ତୁମୁଡିବନ୍ଧ ପଞ୍ଚାୟତ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କଲେ ସରପଞ୍ଚ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ପଞ୍ଚାୟତକୁ ସାପ୍ତାହିକ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଖବର ଅନୁଯାୟୀ, ଗତ କିଛିଦିନ ହେଲା ତୁମୁଡିବନ୍ଧ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ପାଟ୍ଟମାଝୀ ପଞ୍ଚାୟତକୁ ଚଳିତ ମାସ ୧୭ ତାରିଖ ପର୍ୟ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ପୁରା ଅଞ୍ଚଳରେ ସାପ୍ତାହିକ ସଟଡାଉନ୍ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଲକଡାଉନ୍ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଥିଲା । ବଜାର, ବୁଡାପଡ଼ା, ଖାରିସାହି ଅଞ୍ଚଳରୁ ଦୁଇ ଦିନ ମଧ୍ୟରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକି ତୁମୁଡିବନ୍ଧ ପଞ୍ଚାୟତ ପାଇଁ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତେବେ ଏହି ସଟଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଏହା ବ୍ୟତୀତ ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ପଞ୍ଚାୟତ ପକ୍ଷରୁ କୁହାଯାଇଛି । ଯଦି କେହି କୋଭିଡ଼ କଟକଣାକୁ ନମାନନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.