ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗୋପାଳଜୀ ଉଚ୍ଚ ବିଦ୍ୟାଳୟ ତମାମୁରାରେ ମାସିକ ହାଇସ୍କୁଲ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବ୍ଲକଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ଯୋଗଦେଇ ବିଦ୍ୟାଳୟର ସାମଗ୍ରିକ ଉନ୍ନତିରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଭାବେ ପରସ୍ପର ସହଯୋଗ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବ୍ଲକର ୧୫ଟି କ୍ଲଷ୍ଟରରୁ ୨୭ ଜଣ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଉତ୍କର୍ଷ କାର୍ଯ୍ୟକ୍ରମ, ଖାନ ଏକାଡେମୀର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର କାରଣ ଓ ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଶିକ୍ଷକ କୃଷ୍ଣଚନ୍ଦ୍ର ତଣ୍ଡକାର, ମାନଭଞ୍ଜନ ପଣ୍ଡା, ସୁରଜ କାଲସାଏ, ଅମୀୟ ପଧାନ, କର୍ମଚାରୀ ବିଶ୍ଵାମିତ୍ର ଥାନାପତି ଓ ସୁବ୍ରତ ନାଗ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଧ୍ରୁବଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।