ନରସିଂହଙ୍କ ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକ

  • ବିସ୍ଥାପିତ ନ କରି ଜମି ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ନରସିଂହ
  • ଇନ୍ଦିରା ନଗର, ଲକ୍ଷ୍ମୀଯୋର ଓ ମହାରାଣୀ ସାଗର ଅଂଚଳ ଲୋକଙ୍କୁ ଜମିପଟ୍ଟା ପ୍ରଦାନ କରନ୍ତୁ
    ସରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହର ମଧ୍ୟରେ ଅନେକ ଗରିବ ଜନସାଧାରଣ ଗାଁରୁ ଆସି ଜୀବିକା ନିର୍ବାହ କରୁଛନ୍ତି । ଧିରେ ଧିରେ ବିଭିନ୍ନ ସରକାରୀ ଜମିମାନଙ୍କରେ ଘର ଖଣ୍ଡିଏ କରି ପେଟ ପାଟଣା ପାଇଁ ସହରରେ ରହିଯାଉଛନ୍ତି । ଏହା ଧିରେ ଧିରେ ବ୍ୟାପକ ହୋଇ ଇନ୍ଦିରାନଗର, ମହାରାଣୀସାଗର କଡ ଏବଂ ଲକ୍ଷ୍ମୀଯୋରର ଉଭୟ ପାଶ୍ୱର୍ର ଗରିବ ଲୋକଙ୍କ ଅନେକ ବସ୍ତି ବସିଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେହେତୁ ଲୋକେ ନିଜର ଜୀବିକା ନିର୍ବାହ ପାଇଁ ଉପରୋକ୍ତ ଜାଗାମାନଙ୍କରେ ଘର କରି ରହୁଛନ୍ତି ତେଣୁ କୌଣସି ପ୍ରକଳ୍ପ ପାଇଁ ସରକାର ସେମାନଙ୍କୁ ଯଦି ବିସ୍ଥାପିତ କରିବେ ତାହା ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ । ତେଣୁ ମୋର ବି ସ୍ପଷ୍ଟ ମତ ଏପରି ଭୂମିହୀନ ଗରିବ ଲୋକମାନଙ୍କୁ ସରକାର ସେହି ଜାଗାରୁ ବିସ୍ଥାପିତ ନ କରି ସେମାନଙ୍କୁ ଘର କରିଥିବା ଜାଗାରେ ହିଁ ଜମି ପଟ୍ଟା ପ୍ରଦାନ କରନ୍ତୁ । ଏ ଦିଗରେ ଯେତେ ଶୀଘ୍ର ହେବ ଜିଲ୍ଲା ପ୍ରଶାସନ ଜମି ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରୁ ବୋଲି ଆଜି ସ୍ଥାନୀୟ ପଂଚାୟତିରାଜ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ନିଜ ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଅଧ୍ୟକ୍ଷ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଜମି ଜବରଦଖଲ ବିଲ ଯେଉଁ ଥିରେ କି ଜବର ଦଖଲକାରୀଙ୍କୁ ୭ ବର୍ଷ ଜେଲ ଓ ଜରିମାନାର ବ୍ୟବସ୍ଥା କରାଯାଇଥିଲା ସେହି ବିଲକୁ କେବଳ ସେ ନିଜେ ହିଁ ଜଣେ ବିଧାୟକ ଭାବରେ ବିଧାନସଭାରେ ବିରୋଧ କରିଥିଲେ ଏବଂ ତା ସହ ଏଥିରୁ ଏ ଜେଲ ଓ ଜରିମାନାରୁ ଗରିବ ଭୂମିହୀନଙ୍କୁ ବାଦ ଦିଆଯାଇ ଏ ବିଲରେ ସଂଶୋଧନ ଅଣାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବକୁ ପ୍ରଥମେ ସରକାର ମାନି ଥିଲେ କିନ୍ତୁ ପରେ ପୁଣି ସେହି ସଂଶୋଧନକୁ ବାତିଲ କରି ଗରିବଙ୍କ ସ୍ୱାର୍ଥ ପାଇଁ ସେ ଦେଇଥିବା ସଂଶୋଧନ ପ୍ରସ୍ତାବକୁ ସରକାର ଖାରଜ କରି ସମସ୍ତ ଜମି ଜବରଦଖଲକାରୀଙ୍କ ପାଇଁ ୭ ବର୍ଷ ଜେଲ ଓ ଜରିମାନାର ବ୍ୟବସ୍ଥା କରିଥିଲେ । କିନ୍ତୁ ତାଙ୍କ ହସ୍ତକ୍ଷେପ ବଳରେ ମହାମହିମ ରାଜ୍ୟପାଳ ଏହି ବିଲ କୁ ମଂଜୁର କରିନଥିଲେ । ଆଜିର ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ମିଶ୍ର ଲକ୍ଷ୍ମୀଯୋରର ଉଭୟ ପାଶ୍ୱର୍ରେ ଥିବା ଲୋକଙ୍କୁ ଉଭୟ ପାଶ୍ୱର୍ରେ ଥିବା ଲୋକଙ୍କୁ ସେହିଠାରେ ହିଁ ପଟ୍ଟା ପ୍ରଦାନ ସହ ଲକ୍ଷ୍ମୀଯୋରର ବନ୍ୟା ପ୍ରତିରୋଧକ ବାଡକୁ ଆହୁରି ଉଚ୍ଚ କରି ନିର୍ମାଣ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଉପସ୍ଥିତିରେ ଏହି ବୈଠକରେ ମହାରାଣୀ ସାଗରର ଉନ୍ନତି ଓ ସୌନ୍ଦର୍ୟିକରଣ ପାଇଁ ଆସିଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ଚଞ୍ଚକତା କରି ବାଟମାରଣା କରୁଥିବାର ଆଲୋଚନାରୁ ଜଣାପଡିଥିଲା । କେନ୍ଦ୍ର ସରକାର ଦେଇଥିବା ଅନୁଦାନ କିପରି ମୋ ପୋଖରୀ ନାମରେ ରାଜ୍ୟ ଯୋଜନାରେ ବିନା ଟେଣ୍ଡରରେ ଖର୍ଚ୍ଚ କରାଯିବାର ଯୋଜନା କରାଯାଇଛି ସେ ଉପରେ ପଚାରିଥିବା ପ୍ରଶ୍ନର ସଠିକ ଉତ୍ତର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ପାଖରେ ନ ଥିଲା । ପୂର୍ତ୍ତ ବିଭାଗ ଆଲୋଚନା ସମୟରେ ମଧ୍ୟ ବିଭିନ୍ନ ରାସ୍ତା ଗୁଡିକ ନିର୍ମାଣ କାମ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ଅସମ୍ପୂର୍ଣ୍ଣ କାମ ଗୁଡିକୁ ଯେତେ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକସ୍ତରୀୟ ରାସ୍ତାକାମ ଯଥା ଅନ୍ୟାନ୍ୟ ଯୋଜନାରେ ହିତାଧିକାରୀମାନଙ୍କୁ ହଇରାଣ କରାଯାଉଥିବାର ଅଭିଯୋଗ ଆସିଥିଲା । ବିଶେଷ କରି ବଲାଙ୍ଗିର ସଦର ବ୍ଲକରେ ଗୋଟିଏ ରାସ୍ତା ଉପରେ ତିନୋଟି ରାସ୍ତା ନାମ ଦେଇ କିପରି ସରକାରୀ ଦଳର ଲୋକଙ୍କ ଦ୍ୱାରା ଅର୍ଥ ହଡପ କରାଯାଇଛି ସେ ଉପରେ ଏକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ରାସ୍ତା ଗୁଡିକ ହେଲା ବୀରମୁଣ୍ଡା ସିନ୍ଦୁରବାହାଲ, ବୀରମୁଣ୍ଡା ବକ୍ସିଉଡାର, ବିରମୁଣ୍ଡା ଧୁବାଉଡାର । ଧାନକିଣା ଉପରେ ଅନେକ ଅଭିଯୋଗ ଆସୁଥିଲେ ହେଁ ଯୋଗାଣ ଅଧିକାରୀ ପାଖରେ କୌଣସି ଅଭିଯୋଗ କିପରି ନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆଇନ ଶୃଙ୍ଖଳା ଆଲୋଚନା ସମୟରେ ଲକ୍ଷ୍ମୀଯୋର ପୋଲିସ ଷ୍ଟେସନକୁ ଶୀଘ୍ର ଚାଲୁ କରିବା, ଭୀମ ଭୋଇ ମେଡିକାଲ କଲେଜ ପରିସରରେ ଆଉଟ ପୋଷ୍ଟ ଏବଂ ପର୍ଯ୍ୟଟନ କ୍ଷେତ୍ର ଭୀମ ଡୁଙ୍ଗୁରିଠାରେ ଏକ ଆଉଟ ପୋଷ୍ଟ ପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଭୀମଡୁଙ୍ଗୁରିଠାରେ ସ୍ଥିତ ପାର୍କର ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଫୁଲଗଛ ଓ ଘାସ ମରିଯାଉଥିବା ଉପରେ ଉପସ୍ଥିତ ବନବିଭାଗ ଅଧିକାରୀଙ୍କୁ ଯତ୍ନବାନ ହେବାକୁ କହିଥିଲେ ବିଧାୟକ ଶ୍ରୀ ମିଶ୍ର । ଏହା ସହ ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଯୋଗାଣ, ଜାତୀୟ ରାଜପଥ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଯେତେ ଶିଘ୍ର ହେବ ସମାପ୍ତ କରାଯାଉ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.