ଭାରତର ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଅପ୍ରେଲ ୨୧ ତାରିଖରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଉରକେଲା ଗସ୍ତ ଏବଂ କେତେକ ପ୍ରକଳ୍ପର ଉଦ୍‌ଘାଟନକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଭାରତର ମହାମହିମ ରାଷ୍ଟ୍ରପତି ୨୦୨୬ ଅପ୍ରେଲ ୨୧ ତାରିଖରେ ରାଉରକେଲା ଗସ୍ତ ସମୟରେ ପ୍ରମୁଖ ସାର୍ବଜନୀନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଏବଂ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପ୍ରେଲ ୨୧ ତାରିଖ ୧୧ଟା ୧୦ରେ ରାଉରକେଲାରେ ପହଞ୍ଚିବେ ଏବଂ ସନ୍ଧ୍ୟା ୪ଟା ୫ ସମୟରେ ପ୍ରସ୍ଥାନ କରିବେ । ଗସ୍ତ ସମୟରେ, ରାଷ୍ଟ୍ରପତି ପ୍ରମୁଖ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକଳ୍ପଗୁଡିକ ମଧ୍ୟରେ ପାନପୋଷ ହକି ଛକ ନିକଟସ୍ଥ ରାଉରକେଲା ୱାନ୍ ମଧ୍ୟରେ ଥିବା ସମନ୍ବିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ଏବଂ ଆଦିବାସୀ ସଂଗ୍ରହାଳୟ । ଛେଣ୍ଡର ବିଏସ୍ଏନ୍ଏଲ୍ ଛକ ଠାରେ ଥିବା ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍ । କୋଏଲନଗର ଠାରେ ଥିବା ମନୋରଞ୍ଜନ ପାର୍କ । ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାର ୧୦,୦୦୦ରୁ ଅଧିକ ସ୍କୁଲ ଓ କଲେଜ । ଏଥିସହିତ ଛାତ୍ରଛାତ୍ରୀ ଏବଂ ୩୫ରୁ ଅଧିକ ସାଂସ୍କୃତିକ ଗୋଷ୍ଠୀଙ୍କ ଅଂଶଗ୍ରହଣରେ ଏକ ସାଂସ୍କୃତିକ ସ୍ଵାଗତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗ ଦ୍ୱାରା ୩୦ଟି ଷ୍ଟଲ୍ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରଦର୍ଶିତ ହେବ ବୋଲି ସୂଚନା ଦିଆଯାଇଛି । ଉଦ୍‌ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅଟକଳ ମୂଲ୍ୟ ଅନୁସାରେ ରାଉରକେଲା ୱାନ୍ ପରିସରରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ୪୮ କୋଟି, ୪୦ କୋଟି ମୂଲ୍ୟ ବ୍ୟୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ । କୋଏଲ ନଦୀକୂଳ ମନୋରଞ୍ଜନ ପାର୍କ ୪୨.୪୪ କୋଟି । ଛେଣ୍ଡ ଠାରେ ନିର୍ମିତ ବିଜ୍ଞାନ ପାର୍କ ଏବଂ ପ୍ଲାନେଟାରିୟମ୍ ୨୭ କୋଟି ଟଙ୍କାର ବୋଲି ସୂଚନା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତରେ ରାଉରକେଲାର ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼ କରିବା ସହ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସାର୍ବଜନୀନ ସୁବିଧାକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦେଇ କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ରାଉରକେଲା ସେକ୍ଟର-୩ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ସମେତ ବୀରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଜ୍ୟ ବିଜେପି ପ୍ରବକ୍ତା ଧିରେନ ସେନାପତି, ବରିଷ୍ଠ ବିଜେପି ନାରୀନେତ୍ରୀ ପ୍ରମିଳା ଦାଶ, ଜିଲ୍ଲା ବିଜେପି ମୁଖପାତ୍ର ଗଙ୍ଗାଧର ଦାଶ ଏବଂ ସମାଜସେବୀ ଖୁସୁବ୍ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.