ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ୨ୟ ପ୍ରସ୍ତୁତି ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟାର ମୁକାବିଲା କରିବା ପାଇଁ ୨ୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ବିଭାଗ ଆସନ୍ନ ବନ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତ ଅଛନ୍ତି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏମଆଇ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତେଲ ଡିଭିଜନ ପ୍ରକଳ୍ପ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନଦୀକୂଳରେ ଥିବା ସମସ୍ତ ଘାଇ, ନଦୀ ପଠା ଗୁଡିକ ଯାଞ୍ଚ କରି ଦୁର୍ବଳ ଘାଇ ଓ ବିପଦ ସଂକୁଳ ପଠା ଗୁଡିକୁ ସୁଦୃଢ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସହରାଞ୍ଚଳରେ ଥିବା ବିଭିନ୍ନ ନାଳ ଗୁଡିକ ସଫା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରବଣ ଅଞ୍ଚଳରେ ଅଗ୍ରୀମ ଶୁଖୁଲା ଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ ବ୍ୟତୀତ ଜିଲ୍ଲାର ବିଭିନ୍ନ ବନ୍ୟା ସମ୍ବେଦନଶୀଳ ଅଂଚଳରେ ପାୱାର ବୋଟ ଏବଂ ଦେଶି ଡଙ୍ଗା ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ଉପଜିଲ୍ଲାପାମାନଙ୍କୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ୬ଗୋଟି ବନ୍ୟା ଆଶ୍ରୟସ୍ଥଳୀ ଯେପରି ବନ୍ୟା ସମୟରେ ସମ୍ପୂର୍ଣ୍ଣ ଉପଯୋଗ ହୋଇ ପାରିବ ସେଥିପାଇଁ ଜିଲ୍ଲାପାଳ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜୁନ ୧ ତାରିଖଠାରୁ ଜିଲ୍ଲାରେ ୨୪ ଘଣ୍ଟିଆ କନଣ୍ଟ୍ରୋଲ ରୁମ ଚାଲୁ ରହିଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ ପ୍ରକାଶ କରିଥିଲେ ଏବଂ ବନ୍ୟା ଜନିତ ସମସ୍ତ ଅଭିଯୋଗ ଟେଲିଫୋନ ନଂ. ୦୬୬୫୪ – ୨୨୦୩୬୨, ୮୮୯୫୧୩୯୬୮୧ ଏବଂ ୧୦୭୭ରେ ଦେଇ ପାରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ପଶୁ ସମ୍ପଦ ଅଧିକାରୀଙ୍କୁ ବନ୍ୟା ପୂର୍ବରୁ ଆବଶ୍ୟକୀୟ ଔଷଧ ଏବଂ ଗୋଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.