jayashree

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବ ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା’ ଜଗତ ଜନନୀ ପାର୍ବତୀଙ୍କର ପବିତ୍ର ବିବାହ ତିଥି ଅନୁଯାୟୀ ପାଳନ କରାଯାଇଥାଏ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ଶୀତଳତାକୁ ପରିବର୍ତ୍ତିତ ହୋଇଥାଏ । ତେଣୁ ଏହି ତିଥିରେ ହିଁ ଶିବ ପାର୍ବତୀ ବିବାହ ଉତ୍ସବ ଆୟୋଜନ ହେବା ସହ ଷଷ୍ଠୀରେ ଯୁଗଳ ଦର୍ଶନ ଦେଇଥାନ୍ତି ଦେବ ଦମ୍ପତି, ଯାହାକୁ ଶୀତଳଷଷ୍ଠୀ ଭାବରେ ମହାସମାରୋହରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳଷଷ୍ଠୀ କମିଟି, ପଦ୍ମପୁର ତରଫରୁ ମଧ୍ୟ ପଦ୍ମପୁର କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ବିବାହ ଏବଂ ଶୀତଳଷଷ୍ଠୀ ଉତ୍ସବ ଆୟୋଜିତ ହୋଇଯାଇଛି । ରୀତିନୀତି ଅନୁଯାୟୀ କମିଟି ପକ୍ଷରୁ ପ୍ରଥମେ ଶପ୍ତ ରୁଷି ଏବଂ ନବଗ୍ରହ ଦେବତାଙ୍କ ଆବହନରେ ପତ୍ର ପେଣ୍ଡି ଉତ୍ସବ ସମାପନ ସହ ମା’ଙ୍କର ଅଳଙ୍କାର ଧାରଣ ଉତ୍ସବ ପାଳନ କରାଯାଇଥିଲା । ସେହିପରି ମାନବୀୟ ପରମ୍ପରା ଓ ବୈଦିକ ରୀତିରେ ଉଭୟ ଶିବଶକ୍ତିଙ୍କର ହରିଦ୍ର ଲେପନ ଏବଂ ତାପରେ ଭବ୍ୟ ଶୋଭାଯାତ୍ରାରେ ପଞ୍ଚ ବାଦ୍ୟ, ଦୁଲ୍‌ଦୁଲି, ସଙ୍କୀର୍ତ୍ତନ, ଘଣ୍ଟ, ଶଙ୍ଖ, ଡମ୍ବରୁ ସହ ବୈଦିକ ମନ୍ତ୍ରରେ ସାରା ନଗର ପ୍ରକମ୍ପିତ ହୋଇ ଉଠିଥିଲା । ଭବ୍ୟ ପଟୁଆରରେ ଦେବ ଦେବ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ବରଯାତ୍ରା ଭକ୍ତଙ୍କ ଭିଡରେ ମାତା ଜଗତ ଜନନୀ ପାର୍ବତୀଙ୍କ ପିତାମାତା ଘରେ ପହଞ୍ଚିବା ସହ ମହାସମାରୋହରେ ଦେବ ଦମ୍ପତିଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଏହି ପବିତ୍ର ବିବାହ ଉତ୍ସବର ସାକ୍ଷ୍ୟ ରହିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଭିଡ଼ ଜମିଥିଲା । କନ୍ୟା ମାତାପିତା ଭାବରେ ଅରୁଣ ଦାନୀ ଓ ରୂପା ରାଣୀ ଦାନୀ କନ୍ୟାଦାନ କରିଥିବା ବେଳେ ବର ପିତାମାତା ଭାବରେ ପ୍ରଶାନ୍ତ ସାହୁ ଓ ରାଜଶ୍ରୀ ସାହୁ ଦାୟିତ୍ଵ ତୁଲାଇଥିଲେ । ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ତଥା ପ୍ରଦୀପ ରଥଙ୍କ ପୌରାହିତ୍ୟରେ ବିବାହ କାର୍ଯ୍ୟ ସଂପାଦନ ହୋଇଥିବା ବେଳେ ପୂଜକ ଟଙ୍କଧର ମହାପାତ୍ର ଓ ସତ୍ୟପ୍ରକାଶ ପାଣିଗ୍ରାହୀ ପୂଜା କାର୍ଯ୍ୟ ସମ୍ପାଦନାରେ ସହଯୋଗ କରିଥିଲେ । ତେବେ ଆଜି ଉଭୟ ଶିବଶକ୍ତିଙ୍କ ଯୁଗଳ ମୂର୍ତ୍ତି ଷଷ୍ଠୀ ଉତ୍ସବର ଭବ୍ୟ ଶୋଭାଯାତ୍ରାରେ କନ୍ୟା ମାତାପିତାଙ୍କ ଘରୁ ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିରରେ ପ୍ରବେଶ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସୁରୁଖୁରୁରେ ଏବଂ ବୈଦିକ ପରମ୍ପରାଗତ ନୀତିରେ ଉତ୍ସବ ସମ୍ପନ୍ନରେ ସହଯୋଗ ତଥା ସମ୍ମିଳିତ ହେବା ପାଇଁ ସମଗ୍ର ପଦ୍ମପୁରବାସୀ ଏବଂ ଭକ୍ତଙ୍କୁ କମିଟି ପକ୍ଷ୍ୟରୁ ଧନ୍ୟବାଦ ଦିଆଯାଇଛି ।

Leave A Reply

Your email address will not be published.