ଆଦର୍ଶ ପାଠାଗାରର ସ୍ଥିତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ଆର୍‌ଏସ୍‌ପି ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୭ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନକୁ ନିଜ ଅକ୍ତିଆରକୁ ନେଇ ତାଲା ପକାଇଦେଇଛି । ତେଣୁ ଏହି ପରିପ୍ରେକ୍ଷୀରେ ଆଦର୍ଶ ପାଠାଗାର ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ହୋଟେଲ ସୋଲାସ ଠାରେ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଭଞ୍ଜ ସାଂସ୍କୃତିକ ନ୍ୟାସର କାର୍ଯ୍ୟକାରୀ ସଭାପତି ତଥା ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସ, ନ୍ୟାସ ର ଟ୍ରଷ୍ଟି ତଥା ପାଠାଗାର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ, ଉପଦେଷ୍ଟା ବାଉରୀବନ୍ଧୁ ସାହୁ, ପାଠାଗାର ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ୧୯୫୮ ମସିହାରେ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଷ୍ଠିତ ହୋଇଥିବା ଆଦର୍ଶ ପାଠାଗାରକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଶ୍ୱନାଥ ଦାଶ ୧୯୭୪ ମସିହାରେ ବିନା ମୂଲ୍ୟରେ ୩ ଏକର ୧୯ ଡିସିମିଲ ଜମି ୩୦ ବର୍ଷ ପାଇଁ ଲିଜ୍‌ରେ ଦେଇଥିଲେ । ଯାହାର ଅବଧି ୦୬/୦୧/ ୨୦୦୪ ମସିହା ପର୍ଯ୍ୟନ୍ତ ଥିଲା । ଏହି ଅନୁଷ୍ଠାନ ନିଜର ସାମାଜିକ, ସାହିତ୍ୟ ତଥା ସଂସ୍କୃତିର ପ୍ରତିବଦ୍ଧତା ପାଇଁ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାରେ ସାହିତ୍ୟ, ଅଭିନୟ, କଳା ସଂସ୍କୃତିର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଆସୁଛି । ଏଥିରେ ଆର୍‌ଏସ୍‌ପିର ଅଧିକାରୀମାନେ ବିଭିନ୍ନ ସମୟରେ ସଭାପତି ପଦ ଅଳଙ୍କୃତ କରୁଥିଲେ । ସୂଚନାଯୋଗ୍ୟ ଯେ, ଏଠାରେ ଥିବା ଭଞ୍ଜ ପ୍ରକଳ୍ପ ନିର୍ମାଣ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ, ରାଉରକେଲାର ସମସ୍ତ ଓଡ଼ିଆ ପ୍ରେମୀ ଜନସାଧାରଣ, ଶିଳ୍ପପତି, ବ୍ୟବସାୟୀ ଏପରିକି ତତ୍କାଳୀନ ଆର୍‌ଏସ୍‌ପିର ମୁଖ୍ୟ ଡ଼ଃ ସନକ ମିଶ୍ରଙ୍କ ପ୍ରଚେଷ୍ଟାରେ ସମ୍ପୂର୍ଣ୍ଣ ରୂପ ଲାଭ କରିଥିଲା । ଏହି ପ୍ରକଳ୍ପ ପାଇଁ ୧୯୮୨ ମସିହାରେ ଆଦର୍ଶ ପାଠାଗାର ଏକ ଟ୍ରଷ୍ଟ ଯାହା ଭଞ୍ଜ ସାଂସ୍କୃତିକ ନ୍ୟାସ ନାମରେ ଗଠନ କରି ଏହାର ନିର୍ମାଣ ଦାୟିତ୍ୱ ଅର୍ପଣ କରିଥିଲା । ୧୯୮୨ରୁ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୪୦ବର୍ଷ ଧରି ଆର୍‌ଏସ୍‌ପିର ମୁଖ୍ୟମାନେ ଟ୍ରଷ୍ଟର ମୁଖ୍ୟ ହୋଇ ରହିଆସୁଥିଲେ । ଆଦର୍ଶ ପାଠାଗାର ବିଭିନ୍ନ ସମୟରେ ପୁସ୍ତକମେଳା, କୁମାର ପୂର୍ଣ୍ଣିମା, ରଜ ମହୋତ୍ସବ, ମାସିକ ସାହିତ୍ୟ ଆସର, ପଣା ସଂକ୍ରାନ୍ତି, ମହାପୁରୁଷଙ୍କ ଜୟନ୍ତୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକତା ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଯାହା ଓଡିଆ ମାନଙ୍କ ପାଇଁ ଗର୍ବ ଗୌରବର ବିଷୟ ଅଟେ । ଆଦର୍ଶ ପାଠାଗାରକୁ ପ୍ରଦତ୍ତ ଉକ୍ତ ଜମିରେ ସଦୃଶ ଭଞ୍ଜ ଅଡିଟୋରିୟମ, ଭଞ୍ଜ ସାଂସ୍କୃତିକ ନ୍ୟାସ, ଭଞ୍ଜ କଳା କେନ୍ଦ୍ର, ଆଦର୍ଶ ପାଠାଗାର ଓ ୪୫ ହଜାର ପୁସ୍ତକ ସମ୍ବଳିତ ବିଶାଳ ଲାଇବ୍ରେରୀ ତଥା ଆଦର୍ଶ ସାହିତ୍ୟ ଘର ତିଆରି କରାଯାଇ ବିଭିନ୍ନ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନକୁ ସ୍ୱଳ୍ପ ମୂଲ୍ୟରେ ଦିଆଯାଇ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି । ରାଉରକେଲା ଇସ୍ପାତ କାରଖାନା ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଜମି ଲିଜ ରାଜିନାମା ୧୯୯୩ ମସିହାରେ ହୋଇଥିଲା । ସେହି ରାଜିନାମାର ୭ ନମ୍ବର ଅନୁଛେଦ ଅନୁଯାୟୀ ରାଉରକେଲା ଇସ୍ପାତ କାରଖାନା ଏହି ପ୍ରଦତ୍ତ ଜମିକୁ ଓଡିଶା ସରକାରଙ୍କ ସ୍ୱୀକୃତି ବିନା ଅନ୍ୟ କୌଣସି କାମରେ ବ୍ୟବହାର କରିପାରିବେ ନାହିଁ କି କାହାକୁ ଦେଇପାରିବେ ନାହିଁ । ଅନୁଛେଦ ୮ ଅନୁଯାୟୀ ଏକ ସବଲିଜ୍ କମିଟି ଆର୍‌ଏସ୍‌ପିର ମୁଖ୍ୟ ଅଧ୍ୟକ୍ଷଙ୍କ ସହ ୩ ଜଣ ବରିଷ୍ଠ ଅଧିକାରୀ ଓ ରାଜ୍ୟ ସରକାରଙ୍କ ୩ଜଣ ପ୍ରତିନିଧି ରହିବେ । ଏହି ସବଲିଜ କମିଟି ଜମି ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତାବର ଉଦ୍ଦେଶ୍ୟ ତଥା ସର୍ତ୍ତାବଳୀ ନିର୍ଦ୍ଧିଷ୍ଟ ଭାବେ ଲେଖି ସୁପାରିଶ କରିବେ । ଓଡ଼ିଶା ସରକାର ଏହି ପ୍ରସ୍ତାବ ଗୁଡିକୁ ମଞ୍ଜୁରି ଦେଇ ପାରନ୍ତି, ଅଗ୍ରାହ୍ୟ କିମ୍ବା ପରିବର୍ତ୍ତନ କରିପାରନ୍ତି । ତେଣୁ ରାଉରକେଲା ଇସ୍ପାତ କାରଖାନାର କୌଣସି ଭୂମିକା ନାହିଁ । ଏହି କମିଟି ୨୦୧୦ ମସିହାରେ ଓଡ଼ିଶା ସରକାରଙ୍କୁ, ଆଦର୍ଶ ପାଠାଗାରକୁ ଭଞ୍ଜଭବନ ଓ ଲାଇବ୍ରେରୀ ପାଇଁ ୧ ଟଙ୍କା ମୂଲ୍ୟ ବିନିମୟରେ ୩୩ବର୍ଷ ଅର୍ଥାତ୍ ୨୦୩୭ ମସିହା ପର୍ଯ୍ୟନ୍ତ ଲିଜ୍ ନବୀକରଣ କରିବା ପାଇଁ ସୁପାରିଶ କରିଥିଲେ । ୨୦୧୦ରେ ପଠାଯାଇଥିବା ସୁପାରିଶକୁ ରାଜ୍ୟ ସରକାର ୨୦୧୧ମସିହା (୧୭/୦୧/୨୦୧୧)ରେ ତାହାକୁ ଅନୁମୋଦନ କରି ଏକ ତ୍ରିପାକ୍ଷିକ ରାଜିନାମା କରିବା ପାଇଁ ନିର୍ଦ୍ଦେଶ ଦେଲେ । ତେବେ ମୂଳ ଅନୁମୋଦନକୁ ଉପେକ୍ଷା କରି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ବାର୍ଷିକ ପ୍ରାୟ ୬/୭ ଲକ୍ଷ ଟଙ୍କା ୨୦୦୪ ମସିହାରୁ ଦେବାପାଇଁ ପାଠାଗାରକୁ ନିର୍ଦ୍ଦେଶ ଦେଲେ । ଏହାକୁ ନେଇ ପାଠାଗାର ଓ ଆର୍‌ଏସ୍‌ପି ମଧ୍ୟରେ ବିବାଦ ସୃଷ୍ଟି ହେଲା । ଶେଷରେ ତାହା ନ୍ୟାୟାଳୟ ପର୍ଯ୍ୟନ୍ତ ଗଲା । ନ୍ୟାୟାଳୟରେ ମାମଲା ବିଚାରଧୀନ ଥିଲା ବେଳେ ବଳପୂର୍ବକ ଭାବେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ନିଜ ଅଧୀନକୁ ନେଇ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି କୁଠାରାଘାତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ, ୧୯୮୨ରେ ଭଞ୍ଜ କଲ୍ଚରାଲ ଟ୍ରଷ୍ଟ ଗଠନ ଠାରୁ ୨୦୨୨ ଯାଏ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ତା’ର ଅଧ୍ୟକ୍ଷ ହୋଇଆସୁଛନ୍ତି । ଏହାଛଡା ୨୦୨୨ ମସିହା ପର୍ଯ୍ୟନ୍ତ ଲଗାତାର ଭାବେ ରାଉରକେଲା ଇସ୍ପାତ କାରଖାନାର ସମସ୍ତ ନିର୍ବାହୀ ନିର୍ଦ୍ଦେଶକ, କିଛି ମହାପ୍ରବନ୍ଧକ ମଧ୍ୟ ଏଥିରେ ଟ୍ରଷ୍ଟି ରହିଛନ୍ତି । ଆର୍‌ଏସ୍‌ପି ମୁଖ୍ୟଙ୍କର ପସନ୍ଦ ମୁତାବକ ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀମାନେ ଆଦର୍ଶ ପାଠାଗାରର ସଭାପତି ଓ ସମ୍ପାଦକ ରହିଆସିଛନ୍ତି । ଏଣୁ ବର୍ତ୍ତମାନର କର୍ମକର୍ତ୍ତାମାନେ କୋଟି କୋଟି ଟଙ୍କା ଖାଇଗଲେ କହିବା ଅନୁଚିତ ଓ ଭିତ୍ତିହୀନ । ରାଉରକେଲା ଇସ୍ପାତ କାରଖାନା ୨୦୧୧ର ଅନୁମୋଦନ ବାହାରେ ଯେଉଁ ଟଙ୍କା ପଇଠ କରିବା ପାଇଁ ତାଗିଦ୍ କରିଆସିଛନ୍ତି ତାହା ୨୦୧୦ ମସିହାରେ ପଠାଯାଇଥିବା ପ୍ରସ୍ତାବର ସମ୍ପୂର୍ଣ୍ଣ ବିପରୀତ । ରାଉରକେଲା ଇସ୍ପାତ କାରଖାନା କରିଥିବା ବେଦଖଲ କେସ୍ ବିରୁଦ୍ଧରେ ପାଠାଗାରର ଅପିଲ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏଯାବତ ବିଚାରଧୀନ ଥିବା ବେଳେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ବଳପୂର୍ବକ ଏହି ଅନୁଷ୍ଠାନର ସମ୍ପତ୍ତିକୁ ଦଖଲ କରିବା ଆଇନ ବିରୁଦ୍ଧ । ୨୦୦୪ ମସିହାରୁ ପଇଠ କରିବାକୁ ଥିବା ରାଶି ଉପରେ ମତାନ୍ତର ଚାଲିଥିବାବେଳେ ଅଦାଲତର ନିଷ୍ପତ୍ତିକୁ ଅପେକ୍ଷା ନକରି ଏପ୍ରକାର ବଳପୂର୍ବକ କାର୍ଯ୍ୟକରିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ ନୁହେଁ କି ? ଯଦିଓ ଇସ୍ପାତ ସହରାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ତଥା ଅଣଓଡ଼ିଆ ବ୍ୟକ୍ତି ବିଶେଷ ଏକର ଏକର ଜମି ଜବରଦଖଲ କରି ବ୍ୟବସାୟ କରି ଅର୍ଥ ଉପାର୍ଜନ କରୁଥିବା ବେଳେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ତଥା ନୀରବଦ୍ରଷ୍ଟା ରହି ଏକ ପୂରାତନ ସାହିତ୍ୟ ଅନୁଷ୍ଠାନକୁ ଏପ୍ରକାର ହୀନସ୍ଥା କରିବା ଘୋର ନିନ୍ଦନୀୟ । ଓଡ଼ିଶାର ଜଙ୍ଗଲ, ଜମି, ପାଣି, ଖଣି ସବୁ ବ୍ୟବହାର କରୁଥିବାବେଳେ ଏକ ଅମାନବୀୟ ଭାବରେ ଓଡ଼ିଆ ଅସ୍ମିତା ପ୍ରତି ଆକ୍ରମଣକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଏଣୁ ଆର୍‌ଏସ୍‌ପିର ଏଭଳି ଅମାନବୀୟ କାର୍ଯ୍ୟକ୍ରମ କେବଳ ଆଦର୍ଶ ପାଠାଗାର ନୁହେଁ ସମଗ୍ର ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ ତଥା କ୍ରୁର ପରିହାସ ବୋଲି ବିବେଚନା କରାଯାଉଛି । ତେଣୁ ରାଜ୍ୟ ସରକାର ଏଦିଗରେ ଠୋସ ପଦକ୍ଷେପ ନେଇ ଏହାର ସମାଧାନ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ପ୍ରଦୀପ ପଟ୍ଟନାୟକ, ବିଭୁତି ଭୂଷଣ ବିଶ୍ୱାଳ, ନାରାୟଣ ବେହେରା, ପ୍ରଳୟ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.