ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜି-୨୦ ଜନଭାଗିଦାରୀ ଅଭିଯାନରେ ସାମିଲ ହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀ ଜି-୨୦ ଲୋଗୋ ଓ ବିଷୟବସ୍ତୁ ଉପରେ ରଙ୍ଗୋଲି ପ୍ରସ୍ତୁତ କରିଥିଲେ ।

ସେହିପରି ଭୁବନେଶ୍ୱର ସ୍ଥିତ ସିପେଟ୍ ଛାତ୍ରଛାତ୍ରୀମାନେ ମଧ୍ୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପୁରୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମିଲେଟ୍ସ ସେବନକୁ ପ୍ରୋତ୍ସାହନ ଲାଗି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ସେହିପରି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗୋଲି ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ବାର୍ତ୍ତା ପ୍ରଚାର କରିଥିଲେ ।

ଏହାଛଡ଼ା ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ରେ ଗୋଚାଷୀମାନଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଥିଲା ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଏଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ)ର ହେରିଟେଜ୍ ଏଣ୍ଡ କଲଚର୍ କ୍ଲବ୍ ପକ୍ଷରୁ ପୁରୁଣା ଭୁବନେଶ୍ୱର ଠାରେ ଐତିହ୍ୟ ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଅନୁରୂପ ଭାବେ ଭୁବନେଶ୍ୱର ସ୍ଥିତ ସିଟିଟିସି ପକ୍ଷରୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା ।
ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ପ୍ରତିଷ୍ଠାନ ଏବଂ ଡିଏମ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଉତ୍ସାହର ସହିତର ଅଂଶଗ୍ରହଣ କରିଥିଲେ ।

ଅନୁଗୁଳ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଜି-୨୦ ଲୋଗୋ ଡିଜାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତର ଜି-୨୦ ଅଧ୍ୟକ୍ଷତା ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀମାନେ ଲୋଗୋ ଡିଜାଇନ କରିଥିଲେ ।

Leave A Reply

Your email address will not be published.