
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠ ଠାରେ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଗାନ୍ଧୀ ସ୍ମାରକୀ ସମିତି, ବେରବୋଇ ପକ୍ଷରୁ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହେବ । ପ୍ରକାଶ ଥାଉକି, ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଜାତିର ଜନକ ମହାତ୍ମାଗାନ୍ଧୀ ଏହି ବେରବୋଇ ଠାରେ ଅବସ୍ଥାନ କରିଥିଲେ । ତାଙ୍କ ଅବସ୍ଥାନର ଅବସର ଥିଲା ୪ର୍ଥ ଗାନ୍ଧୀ ସେବାସଙ୍ଘ ଅଧିବେଶନ । ଗାନ୍ଧିଜୀଙ୍କ ସହିତ ପତ୍ନୀ କସ୍ତୁରବା, ପୁତ୍ର ମଣିଲାଲ, ପୁତ୍ରବଧୁ ସୁଶୀଳା, ସର୍ଦାର ବଲ୍ଲଭଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କୃପାଳିନି, ରମାଦେବୀ ଏବଂ ରାଜ୍ୟ ତଥା ଜାତୀୟ ସ୍ତରର ଅନେକ ସ୍ୱାଧୀନତା ସଂଗ୍ରାମୀ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଅର୍ଥନୀତି ସହ ଦେଶର ସାମ୍ପ୍ରତିକ ସମସ୍ୟା ଉପରେ ବେରବୋଇ ଅଧିବେଶନରେ ଆଲୋଚନା ହୋଇଥିଲା । ୧୯୩୮ ମସିହାର ଏହି ଘଟଣାର ସ୍ମୃତି ଚାରଣ ପାଇଁ ୧୯୬୯ ମସିହାରୁ ବେରବୋଇ ଠାରେ ଗାନ୍ଧୀ ସ୍ମାରକୀ ସମିତି ଗଠିତ ହୋଇ ପ୍ରଥମ ସ୍ମାରକୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୧୯୬୯ ମସିହାରୁ ଆଜି ପର୍ଯ୍ୟନ୍ତ ବେରବୋଇ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀ ଦର୍ଶନ ତଥା ଭାବଧାରାକୁ ନିୟମିତ ମନେ ପକାଇବା ସହିତ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୫ରୁ ୩୧ ତାରିଖ ମଧ୍ୟରେ ରବିବାର ପଡୁଥିବା ଦିବସରେ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖ ରବିବାରରେ ଅନୁଷ୍ଠିତ ହେବାକୁ ଥିବା ସ୍ମାରକୀ ସମ୍ମିଳନୀରେ ଆମନ୍ତ୍ରିତ ଅତିଥି ରୂପେ ବିଶିଷ୍ଟ ଗାନ୍ଧିବାଦୀ, ଚିନ୍ତକ ଓ ଲେଖକ ଶୈଳେଜ ରବି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିନୋଦ କାନୁନଗୋଙ୍କ ସୁପୁତ୍ର ତଥା ‘ଓଡିଶାରେ ଗାନ୍ଧୀଜୀ’ର ଲେଖକ ପାବକ କାନୁନଗୋ ଓ ପ୍ରଫେସର ସହଦେବ ପାତ୍ରଙ୍କ ଭଳି ଗାନ୍ଧୀ ଦର୍ଶନ ତଥା ଗାନ୍ଧୀ ବିଚାରଧାରା ଉପରେ ରୁଚି ରଖିଥିବା ଅତିଥିମାନଙ୍କ ସହିତ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଅତିଥି ଭାବେ ଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ଗାନ୍ଧୀ ସ୍ମାରକୀ ସମିତି ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତି କୁନ୍ତଳା ବିଶ୍ୱାଳ, ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, ସହ ସମ୍ପାଦକ ସର୍ବେଶ୍ୱର ବରେଇ, କୋଷାଧ୍ୟକ୍ଷ ଭାଗିରଥି ପରିଡା, ସଂଗଠନ ସଂପାଦକ ଅନାମ ମଲ୍ଲିକ, ବଲ୍ଲଭ ବିଶ୍ୱାଳ, ଅଭୟ ଚରଣ ସାହୁ, କସ୍ତୁରବା ଟ୍ରଷ୍ଟ ସଂଚାଳିକା କବିତା ରାଣୀ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବାକୁ ଥିବା ଗାନ୍ଧୀ ଅଧିବେଶନରେ ୨ ଶହରୁ ଅଧିକ ଗାନ୍ଧୀପ୍ରେମୀ ଯୋଗ ଦେବାର ସମ୍ଭାବନା ରହିଥିବା ବେଳେ ଅଧିକ ମାତ୍ରାରେ ଗାନ୍ଧୀ ଦର୍ଶନରେ ରୁଚି ରଖିଥିବା ବ୍ୟକ୍ତି ବିଶେଷଙ୍କୁ ଉକ୍ତ ଅଧିବେଶନରେ ଯୋଗ ଦେବାକୁ ସ୍ମାରକୀ ସମିତିର ସମ୍ପାଦକ ଶ୍ରୀ ବିଶ୍ୱାଳ ନିବେଦନ କରଛନ୍ତି ।