ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଚଳିତ ବର୍ଷର ବଜେଟ୍ “ବିକଶିତ ଓଡ଼ିଶା”ର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ଉପସ୍ଥିତ ଥିଲେ । ମନ୍ତ୍ରୀ ବଜେଟ୍ର ବିଭିନ୍ନ ଦିଗ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି, ମହିଳା ଓ ଶିଶୁ ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହୋଇଥିବା ଐତିହାସିକ ବଜେଟ ବ୍ୟବସ୍ଥା ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଆରମ୍ଭ ହୋଇଥିବା ସରକାରଙ୍କ ସଂକଳ୍ପ ଓ ମିଶନ ଫୋର ଭିଜନର ବିକଶିତ ଓଡିଶା ୨୦୩୬, ବିକଶିତ ଭାରତ ୨୦୪୭ ପାଇଁ ଏହି ବଜେଟ ଜନକଲ୍ୟାଣକାରୀ ବଜେଟ ଭାବେ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟସେବା ବଜେଟ୍ରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି । ସାରା ରାଜ୍ୟରେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ । ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ “ଶେଷ ଧାଡ଼ିର ମଣିଷ” ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଯିବ । ୧୬ ଗୋଟି ନୂତନ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ, ସେ ମଧ୍ୟରୁ ୪ଗୋଟି ବିଶ୍ୱବିଦ୍ୟାଳୟ, ୬ଟି ମେଡିକାଲ କଲେଜ, ୨ଟି କୃଷି ମହାବିଦ୍ୟାଳୟ, ୨ଟି ଇଞ୍ଜିନୀୟରିଂ କଲେଜ, ୧ଗୋଟି ମତ୍ସବିଜ୍ଞାନ ମହାବିଦ୍ୟାଳୟ ଓ ୧ ଗୋଟି ପ୍ରାଣୀ ସମ୍ପଦ ମହାବିଦ୍ୟାଳୟ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି । ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶାକୁ ଏକ ହବ୍ ଭାବେ ଗଢ଼ିତୋଳିବା ପାଇଁ ବଜେଟ୍ରେ ସ୍ୱତନ୍ତ୍ର ପ୍ୟାକେଜ୍ ରଖାଯାଇଛି । ନୂତନ ଷ୍ଟାର୍ଟଅପ୍ ଏବଂ ଆଇଟି କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ବଲାଙ୍ଗିର ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ସରକାରୀ ଇଞ୍ଜିନୀୟରିଂ କଲେଜ, କୃଷି ମହାବିଦ୍ୟାଳୟ ଓ ବଲାଙ୍ଗିର ସାଂସଦୀୟ କ୍ଷେତ୍ରର ସୋନପୁର ଠାରେ ଏକ ମତ୍ସବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ ଯାହା ଦ୍ଵାରା ଶିକ୍ଷା ଓ ବୈଷୟିକ କ୍ଷେତ୍ରରେ ଅଧିକ ଉନ୍ନତି, ଆତ୍ମ ନିର୍ଭର ଭାରତ ଗଠନ ସହିତ ଗ୍ରାମୀଣ ଅର୍ଥନୀତି ଅଭିବୃଦ୍ଧି ହେବ । ସେହିପରି ଭାବେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିକାଶ ପାଇଁ ଆଗାମୀ ଦିନରେ ଆଇଟି ପାର୍କ, ଇଞ୍ଜିନୀୟରିଂ, ଡ଼େଣ୍ଟାଲ ମେଡିକାଲ, ନର୍ସିଙ୍ଗ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ । ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ ଅଧ୍ୟୟନ ନିମନ୍ତେ ଏଠାକୁ ଆସିବେ, ଯାହା ଦ୍ଵାରା ଜିଲ୍ଲାର ସାମଗ୍ରିକ ବିକାଶ ହେବ । ସେମି-କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା ଓ ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ ଏବଂ ବିକଶିତ ବଲାଙ୍ଗିରର ସ୍ଵପ୍ନ ପୂରଣ ହେବ । ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଡ଼. ମହାଲିଙ୍ଗ କହିଛନ୍ତି, “ଏହି ବଜେଟ୍ କେବଳ ଆର୍ଥିକ ହିସାବ ନୁହେଁ, ବରଂ ୪.୫ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ । ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଞ୍ଚାଇବା ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଓଡ଼ିଶାକୁ ଆଗକୁ ନେବା ଆମର ମୁଖ୍ୟ ଲକ୍ଷ୍ୟ ।
Prev Post