ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଚଳିତ ଫେବୃଆରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଅନୁଷ୍ଠିତ ହେବ ଜିଲ୍ଲା ମହୋତ୍ସବ ଯତରା -୨୦୨୬ । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଯତରା ଆୟୋଜନ ଉପରେ ଆଲୋଚନା କରିଥିଲେ । ଯତରା ଅବସରରେ ସହର ମଧ୍ୟରେ ସୁନ୍ଦର ଆଲୋକିକରଣ ବ୍ୟବସ୍ଥା ମଧ୍ୟ କରାଯିବ । ଏକ ସ୍ୱତନ୍ତ୍ର ମିନା ବଜାର ମଧ୍ୟ ଆୟୋଜିତ ହେବ । ସେହିଭଳି ସୁଭଦ୍ରା ଶକ୍ତି ମେଳା ମଧ୍ୟ ଆୟୋଜିତ ହେବ । ଏଥିରେ ସୁନ୍ଦରଗଡ଼ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳମାନଙ୍କରୁ ସ୍ଵଂୟ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ଉତ୍ପାଦକ ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକ ମଧ୍ୟ ଉପଲବ୍ଧ ହେବ । ସେହିପରି ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ଗୁଡ଼ିକ ମଧ୍ୟ ରହିବ, ଯେଉଁଥିରେ କି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଗୁଡ଼ିକ ଉପଲବ୍ଧ ହେବ । ସେହିଭଳି ଜିଲ୍ଲାପାଳ ଡା ମହାପାତ୍ର ଏହି ପାଞ୍ଚ ଦିନିଆ ଜିଲ୍ଲା ମହୋତ୍ସବରେ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଯତରାର ପ୍ରଥମ ଦିନରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ , ଓଡ଼ିଶୀ ଓ ଆସାମରୁ ବିହୁ ନୃତ୍ୟ ରହିଛି ଏବଂ ତାରକା ରାତ୍ରିରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ରୁକୁ ସୁନା, ଅନ୍ତରା ଚକ୍ରବର୍ତ୍ତୀ ଓ ବର୍ଣ୍ଣାଳି ହୋତାଙ୍କ କାର୍ଯ୍ୟକ୍ରମ ରହିଛି । ସେହିଭଳି ଦ୍ୱିତୀୟ ଦିବସରେ ମଧ୍ୟ ଆଦିବାସୀ ନୃତ୍ୟ, ଦୁରୁଆ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସ୍ଥାନୀୟ ସାର୍ଥକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜସ୍ଥାନ ଦଳ ଦ୍ଵାରା ଘୁମର ଓ କାଲବେଲିଆ ନୃତ୍ୟ ରହିଛି ଏବଂ ତାରକା ରାତ୍ରି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଏମ ଡି ଦାନିସଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା । ତୃତୀୟ ଦିବସରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ, ବାଘ ନାଚ ଏବଂ ପଶ୍ଚିମ ବଙ୍ଗରୁ ପୁରୁଲିଆ ଛଉ ନୃତ୍ୟ ରହିଛି ଏବଂ ତାରକା ରାତ୍ରିରେ ପ୍ରଖ୍ୟାତ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ରହିଛି । ଚତୁର୍ଥ ଦିନରେ କୋୟା ନୃତ୍ୟ, ଘୁଡୁକା ନୃତ୍ୟ, ସମ୍ବଲପୁରୀ ଓ ପଞ୍ଜାବର ଦଳ ଦ୍ଵାରା ଭାଙ୍ଗଡା ନୃତ୍ୟ ରହିଛି ଏବଂ ବଲିଉଡ୍ କଣ୍ଠ ଶିଳ୍ପୀ ପଲକ୍ ମୁଛଲଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଞ୍ଚମ ଦିନରେ ଓଡ଼ିଶୀ, କଥକ, ଘୁମୁରା ଏବଂ ମହାରାଷ୍ଟ୍ରରୁ ଲାବନୀ ନୃତ୍ୟ ରହିଛି ଏବଂ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହିତ କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତା ଶୈଳେନ୍ଦ୍ର ଏବଂ ଭୂମିକା, ସ୍ୱରାଜ, ସୂର୍ଯ୍ୟମୟୀ, ଦିବ୍ୟା, କୁଇଜ୍ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିବେ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ସେହିଭଳି ପ୍ରତ୍ୟେକ ସନ୍ଧ୍ୟାରେ ବ୍ଲକ ସ୍ତର ଯତରା କାର୍ଯ୍ୟକ୍ରମର ଗୋଟିଏ ଲେଖାଏଁ ଦଳ ମଧ୍ୟ ଅଂଶ ଗ୍ରହଣ କରିବେ । ଏହା ସହିତ ଡ୍ରନସୋ, ସ୍ୟାଣ୍ଡ ଆନିମେସନ ଆଦି ମଧ୍ୟ ଆୟୋଜିତ ହେବାର ଯୋଜନା ରହିଛି । ସେହିଭଳି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ଗୁଡିକୁ ଶାନ୍ତି ଶୃଙ୍ଖଳାର ସହ ସରସ ସୁନ୍ଦର ଭାବେ ଆୟୋଜନ କରିବା ନିମନ୍ତେ ଜିଲ୍ଲାପାଳ ଡା ମହାପାତ୍ର ସମସ୍ତ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୁରଜ୍ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ୍ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପି ଏ ଆଇ ଟି ଡି ଏ ଧୀରେନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।