାମୁହିକ ଭାବରେ ବନ୍ଦେ ମାତରମ୍’ ଗାନ କରିଥିଲେ । ଆଗାମୀ ଏକବର୍ଷ ଧରି ସମସ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ମାଧ୍ୟମରେ ସାମୁହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ପ୍ରଚଳନ ତଥା ଚାଲିବାକୁ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ କହିଥିଲେ । ଏହାକୁ କାର୍ଯ୍ୟକାରୀ କରାଯିବା ନିମନ୍ତେ ସମସ୍ତେ ସଙ୍କଳ୍ପବଦ୍ଧ ହୋଇଛନ୍ତି ।