jayashree

ଗାଉଣ୍ଡ୍ ଜିରୋରୁ ସିଇଓ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ପ୍ରକଳ୍ପ ସମୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡକ୍ଟର ଅଜିତ କୁମାର ମିଶ୍ର ଆଜି ପରିଷଦର ବୈଷୟିକ ଟିମ୍ ସହ ପଦ୍ମପୁର ଗସ୍ତରେ ଆସି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜବୋଡ଼ାସମ୍ବର ବ୍ଲକ୍‌ର ସମ୍ମିଳନୀ କକ୍ଷରେ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପଦ୍ମପୁର ଏନ୍ଏସି, ରାଜେବୋଡ଼ାସମ୍ବର ବ୍ଲକ୍ ଓ ପାଇକମାଲ ବ୍ଲକ୍‌ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିରୁ ନିର୍ମାଣାଧିନ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଥିଲା । ଡକ୍ଟର ମିଶ୍ରଙ୍କ ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାୟକ, ଯୋଜନା ଅଧିକାରୀ ଉଦ୍ଧବ ଚରଣ ନାୟକ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ବୈଠକରେ ରାଜବୋଡ଼ାସମ୍ବର ବିଡିଓ ଚନ୍ଦ୍ରମଣି ନାଗ, ଏନ୍ଏସି ଇଓ ରାମଚନ୍ଦ୍ର ମାଝି, ଏଇଇ ଅଂଶୁ କୁମାର୍ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜ ଅଧିନରେ ଚାଲିଥିବା ସମସ୍ତ ପ୍ରକଳ୍ପର ସ୍ଥିତି ସଂପର୍କରେ ରିପୋର୍ଟ ଦେଇଥିଲେ । ସମୀକ୍ଷା ବୈଠକର ଆରମ୍ଭରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଭିମତକୁ ସ୍ପଷ୍ଟ କରି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ କୁମାର ମିଶ୍ର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସବୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ବି ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି ସେ ସବୁର ସମୀକ୍ଷା କରି ତଥ୍ୟ ଦେବାକୁ ସେ କହିଥିଲେ । ଯେଉଁ କ୍ଷେତ୍ରରେ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି ତାର ସବିଶେଷ ତଥ୍ୟ (କଂପୋଜିଟ୍ ଏଷ୍ଟିମେଟ୍) ଦେଲେ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଅଗ୍ରାଧିକାର ଭିତ୍ତିରେ ତାହା ମଂଜୁର କରିବେ ବୋଲି ଡକ୍ଟର ମିଶ୍ର କହିଥିଲେ । ଏହି ଅବସରରେ ସେ କ୍ୟାସବୁକ୍ ଓ ପାସବୁକ୍‌ର ମଧ୍ୟ ଯାଞ୍ଚ କରିଥିଲେ । ଏହି ଅବସରରେ ସେ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରିକ ସମୀକ୍ଷା ମଧ୍ୟ କରିଥିଲେ ଓ ସମସ୍ତ ପ୍ରକଳ୍ପର ସବିଶେଷ ତଥ୍ୟ ପ୍ରୋଜେକ୍ଟ ମୋନିଟରିଂଗ୍ ପୋର୍ଟାଲ୍‌ରେ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.