ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାଲ୍ ସାର୍ଟିଫିକେଟ ଘଟଣାରେ ବିରୋଧୀ ଦଳମାନେ ବିଜେଡିର ସଂପୃକ୍ତି ଥିବା ଅଭିଯୋଗ କରିବା ସଂପୂର୍ଣ୍ଣ ଭିତ୍ତିହୀନ । ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଦେଖାଇ କୌଣସି ଘଟଣାରେ ସେହି ବ୍ୟକ୍ତି ସହ ରାଜନେତାଙ୍କ ସଂପୃକ୍ତି ଦାବୀ କରିବା ହାସ୍ୟାସ୍ପଦ । ଜାଲ୍ ସାର୍ଟିଫିକେଟ ର୍ୟାକେଟ ଅଥବା ଏହାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ସ୍ଥାନୀୟ ବିଜେଡି ତଥା ରାଜ୍ୟ ବିଜେଡି ଦଳର କୌଣସି ସଂପୃକ୍ତି ନାହିଁ ବୋଲି ବିଜେଡି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନରେ ଅୟୋଜିତ ଏହି ସମ୍ମିଳନୀରେ ବିଜେଡି ଆହୁରି କହିଛି ଯେ, ବର୍ତ୍ତମାନର ହାଇଟେକ୍ ସମାଜରେ ରାଜନେତାମାନଙ୍କ ସହ କେହି ବି ଫଟୋ ଉଠାଇବା ବଡ କଥା ନୁହେଁ । ସେହି ଫଟୋକୁ ବିଭିନ୍ନ ଲୋକ ବିଭିନ୍ନ ଦିଗରେ ଉପଯୋଗ କରନ୍ତି । ସେଥିପାଇଁ ଉକ୍ତ ରାଜନେତାଙ୍କ ସଂପୃକ୍ତି ଦାବୀ କରିବା ସଂପୂର୍ଣ୍ଣ ହାସ୍ୟାସ୍ପଦ । ରାଜ୍ୟର ଉଭୟ ବିରୋଧୀ ଦଳ ଜନମାନସରେ ନିଜର ସତ୍ତା ହରାଇଛନ୍ତି । ସେମାନେ ଏସବୁକୁ ନେଇ ଶସ୍ତା ରାଜନୀତି କରୁଛନ୍ତି । ସେହିପରି ସରକାରୀ ବାସ ଭବନକୁ କେହି ମାଡି ବସିଥିବା ଏହା ପ୍ରଥମ ଘଟଣା ନୁହଁ । ସହରରେ ଏହାର ଅନେକ ଉଦାହରଣ ରହିଛି । ସରକାରୀ ସଂପତ୍ତି ଜଗିବା ପ୍ରଶାସନର ଦାୟିତ୍ୱ । ସେଥିପାଇଁ ବିଜେଡି ଦଳ ଦାୟୀ ନୁହେଁ । ଆଉ ରହିଲା ସିଲେଇ ମେସିନ କଥା, ସିଙ୍ଗର କମ୍ପାନୀ ପୂର୍ବତନ ସାଂସଦଙ୍କ ନିଜସ୍ୱ କମ୍ପାନୀ ନୁହେଁ । ଅର୍ଥ ଖର୍ଚ୍ଚ କରି କେହି ବି ସେହି କମ୍ପାନୀର ସିଲେଇ ମେସିନ ନିଜ ଘରେ ରଖି ପାରିବ । ତେଣୁ ବିରୋଧୀଙ୍କ ଅଯଥା ହଟ୍ଟଗୋଳର ଉତ୍ତରରେ ବଲାଙ୍ଗିର ବିଜେଡି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନସାଧାରଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଜାଲ୍ ସାର୍ଟିଫିକେଟ୍ ଘଟଣାରେ ବିଜେଡିର କୌଣସି ସଂପୃକ୍ତି ନାହିଁ । ଆବଶ୍ୟକ ହେଲେ ଘଟଣାର ତଦନ୍ତ ପାଇଁ ବିଜେଡି ସମସ୍ତ ସହଯୋଗ କରିବ ବୋଲି ବିଜେଡି ପ୍ରକାଶ କରିଛି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସଭାପତି ଦମୟନ୍ତୀ ବାଗ, ଯୁବ ସଭାପତି ରାଜେନ୍ଦ୍ର ହୋତା, ଓଡିଶା ମୋ ପରିବାର ସଂଯୋଜକ ସାଗର ସଙ୍ଗମ ଶତପଥୀ, ନଗର ସଭାପତି ଶମ୍ଭୁ ନାଗ, ଛାତ୍ର ସଭାପତି ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ ।