ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ‘ସାଂପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଲୋକସଂସ୍କୃତି ଓ ମାତୃଭାଷା ପ୍ରସଙ୍ଗ’ ଶୀର୍ଷକରେ ଏକଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବରେ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ସାଂସ୍କୃତିକ ସୌନ୍ଦର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଲୋକ ସାହିତ୍ୟ ତତ୍ୱ ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇ ପ୍ରାଥମିକ ବିଦ୍ୟାଳୟସ୍ତରରେ ଓଡ଼ିଆ ଲୋକସଂସ୍କୃତି ଓ ମାତୃଭାଷାର ପ୍ରୟୋଗ ସଂପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବରେ ଡକ୍ଟର ଛାୟାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଓଡ଼ିଆ ଭାଷାର ସାଂପ୍ରତିକ ସ୍ଥିତି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତା ଭାବେ ପ୍ରଫେସର ବିଜୟ କୁମାର ବେହେରା ଯୋଗଦେଇ ଓଡ଼ିଆ ଭାଷାର ଆଞ୍ଚଳିକ ରୂପ ସଂପର୍କରେ ଅବଗତ କରାଇଥିଲେ । ସମ୍ପାନର ଆବାହକ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଆଲୋଚନା ଚକ୍ରର ଅଭିଲକ୍ଷ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ସମ୍ପାନ ଉପଲକ୍ଷେ ଆୟୋଜିତ ଶୁଦ୍ଧ ଓଡ଼ିଆ ଲିଖନ, ଓଡ଼ିଆ ବକ୍ତୃତା ଏବଂ ଓଡ଼ିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ସହିତ ପ୍ରମାଣ ପତ୍ର ଓ ପୁସ୍ତକ ପ୍ରଦାନ କରାଯାଇଥିଲା । ଅନ୍ୟାନ୍ୟ ଅଧିବେଶନ ଗୁଡିକରେ ପ୍ରଫେସର ସୁଧୀର କୁମାର ସାହୁ, କବି ସନ୍ଦୀପ କୁଅଁର, କବି ନବୀନ ବିଶ୍ୱବନ୍ଧୁ, ଡକ୍ଟର ଲକ୍ଷ୍ମଣ କୁମାର ମେହେର, ଡକ୍ଟର ପବିତ୍ର ଦଣ୍ଡସେନା, ଡକ୍ଟର ପରୀକ୍ଷିତ ଭୋଇ, ଡୋଳାମଣି ମାଝୀ, ଅଧ୍ୟାପକ ସୁମନ୍ତ ରଣା, ଅଧ୍ୟାପକ ଆଶୀର୍ବାଦ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଏହା ସହିତ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ସମେତ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅନେକ ଅଧ୍ୟାପକ ଅଧ୍ୟାପିକା ଏବଂ ଗବେଷକ ଗବେଷିକା ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ଘୁମୁରା, ଘୁଡୁକା ଏବଂ ଡାଲଖାଇ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।