ପୁନଶ୍ଚ ପୃଥିବୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

  • ବିଶ୍ୱ ଉତ୍ତାପ କମାଇବା ଲାଗି ବିକଳ୍ପ ଇନ୍ଧନର ବ୍ୟବହାର ଓ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ୱରରେ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ମତ ରଖି କେନ୍ଦ୍ର ମନ୍ତ୍ରୀ କହିଥିଲେ, ତିନୋଟି ପ୍ରମୁଖ କାରଣରୁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି । ବିକାଶ, ନୂଆ ଜ୍ଞାନକୌଶଳ ଏବଂ ଲଗାତାର ଜୈବବିବିଧତାର କ୍ଷୟ କାରଣରୁ ବିଶ୍ୱ ଉତ୍ତାପନ ବଢ଼ୁଛି । ଭବିଷ୍ୟତ ପିଢ଼ି ପାଇଁ ଏହା ବିପଜ୍ଜନକ ବୋଲି ସେ କହିଥିଲେ । ପୃଥିବୀର ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ୍ୟସ୍ତରକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ପ୍ୟାରିସ୍ ଜଳବାୟୁ ସମ୍ମିଳନୀରେ ହୋଇଥିବା ସହମତି ଅନୁରୂପ ସବୁ ଦେଶ ନିଜ ନିଜର ପରିବେଶ ମୁତାବକ ନେଟ୍ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବା ବର୍ତ୍ତମାନ ସମୟର ଆବଶ୍ୟକତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ପରିବେଶ ଅନୁକୂଳ ଜୀବନଶୈଳୀ ବା ମିଶନ ଲାଇଫ୍ ଉପରେ କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ହେବା ଲାଗି ସାରା ବିଶ୍ୱ ପାଇଁ ଏକ ଉପଯୁକ୍ତ ମାର୍ଗ । ପରିବେଶ ସଂରକ୍ଷଣ ପାଇଁ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ସୂଚନା ଦେଇ ଶ୍ରୀ ଯାଦବ କହିଥିଲେ, ପ୍ୟାରିସ ଜଳବାୟୁ ରାଜିନାମାରେ ଭାରତ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛି । ଭାରତ ନିଜର ଅଙ୍ଗାରକାମ୍ଳ ନିର୍ଗମନ ପରିମାଣକୁ ୨୦୦୫ ସ୍ତର ତୁଳନାରେ ୨୦୩୦ ସୁଦ୍ଧା ଜିଡିପିର ୪୫ ପ୍ରତିଶତ ସ୍ତରକୁ ଆଣିବା ଲାଗି ପ୍ରତିଶ୍ରୁତି ଦେଇଛି । ସେହିପରି ଅଣଜୀବାଶ୍ମ ଆଧାରିତ ଇନ୍ଧନ ଉତ୍ସରୁ ୫୦% ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଦେଶ ଲକ୍ଷ୍ୟ ଧାର୍ଯ୍ୟ କରିଛି ବୋଲି ଶ୍ରୀ ଯାଦବ କହିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ, ସଂକଟରୁ ସମାଧାନ ବାହାର କରିବା ପ୍ରତି ସରକାର ଯତ୍ନବାନ ଅଛନ୍ତି । ଗାନ୍ଧୀଜୀଙ୍କ ନୀତିଆଦର୍ଶକୁ ଅନୁସରଣ କରି ସ୍ୱଚ୍ଛତା, ସହିଷ୍ଣୁତା ଓ ସ୍ଥାନୀୟତା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଜରୁରି । ପୃଥିବୀରେ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଯଥେଷ୍ଟ ସମ୍ବଳ ରହିଛି, କିନ୍ତୁ ଏହାର ଶୋଷଣ କରାଯିବା ଉଚିତ୍ ନୁହେଁ ବୋଲି ବାପୁ ଦେଇଥିବା ଆହ୍ୱାନକୁ ସମସ୍ତେ ଆପଣାଇବା ଉଚିତ୍ । ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଓ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ବହୁ ପରିବେଶବିତ, ବୁଦ୍ଧିଜୀବୀ ଏବଂ ଗବେଷକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାମ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!