ସହିଦ ଧରମସିଂମାଝୀ ମାନଧାତାଙ୍କ ବିଷୟରେ ଏନ୍‌ସିଆର୍‌ଟିର ପାଠ୍ୟକ୍ରମରେ ସାମିଲ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ୧୮୫୩ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ ହୋଇଥିଲା । ତତ୍‌କାଳୀନ ପାଟଣା ଗଡଜାତର ଆଟଗାଁ ଜମିଦାର ଅନ୍ୟାନ୍ୟ ଆଦିବାସୀ ସଂଗ୍ରାମୀଙ୍କ ସହିତ ମିଶି ଏହି ଲଢେଇ କରିଥିଲେ । ଗଞ୍ଜାମର ଘୁମୁସର ଅଞ୍ଚଳରୁ ଚକୋରା ବିଶୋଇଙ୍କ ନେତୃତ୍ୱରେ ଆରମ୍ଭ ହୋଇ ଉର୍ଲାଦାନୀର ରେଣ୍ଡୋ ମାଝୀଙ୍କ ସହାୟତାରେ ଆରମ୍ଭ ହୋଇଥିବା କନ୍ଧମେଳୀକୁ ଆଟଗାଁ ଜମିଦାର ପୃଷ୍ଠପୋଷକତା କରିଥିଲେ । ଚକୋରା ବିଶୋଇ ଓ ରେଣ୍ଡୋ ମାଝୀଙ୍କ ପ୍ରାୟ ୫୦୦ ସୈନ୍ୟଙ୍କୁ ଐତିହାସିକ ଭୀମପାହାଡର ଗୁମ୍ଫାମାନଙ୍କରେ ସୁରକ୍ଷିତ ଭାବରେ ରଖି ସେମାନଙ୍କୁ ୧ବର୍ଷ ପର୍ଯ୍ୟନ୍ତ ଖାଦ୍ୟପେୟ ଦେବା ସହ ସୁରକ୍ଷା ଦେଇଥିଲେ । ଏପରିକି ଚକୋରା ବିଶୋଇଙ୍କୁ ରକ୍ଷା କରିବାକୁ ଯାଇ ଧରମସିଂ ମାଝୀ ମାନଧାତା ନିଜେ ଅସ୍ତ୍ରଧରି ବ୍ରିଟିଶ ସୈନ୍ୟଙ୍କ ସହିତ ଲଢେଇ କରି ଶେଷରେ ଗିରଫ ହୋଇଥିଲେ । ତାଙ୍କୁ ନାଗପୁର ଜେଲକୁ ନିଆଯାଇଥିଲା ଓ ସେ ସେଠାରେ ୧୮୫୭ରେ ଜେଲରେ ମୃତ୍ୟୁବରଣ କରିଥିଲେ । ଆଜି ଦେଶରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିରେ ଅମୃତ ମହୋତ୍ସବ ପାଳୁଛୁ କିନ୍ତୁ ସ୍ୱାଧୀନତା ଆନ୍ଦୋଳନରେ ସହିଦ ହୋଇଥିବା ବୀରପୁରୁଷମାନଙ୍କୁ ଆମେ ଭୁଲିଯାଉଛୁ । ମୋଦୀ ସରକାରଙ୍କ ଅମଳରେ ଏନ୍‌ସିଆର୍‌ଟି ପକ୍ଷରୁ ପ୍ରସ୍ତୁତ ହେଉଥିବା ପାଠ୍ୟକ୍ରମରେ ଅନେକ ଅନାଲୋଚିତ ବୀରପୁରୁଷଙ୍କ ସ୍ୱାଧୀନତା ସଂଗ୍ରାମ ବିଷୟ ସାମିଲ କରାଯାଉଛି । ସେହି ଦୃଷ୍ଟିରୁ ବଲାଙ୍ଗିର ମାଟିର ବୀରପୁରୁଷ ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ୱାଧୀନତା ସଂଗ୍ରାମ ବିଷୟକୁ ଏନ୍‌ସିଆର୍‌ଟି ପାଠ୍ୟକ୍ରମରେ ସାମିଲ କରିବାକୁ ଦାବୀ ହୋଇଛି । ଦେଓଗାଁ ବ୍ଲକ ମକୁନ୍ଦପୁରର ଭୀମପାହାଡ ମହୋତ୍ସବ କମିଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଏହି ଦାବୀ ରଖିଛି । ଏନ୍‌ସିଆର୍‌ଟି ପାଠ୍ୟକ୍ରମରେ ସହିଦ ଧରମସିଂ ମାଝୀ ମାନଧାତାଙ୍କ ବିଷୟରେ ପଢାଗଲେ ଆଗାମୀ ପିଢି ଏହି ଅଞ୍ଚଳର ବୀରଗାଥା ଓ ସ୍ୱାଧୀନତା ସଂଗ୍ରାମ ବିଷୟରେ ଅବଗତ ହୋଇପାରନ୍ତେ ବୋଲି ଦାବୀ କରାଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର, ସାମ୍ବାଦିକ ସନ୍ଦୀପ କୁଅଁର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହି ଦାବୀ ରଖିଛନ୍ତି । ଏହା ପୂର୍ବରୁ ଐତିହାସିକ ପର୍ଯ୍ୟଟନସ୍ଥଳୀ ଭୀମପାହାଡର ପାଦଦେଶରେ ଧରମସିଂମାଝୀଙ୍କ ସ୍ନୃତିକୁ ବହନ କରୁଥିବା ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କମିଟିର ଅଧ୍ୟକ୍ଷ ଶ୍ରୀ ମେହେର ରାଜ୍ୟସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିକଟରେ ଦାବୀ କରିଛନ୍ତି । ସେହିପରି ପରିବର୍ତ୍ତନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସହିଦ ଧରମସିଂ ମାଝୀମାନଧାତାଙ୍କୁ କେନ୍ଦ୍ରସରକାର ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେଇ ତାଙ୍କ ଉପରେ ଏକ ଡାକଟିକଟ ଉନ୍ମୋଚନ, ଆଟଗାଁର ଜମିଦାରୀ ମହଲକୁ ସ୍ମୃତିପୀଠ ଘୋଷଣା କରାଯାଇ ଏହାର ଉନ୍ନତିକରଣ, ଆଟଗାଁରେ ଏକ ପ୍ରତିମୂର୍ତ୍ତିସ୍ଥାପନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ପୋଷ୍ଟାଲ ଫିଲାଟେଲିକ ସଂସ୍ଥାକୁ ଚିଠି କରାଯାଇଛି ବୋଲି ସାମ୍ବାଦିକ ମୁକେଶ ବହିଦାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.