
ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୬ରୁ ୩୦ ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ

ବ୍ରହ୍ମପୁର, (କେପିଏନ୍ଏସ୍) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଆବୁ ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଗାମୀ ୨୦୨୪ ସେପ୍ଟେମ୍ବର ୨୬ରୁ ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ମିଡିଆ ୱିଙ୍ଗର ଚେୟାରମ୍ୟାନ ବି.କେ କରୁଣା ଓଡ଼ିଶା ରାଜ୍ୟ ଶାଖାକୁ ସୂଚନା ଦେଇଛନ୍ତି । ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ‘ସୁସ୍ଥ ଓ ସୁଖୀ ସମାଜ ପାଇଁ ଆଧ୍ୟାତ୍ମିକ ସଶକ୍ତିକରଣ-ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ହଜାର ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବାଦପତ୍ରର ସମ୍ପାଦକ ଓ ସାମ୍ବାଦିକ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବାକୁ ଇଚ୍ଛୁକ ଅଛନ୍ତି, ସେହି ସହରରେ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ । ମାଉଣ୍ଟଆବୁରେ ପହଂଚିବା ପାଇଁ ପୂର୍ବରୁ ରେଳ ସଂରକ୍ଷଣର ଆବଶ୍ୟକତା ରହିଛି । ସେଠାରେ ପହଂଚିବା ପରେ ଅନୁଷ୍ଠାନ ପକ୍ଷରୁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ସମ୍ମିଳନୀର ଗୁରୁତ୍ୱ ଦୃଷ୍ଟିରୁ ଆପଣମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଅନୁରୋଧ କରିଛନ୍ତି ।